Voice of Eastern India

ନେପାଳ ବନ୍ୟା : ୩୦୦୦ ଲୋକେ କୁଆଡେ ଗଲେ ? କେହି ବି ପାଉ ନାହାଁନ୍ତି ସେମାନଙ୍କୁ…


କାଠମାଣ୍ଡୁ, ୩୦/୦୮: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ଦିନ ବିତିଗଲାଣି। ଦିନ ଯେତିକି ଗଡ଼ୁଛି ମୃତ ଓ ନିଖୋଜ ଲୋକଙ୍କ ସଂଖ୍ୟା ସେତିକି ବଢ଼ି ଚାଲିଛି। ଶନିବାର ମୃତ୍ୟୁ ସଂଖ୍ୟା ୬୭୫କୁ ବୃଦ୍ଧି ପାଇଥିଲା ବେଳେ ନିଖୋଜଙ୍କ ସଂଖ୍ୟା ୨,୪୨୬ ହୋଇଛି। ସେଥିରେ ୫୧୭ ଜଣ ବିଦେଶୀ ନାଗରିକ ଅଛନ୍ତି। ସେହିଭଳି ତିବ୍ଦତରେ ବନ୍ୟା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୫୪ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ନେପାଳର ବିଭିନ୍ନ ସ୍ଥାନରେ ଫସି ରହିଥିବା ୧୮୭ ବିଦେଶୀ ନାଗରିକଙ୍କ ସମେତ ୪,୪୫୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

Also Read :- ବନ୍ୟାରେ ଭାସି ଆସିଲା ‘ବ୍ୟାଙ୍କ୍ ଲକର’, ତାଲା ଖୋଲି ଲକ୍ଷ ଲକ୍ଷ ଟଙ୍କା ନେଇଗଲେ ଗାଁ ଲୋକ !

ନେପାଳର ବିଦେଶ ମନ୍ତ୍ରୀ ଶିଶୁର ଖନଲ କହିଛନ୍ତି, ତଲାସୀ ଓ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମାଟି ଓ କାଦୁଅ ଭିତରେ ବଞ୍ଚିଥିବା ଜୀବନକୁ ଖୋଜି ବାହାର କରିବା ଲାଗି ପ୍ରାୟ ୧୫ ହଜାର ଯବାନ ଓ ୩ ହଜାରରୁ ଅଧିକ ଉଦ୍ଧାରକାରୀ ଲାଗିପଡ଼ିଛନ୍ତି। ମୃତ୍ୟୁ ଓ ନିଖୋଜଙ୍କ ସଂଖ୍ୟା ପ୍ରତିଦିନ ବଦଳୁଛି। ଦିନକୁ ଦିନ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତେଣୁ ଏହି ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ପ୍ରଦାନ କରାଯାଉଛି। ଆଗକୁ ଏହି ସଂଖ୍ୟାରେ ହୁଏତ ଆହୁରି ପରିବର୍ତନ ଘଟିପାରେ। ସେ କହିଛନ୍ତି, ଦିନ ଗଡ଼ୁଥିବା ବେଳେ କାଦୁଅ ଗଦା ଭିତରେ ଜୀବନ ବଞ୍ଚିଥିବାର ଆଶା ମଧ୍ଯ ଧିରେ ଧିରେ ମଉଳିବାରେ ଲାଗିଛି। ତଥାପି ଆମର ମୁଖ୍ୟ ଲକ୍ଷ୍ୟ ଜୀବନ ବଞ୍ଚାଇବା, ନିଖୋଜଙ୍କୁ ଠାବ କରିବା, ସେମାନଙ୍କୁ ଉଦ୍ଧାର କରିବା ଏବଂ ପ୍ରଭାବିତ ଲୋକମାନଙ୍କୁ ରିଲିଫ ଯୋଗାଇଦେବା।

