କେନ୍ଦୁଝର ୨୩।୬: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ବଢୁଛି ମୃତ୍ୟୁ ସଂଖ୍ୟା । ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସବୁଠୁ ହୃଦୟ ବିଦାରକ । ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଓଡ଼ିଆ ଶ୍ରମିକ ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ କେନ୍ଦୁଝରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଜନୀଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ତାମିଲନାଡୁର ତିରୁଭଲ୍ଲୁର ଠାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଘଟିଥିଲା ଦୁର୍ଘଟଣା ।
ଏହି ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ । ଆହତ ଓଡ଼ିଆ ଶ୍ରମିକ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ଶ୍ରମିକ ମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ।
Also Read:- ଶୋଇବା ଘରେ ବିଷଧର ସାପ ସାଲୁବାଲୁ, ମାଟି ଚଟାଣ ତଳେ ଲୁଚି ରହିଥିଲା, ସତର୍କ କରାଇଲେ ସାପ ଧରାଳି
ରବିବାର ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଯେପରି ଓଡ଼ିଆ ଶ୍ରମିକ ମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରିବ ଏବଂ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳିପାରିବ, ସେ ବିଷୟରେ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁରେ ପହଞ୍ଚି ତାମିଲନାଡୁ ଅଧିକାରୀ ମାନଙ୍କ ସହିତ ସମନ୍ୱୟ ରକ୍ଷାକରି ଆହତ ଶ୍ରମିକ ମାନଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସହାୟତା ଜାରି ରଖିଛନ୍ତି ।
