ନୀତି ଆୟୋଗ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’, ଦେଶର ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ପ୍ରକାଶିତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI) ୨୦୨୬’ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଏହି ବଡ଼ ସଫଳତା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ, ସମସ୍ତ ସରକାରୀ ବିଭାଗ, ଶିଳ୍ପ ସହଯୋଗୀ, ଉଦ୍ୟୋଗୀ, ନିବେଶକ ଏବଂ ସରକାରୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୋଆ ସହିତ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇବା ଭାରତର ସବୁଠାରୁ ପ୍ରତିଯୋଗିତାମୂଳକ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଏହାର ଆବିର୍ଭାବକୁ ପୁନଃ ପ୍ରତିପାଦିତ କରିଛି।
ଏହି ସଫଳତାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ମାନ୍ୟତା ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶକ-ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାଦ୍ୱାରା ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଆମର ସଂକଳ୍ପ ଆହୁରି ସୁଦୃଢ଼ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡବଲ୍ ଇଞ୍ଜିନ୍ ସରକାର’ର ଶକ୍ତି ଓ ‘ବିକଶିତ ଭାରତ’ ପରିକଳ୍ପନା ଓଡ଼ିଶାର ଭିତ୍ତିଭୂମି, ଶିଳ୍ପାୟନ, ସଂଯୋଗୀକରଣ, ଲଜିଷ୍ଟିକ୍ସ ଓ ସାମଗ୍ରିକ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିଛି।
ସେହିପରି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଏହି ଜାତୀୟ ମାନ୍ୟତା ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ବିଶ୍ୱସ୍ତରୀୟ ନିବେଶ ପରିବେଶ ସୃଷ୍ଟି କରିବାରେ ‘ଟିମ୍ ଓଡ଼ିଶା’ର ସାମୂହିକ ଉଦ୍ୟମର ପରିଣାମ। ରାଜ୍ୟରେ ସମନ୍ୱିତ ଶିଳ୍ପ ପାର୍କ, ଲଜିଷ୍ଟିକ୍ସ କରିଡର, ଡିଜିଟାଲ୍ ଶାସନ ଓ ମଜବୁତ୍ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ମାଧ୍ୟମରେ ନୂଆ ନିବେଶ ଆକୃଷ୍ଟ ହେଉଛି। ଏହାଦ୍ୱାରା MSME ଓ ଷ୍ଟାର୍ଟଅପ୍ଗୁଡ଼ିକୁ ସହାୟତା ମିଳିବା ସହ ରାଜ୍ୟର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।
