ରତଲାମ: ସୋସିଆଲ୍ ମିଡିଆରୁ ସମ୍ପର୍କ, ଦେଖା ଚାହାଁ, ମନର ମିଳନ ଆଉ ପରେ ବାହାଘର। ପରିବାର ଲୋକେ ଯେତେ ବୁଝାଇଲେ ବି ବୁଝିଲେନି କି ଶୁଣିଲେନି। ଶେଷରେ ପରିବାର ବିରୁଦ୍ଧରେ ଯାଇ ବିବାହ କରି ସାତ ଜନ୍ମକୁ ସାଥି ହେବା ପାଇଁ ଶପଥ ନେଲେ ନବଦମ୍ପତି। ହେଲେ ଦୁଃଖର କଥା, ସାତ ଜନ୍ମ କ’ଣ ୭ଟା ମାସ ବି ତିଷ୍ଟିଲାନି ସମ୍ପର୍କ। ସ୍ୱାମୀଙ୍କୁ ଦୁରାରୋଗ୍ୟ (କ୍ୟାନସର) ହୋଇଛି ବୋଲି ଜଣାପଡ଼ିବା ପରେ ଛାଡ଼ି ଚାଲିଗଲେ ପତ୍ନୀ। ଗଲେ ତ ଗଲେ ଏମିତି କାଣ୍ଡ କରି ଗଲେ ଯେ ଜାଣିଲେ ଆପଣଙ୍କ ମନରୁ ବି ବିଶ୍ୱାସ ତୁଟିଯିବ।
ଏହି ଘଟଣା ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର। ବାହାଘରର ମାତ୍ର ୪ ମାସ ପରେ ଭାଗ୍ୟ ଏମିତି ମୋଡ଼ ନେଲା ଯେ ସବୁକିଛି ବଦଳିଗଲା। ସ୍ୱାମୀଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡ଼ିବା ପରେ ପତ୍ନୀଙ୍କ ସୋସିଆଲ୍ ମିଡିଆ ପ୍ରେମ ପ୍ରତାରଣାରେ ପରିଣତ ହୋଇଗଲା। ଶେଷରେ ଗୁରୁତର ଅବସ୍ଥାରେ ସ୍ୱାମୀକୁ କ୍ୟାନସର ମୁହଁରେ ଛାଡି ଚାଲିଯାଇଥିଲେ ପତ୍ନୀ। କଥା ସେତିକିରେ ବି ସରିନଥିଲା। ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ଫୈସଲାକୁ ଅପେକ୍ଷା ନ କରି ପତ୍ନୀ ଅନ୍ୟ ଏକ ଯୁବକଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ବର୍ତ୍ତମାନ ରତଲାମ କୋର୍ଟ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ରାଜସ୍ୱ କଲୋନୀରେ ରହୁଥିବା ଆକାଶ ଜାଟଙ୍କ ସହ ରତଲାମର ବାସିନ୍ଦା ସାକ୍ଷୀ ନକୁମଙ୍କ ପରିଚୟ ହୋଇଥିଲା ସୋସିଆଲ ମିଡିଆରେ। ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ପ୍ରାୟ ୬ ମାସର ସମ୍ପର୍କରେ ରହିବା ପରେ ଦୁହେଁ ପରିବାରର ଇଚ୍ଛା ବିରୋଧରେ ୨୦ ନଭେମ୍ବର ୨୦୨୨ରେ ଇନ୍ଦୋରର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ।
ଆରମ୍ଭରେ ପରିବାର ଏହି ବିବାହକୁ ବିରୋଧ କରିଥିଲେ। ପରେ ଉଭୟ ପରିବାର ରାଜି ହେବା ପରେ ୧୩ ଡିସେମ୍ବର ୨୦୨୨ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ପୁଣିଥରେ ଆନୁଷ୍ଠାନିକ ଭାବେ ବିବାହ ସମ୍ପନ୍ନ ହୋଇଥିଲା।
ବିବାହର ୪ ମାସ ପରେ ଜଣାପଡ଼ିଲା କ୍ୟାନସର
