Voice of Eastern India

“ଗୋଦରି ଲୋ, ନିଜ ଗୋଡ଼କୁ ଅନା”, ନବୀନଙ୍କୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶାଣିତ ଆକ୍ରମଣ


ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନବାଜିକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। “ଗୋଦରି ଲୋ, ନିଜ ଗୋଡ଼କୁ ଅନା” ଢଗ ଶୁଣାଇ ମନ୍ତ୍ରୀ କହିଛନ୍ତି ଯେ, ବିଜେଡି ନିଜ ୨୪ ବର୍ଷର ଶାସନ କାଳରେ ଅନେକ କେଳେଙ୍କାରୀ କରିଛି। ତାଙ୍କ ସମୟରେ ଚିଟଫଣ୍ଡ ଠକେଇଠାରୁ ଆରମ୍ଭ କରି ବହୁ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ତେଣୁ କୁଶାସନ କରିଥିବା ନେତାମାନେ ବର୍ତ୍ତମାନର ସୁଶାସନ କରୁଥିବା ସରକାରଙ୍କୁ ସମାଲୋଚନା କରିବା ଆଦୌ ଗ୍ରହଣୀୟ ନୁହେଁ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ସରକାରୀ ଚାକିରିର ଅବସର ବୟସସୀମା କମ୍ ରଖିଥିଲା, ଯାହାକୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ବୃଦ୍ଧି କରିଛନ୍ତି। ବିଜେଡି ଶାସନରୁ ମିଳିଥିବା ପୁରୁଣା ଅବ୍ୟବସ୍ଥା ଓ ‘ଲିଗାସି’ ସମସ୍ୟାକୁ ସୁଧାରିବା ପାଇଁ ନୂଆ ସରକାରଙ୍କୁ ଗୋଟିଏ ବର୍ଷ ଲାଗିଗଲା। ବିରୋଧୀଙ୍କ ପାଖରେ ଏବେ କୌଣସି ପ୍ରକୃତ ମୁଦ୍ଦା ନାହିଁ। ନବୀନ ଯେଉଁ ମତ ରଖୁଛନ୍ତି, ତାହା ତାଙ୍କ ଦଳୀୟ ଚାପ ଯୋଗୁଁ ହୋଇଥାଇପାରେ, ମାତ୍ର ତାଙ୍କ ଭଳି ଜଣେ ବରିଷ୍ଠ ନେତା ଏଭଳି ବୟାନବାଜିରୁ ଦୂରେଇ ରହିବା ଉଚିତ୍।

Also Read: କଟକରେ ଜଳବନ୍ଦୀ ପାଇଁ ଦାୟୀ କିଏ ? ମୋକିମ ଏବଂ ସୁବାଷ ସିଂହ ମୁହାଁମୁହିଁ

ଏଥିସହିତ ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (AAP) ଓ ବାମପନ୍ଥୀ ଦଳଗୁଡ଼ିକ ଏହି ସ୍ଥିତିରୁ ରାଜନୈତିକ ଫାଇଦା ନେବାକୁ ଅପେକ୍ଷା କରି ରହିଛନ୍ତି। ଯେଉଁ ଦଳଗୁଡ଼ିକ ଦେଶରୁ ପ୍ରାୟ ଶେଷ ହେବାକୁ ବସିଲେଣି, ସେମାନଙ୍କୁ ଧରି ନବୀନ ଓଡ଼ିଶାରେ ରାଜନୀତି କରିବାକୁ ଚାହୁଁଛନ୍ତି, ଯାହା ତାଙ୍କ ହତାଶାର ଚରମ ଉଦାହରଣ। ନବୀନ ପଟ୍ଟନାୟକ ଏଭଳି ନିମ୍ନସ୍ତରର ରାଜନୀତି ବନ୍ଦ କରି ନିଜ ପୁରୁଣା ଶାସନ କାଳକୁ ମନେ ପକାଇବା ଦରକାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶ ପାଇଁ କାମ କରୁଥିବା ବେଳେ ନବୀନ ନିମ୍ନ ରାଜନୀତି କରୁଛନ୍ତି ବୋଲି ସେ ସମାଲୋଚନା କରିଛନ୍ତି।



Source link

Leave A Reply

Your email address will not be published.