Voice of Eastern India

WPL: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ମୁଖ୍ୟ କୋଚ୍‌ ଲୁକ୍ ୱିଲିୟମ୍ସ


ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗ୍ (WPL) ର ୨୦୨୭ ସଂସ୍କରଣ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍ ଭାବରେ ଲୁକ୍ ୱିଲିୟମ୍ସ (Luke Williams) ଙ୍କ ନାମ ଘୋଷଣା କରିଛି। ସେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଲିସା କେଟଲିଙ୍କ ସ୍ଥାନ ନେବେ, ଯିଏ ନିଜ ପଦବୀରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଏମ୍. ଅମ୍ବାନୀ, ଲୁକ୍ ୱିଲିୟମ୍ସଙ୍କୁ ଦଳକୁ ସ୍ୱାଗତ କରିବା ସହ ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱ ଏବଂ ଲୁକଙ୍କ ମାର୍ଗଦର୍ଶନରେ ଦଳ ଆଗାମୀ ଦିନରେ ନୂଆ ସଫଳତା ହାସଲ କରିବ ବୋଲି ଆଶା ପ୍ରକାଶ କରିଛନ୍ତି। 

ଏହାସହ ସେ ପୂର୍ବତନ କୋଚ୍ ଲିସାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଲୁକ୍ ୱିଲିୟମ୍ସ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଏକ ସଫଳ ଫ୍ରାଞ୍ଚାଇଜି ସହ ଯୋଡ଼ିହୋଇ କାମ କରିବା ପାଇଁ ବେଶ୍ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।   ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଭାରତରେ ଦୀର୍ଘ ୨୦ ବର୍ଷର କୋଚିଂ ଅଭିଜ୍ଞତା ରଖିଥିବା ଲୁକ୍ ୱିଲିୟମ୍ସ, ୨୦୨୫ରୁ ଇଂଲଣ୍ଡ ମହିଳା କ୍ରିକେଟ ଦଳର ସହକାରୀ କୋଚ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି। 

ଏହା ବ୍ୟତୀତ ସେ ଗ୍ରେଡ୍ କ୍ରିକେଟରେ ତିନିଥର (୨୦୦୫/୦୬, ୨୦୦୭/୦୮ ଏବଂ ୨୦୦୯/୧୦) ସମ୍ମାନଜନକ ‘ବ୍ରାଡ୍‌ମ୍ୟାନ୍ ମେଡାଲ୍’ ବିଜେତା ହୋଇସାରିଛନ୍ତି। ସୂଚନାଯୋଗ୍ୟ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ WPLର ପ୍ରଥମ ଚାରୋଟି ସଂସ୍କରଣ ମଧ୍ୟରୁ ଦୁଇଥର (୨୦୨୩ ଏବଂ ୨୦୨୫) ଚାମ୍ପିୟନ୍ ହୋଇସାରିଛି। ତେବେ ଗତ ସଂସ୍କରଣରେ ଦଳ ୩ଟି ବିଜୟ ଓ ୫ଟି ପରାଜୟ ସହ ଚତୁର୍ଥ ସ୍ଥାନରେ ରହି ପ୍ଲେ-ଅଫ୍‌ରୁ ବାଦ୍ ପଡ଼ିଥିଲା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ ହୋଇଥିଲା।  


 



Source link

Leave A Reply

Your email address will not be published.