ବିବାହର କେବଳ ଚାରି ମାସ ପରେ ଆକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ୧୦ ଏପ୍ରିଲ ୨୦୨୩ରେ ଗୁଜରାଟର ବଡୋଦରାରେ ଚିକିତ୍ସା ପରୀକ୍ଷା ପରେ ଡାକ୍ତରମାନେ ତାଙ୍କ ଗଳାର ଶ୍ୱାସନଳୀରେ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ। ବାସ୍ ଏହାପରେ ସାତ ଜନ୍ମକୁ ସାଥି ହେବାକୁ କଥା ଦେଇଥିବା ସୋସିଆଲ୍ ମିଡିଆ ପତ୍ନୀ ଦେଖାଇଥିଲେ ତାଙ୍କର ପ୍ରକୃତ ପ୍ରେମ।
ଆକାଶଙ୍କ ଅଭିଯୋଗ ଅନୁସାରେ, କ୍ୟାନ୍ସର ବିଷୟରେ ଜାଣିବା ପରେ ସ୍ତ୍ରୀ ସାକ୍ଷୀଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଦିନେ ସାକ୍ଷୀ ତାଙ୍କୁ କହିଥିଲେ “ତୁମେ ତ କାଲି ମରିଯିବ, ତା’ପରେ ମୋର କଣ ହେବ?” ଏକଥା କହିବା ପରେ ସେ ଆକାଶଙ୍କୁ ରୋଗିଣା ଅବସ୍ଥାରେ ଛାଡ଼ି ନିଜ ବାପଘରକୁ ଚାଲିଯାଇଥିଲେ। ସେଠାରେ ରହି ରତଲାମ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ମାମଲା କୋର୍ଟରେ ବିଚାରାଧୀନ ଥିବା ଏବଂ ଆବେଦନ ଖାରଜ ହେବାର ସମ୍ଭାବନା ଥିବାବେଳେ ୧୦ ଜୁନ୍ ୨୦୨୪ରେ ସାକ୍ଷୀ ଛତରପୁରର ଜଣେ ଯୁବକଙ୍କୁ ଗୁପ୍ତରେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ ସ୍ୱାମୀଙ୍କ ସହ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଛି।
କ୍ୟାନସର ସହ ଲଢ଼ିଲେ, ନ୍ୟାୟ ପାଇଁ ମଧ୍ୟ ଲଢ଼ିଲେ
ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ ବିଷୟରେ ଜାଣିବା ପରେ ଆକାଶ ହାର ମାନିନଥିଲେ। କ୍ୟାନ୍ସରର ଚିକିତ୍ସା ଜାରି ରଖିବା ସହ ସେ ସ୍ତ୍ରୀଙ୍କ ବିରୋଧରେ ଠକେଇ ଓ ଦ୍ୱିତୀୟ ବିବାହ ସମ୍ବନ୍ଧୀୟ ପ୍ରମାଣ ସଂଗ୍ରହ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆକାଶଙ୍କ ଆବେଦନ ଉପରେ ଶୁଣାଣି କରି ରତଲାମ କୋର୍ଟ ସାକ୍ଷୀଙ୍କୁ ବାରମ୍ବାର ସମନ (ନୋଟିସ୍) ଜାରି କରିଥିଲେ। କିନ୍ତୁ ଅନେକ ଥର ନୋଟିସ୍ ପଠାଯାଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ। ଏହାପରେ କୋର୍ଟ ତାଙ୍କର ଲଗାତାର ଅନୁପସ୍ଥିତିକୁ ଗୁରୁତର ଭାବେ ନେଇ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ଏବେ ଆକାଶ ଜାଟ ଗୋଟିଏପଟେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହ ଲଢ଼ୁଥିବାବେଳେ, ଅନ୍ୟପଟେ ଅଭିଯୋଗ ଅନୁସାରେ ନିଜ ଜୀବନସାଥୀଙ୍କ ବିଶ୍ୱାସଘାତକ ବିରୋଧରେ ବି ନ୍ୟାୟସଂଗତ ସଂଗ୍ରାମ ଜାରି ରଖିଛନ୍ତି। ତେବେ ମାମଲା ବିଚାରାଧୀନ ଥିବାରୁ ଅଭିଯୋଗଗୁଡ଼ିକର ଅନ୍ତିମ ସତ୍ୟତା କୋର୍ଟଙ୍କ ରାୟ ପରେ ହିଁ ସ୍ପଷ୍ଟ ହେବ।