ନେପାଳ ପାଣିପାଗ ବିଭାଗ ଆକସ୍ମିକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳ ପାଇଁ ପ୍ରବଳ ବର୍ଷା ଓ ବଜ୍ରପାତର ସତର୍କ ସୂଚନା ଜାରି କରିଛି। ଯାହାଫଳରେ ବର୍ଷା ହେଲେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ପୁଣି ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ସେପଟେ ଚୀନ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ ୨୬ ତାରିଖରେ ହିମହ୍ରଦ ବିସ୍ଫୋରଣ ଯୋଗୁ ଭୋଟେକୋଶୀ ଓ ତ୍ରିଶୁଳୀ ନଦୀର ସଂଯୋଗ ସ୍ଥଳର ଉପରି ଭାଗରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦର ପାଣି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଅର୍ଥାତ ସେହି ପାଣି ପୁଣି ଉଭୟ ନଦୀରେ ପ୍ରବାହିତ ହେବାରେ ଲାଗିଛି। ଫଳରେ ଭୋଟେକୋଶୀ ଓ ତ୍ରିଶୁଳୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପଗ୍ରହ ଚିତ୍ରରୁ ମଧ୍ଯ ସେହି କୃତ୍ରିମ ହ୍ରଦର ଜଳ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି। ତେଣୁ ଉଭୟ ନଦୀର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପୁଣିଥରେ ନେପାଳୀ କର୍ତ୍ତୃପକ୍ଷ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିଭଳି ରିଲିଫ ଓ ଉଦ୍ଧାର ଅଭିଯାନରେ ସାମିଲ ଯବାନଙ୍କ ସମେତ ସବୁ ସଂସ୍ଥାକୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଭାରତର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଚୀନ୍ ପଟରୁ ଉଦ୍ଧାର ହୋଇଥିବା ୧୨୦ ଜଣ ଭାରତୀୟ ସଡ଼କପଥ ଦେଇ କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେଠାରୁ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ନେପାଳ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ଫସିଥିବା ୮୮ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କୁ ମଧ୍ୟ ସ୍ବଦେଶ ଫେରାଇ ଅଣାଯିବା ଦିଗରେ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ ବନ୍ୟାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ୨୮୭ ଜଣ ଭାରତୀୟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏଥିସହ ଅନ୍ୟାନ୍ୟ ଦେଶରେ ରହୁଥିବା ୧୨୮ଜଣ ଭାରତୀୟ ଏହି ବନ୍ୟାରେ ନିଖୋଜ ଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ମୃତଦେହକୁ ଚିହ୍ନଟ କରିବା ନେପାଳ ସରକାରଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ତେଣୁ ନେପାଳ ସରକାରଙ୍କ ଅନୁରୋଧ କ୍ରମେ ଭାରତର ଏକ ୬ ଜଣିଆ ଫରେନସିକ ବିଶେଷଜ୍ଞ ଟିମ୍ ନେପାଳରେ ପହଞ୍ଚିଛନ୍ତି। ସେମାନେ ମୃତଦେହ ଚିହ୍ନଟରେ ସହଯୋଗ କରିବେ ବୋଲି ଜଣାପଡିଛି।

ସେହିଭଳି ନେପାଳର ବିଭିନ୍ନ ଟନେଲରେ ଏବେ ବି ୯୦୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି। ଭାରତର ଏକ ୧୧ ଜଣିଆ ମେଡିକାଲ ଓ ଟନେଲ ରେସ୍କୁ ଟିମ୍ ନେପାଳର ତ୍ରିଶୂଳୀ ଅଞ୍ଚଳରେ ପହଞ୍ଚିଛନ୍ତି। ତିବ୍ଦତ-ନେପାଳ ସୀମାର ରସୁୱା ଜିଲ୍ଲା ଅନ୍ତର୍ଗତ ତ୍ରିଶୁଳୀ ଠାରେ ଥିବା ତ୍ରିଶୁଳୀ-୩ଏ ଜଳବିଦ୍ୟୁତ ପ୍ରକଳ୍ପର ଏକ ଟନେଲ ଭିତରେ ଶତାଧିକ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ନେପାଳ ସେନା, ସଶସ୍ତ୍ର ବାହିନୀ ଓ ପୁଲିସର ଏକ ୮୨ ଜଣିଆ ଟିମ୍ ଶୁକ୍ରବାର ରାତିରୁ ଉଦ୍ୟମ ଚଳାଇଛନ୍ତି। ସେମାନେ ଟନେଲ ମୁହଁରେ ଗଦା ହୋଇଥିବା ମାଟି ଓ କାଦୁଅକୁ ସଫା କରିବାରେ ଲାଗିଛନ୍ତି। ଭାରତୀୟ ଟିମ୍ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବ। ଟନେଲ ଭିତରକୁ ଅମ୍ଳଜାନ ଛାଡ଼ିବା ଲାଗି ସେଠାରେ କଣା କରାଯାଉଛି । ସେହିଭଳି ତ୍ରିଶୁଳୀ-୩ବି ଟନେଲ ଭିତରେ ମଧ୍ଯ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଏକ ଟିମ୍ ଲାଗିଥିବା ବେଳେ ଚୀନର ଏକ ବିଶେଷଜ୍ଞ ଟିମ୍ ସେଠାରେ ପହଞ୍ଚିଥିବା ଜଣାପଡିଛି। 



Source link

Leave A Reply

Your email address will not be published.