Voice of Eastern India

ଦୁର୍ବଳ ଶିକ୍ଷା ବ୍ୟବସ୍ଥା ଯୁବପିଢ଼ିକୁ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି: ଖାନ ସାର୍


ନୂଆଦିଲ୍ଲୀ: “ଯଦି ଆପଣ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ତେବେ ଯୁବ ପିଢ଼ିକୁ ହିଁ କ୍ଷମତା ଦିଅନ୍ତୁ, ଏବଂ ଦେଖନ୍ତୁ ଏହି କ୍ଷେତ୍ରରେ କିଭଳି ପରିବର୍ତ୍ତନ ହେଉଛି। ଇତିହାସରେ ବଡ଼ ବଡ଼ ପରିବର୍ତ୍ତନଗୁଡ଼ିକ ପ୍ରାୟତଃ ସେତେବେଳେ ହୋଇଛି, ଯେତେବେଳେ ଯୁବପିଢ଼ି ସଂଘର୍ଷରେ ସାମିଲ ହୋଇଛନ୍ତି, ବୟସ୍କମାନେ ସେମାନଙ୍କ ସ୍ଥାନ ବଞ୍ଚାଇବା ଲଢ଼ିବା ଦ୍ୱାରା ପରିବର୍ତ୍ତନ ଆସି ନାହିଁ।“ ଜାତୀୟ ଗଣମାଧ୍ୟମ ଦ ଲଲନ ଟପକୁ ସାକ୍ଷାତ୍କାର ଦେଇ ଏଭଳି କହିଛନ୍ତି ସିକ୍ଷାବିତ ତଥା ସମାଜସେବୀ ଖାନ ସାର।

ନୀଟ ଭଳି ଦେଶରେ ହେଉଥିବା ଛାତ୍ର ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି ଖାନ ସାର କହିଛନ୍ତି ଯେ ଯଦି ଉପଯୁକ୍ତ ବ୍ୟବସ୍ଥା ଥିବ, ଉନ୍ନତମାନର ଶିକ୍ଷା ଓ ସଠିକ ପରିବେଶ ଉପଲବ୍ଧ ଥିବ, ତେବେ କୌଣସି ଯୁବକଙ୍କୁ ସ୍ୱର ଉତ୍ତୋଳନ କରିବାକୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ନାହିଁ। ତେବେ ଦେଶରେ ସରକରାଗୁଡ଼ିକର ବାରମ୍ବାର ବିଫଳତା ଯୋଗୁ ଯୁବପିଢ଼ି ନିରାଶ ଓ ନିଃସହାୟ ହୋଇପଡ଼ିଛନ୍ତି ବୋଲି ଖାନ ସାର କହିଛନ୍ତି।

ନାଶା ଠାରୁ ଆମେରିକା, ଶିକ୍ଷା ଉପରେ ଗୁରୁତ୍ୱ

ଏହି ଆଲୋଚନାରେ ସେ ଶିକ୍ଷା, କୃତ୍ରିମ ବୁଦ୍ଧିମତ୍ତା (AI), ବେକାରୀ, ଦାରିଦ୍ର୍ୟ, ଦକ୍ଷତା ଏବଂ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଖାନ ସାର କହିଛନ୍ତି ଦେଶର ପ୍ରାଥମିକତା ସାଧାରଣ ପରିବାରଗୁଡ଼ିକର ମୌଳିକ ଆବଶ୍ୟକତା ଠାରୁ ଆରମ୍ଭ ହେବା ଉଚିତ୍। ଜଣେ ପିଲା ଭଲ ବିଦ୍ୟାଳୟରେ ପଢ଼ିବାକୁ ସକ୍ଷମ ହେବା ଉଚିତ୍, ଗୋଟେ ପରିବାର ପୁଷ୍ଟିକର ଖାଦ୍ୟ କିଣିବାକୁ ସମର୍ଥ ହେବା ଉଚିତ୍ ଏବଂ ଲୋକମାନେ ନିଜର ସଞ୍ଚିତ ଅର୍ଥ ନ ହରାଇ ଚିକିତ୍ସା ସୁବିଧା ପାଇବାକୁ ସକ୍ଷମ ହେବା ଉଚିତ୍ ବୋଲି ଖାନ୍ ସାର କହିଛନ୍ତି।

Also Read- ଭାରତକୁ ଛୁଟିଲା ବିଦେଶୀ ନିବେଶ: ପୁରୁଣା ରେକର୍ଡ ଭାଙ୍ଗିଲା ନଭେମ୍ବର ଏଫ୍‌ପିଆଇ, ଡଲାର ତୁଳନାରେ ଟଙ୍କା ମଜଭୁତ

ସରକାର ଉଦ୍ଦେଶ୍ୟରେ ଖାନ ସାର କହିଛନ୍ତି ଆଗ ବଢ଼ନ୍ତୁ ଦେଶ ଚଲାନ୍ତୁ, ନାସା ସହ ପ୍ରତିଯୋଗିତା କରନ୍ତୁ, ଆମେରିକା ଟପନ୍ତୁ, ଦୁବାଇକୁ ପଛରେ ପକାଇବାକୁ ଚେଷ୍ଟା କରନ୍ତୁ। କେହି ତୁମକୁ ରୋକିପାରିବେ ନାହିଁ। କିନ୍ତୁ ପ୍ରଥମେ ଏହା ନିଶ୍ଚିତ ହେବା ଦରକାର ଯେ ଦେଶର ସାଧାରଣ ଲୋକଟେ ନିତିଦିନିଆ ଜୀବନ ପାଇଁ ସଂଘର୍ଷ ନକରିବା ଦରକାର। ତେବେ ଖାନ ସାରଙ୍କ ପାଇଁ ଶିକ୍ଷା ହେଉଛି ସବୁର ମୂଳ। ଏନେଇ ସେ ପ୍ରଶ୍ନ କରିଛନ୍ତି ଯେ ଆଜି ଦେଶରେ କାହିଁକି ଉନ୍ନତମାନର ଶିକ୍ଷା ଏତେ ମହଙ୍ଗା ହୋଇଯାଇଛି। କାହିଁକି ଗୋଟେ ସାଧାରଣ ପରିବାର ତା ପିଲାକୁ ଉନ୍ନତମାନର ଶିକ୍ଷା ଦେବାକୁ ଏତେ ସଂଘର୍ଷ କରୁଛି।

ଖାନ ସାର କହିଛନ୍ତି “ସବୁଦିନ ସକାଳେ ବାପାମା ପିଲାଙ୍କୁ ସ୍କୁଲ ପଠାଉଛନ୍ତି। ହେଲେ ଆଜି ଭଲ ସ୍କୁଲରେ ପାଠ ପଢିବା ମହଙ୍ଗା ହୋଇଯାଇଛି। ଗରିବ ପାଇଁ ଉନ୍ନତମାନର ଶିକ୍ଷା ପାଇବା ଦୂରୁହ ବ୍ୟାପାର ହୋଇଯାଇଛି। ପ୍ରଥମେ ଶିକ୍ଷା ବ୍ୟବସ୍ଥାକୁ ସୁଧାରନ୍ତୁ।”

ଦେଶରେ ବର୍ତ୍ତମାନ ଦୁଇଟି ଜାତି- ଗରିବ ଓ ଧନୀ

ଦାରିଦ୍ର୍ୟତାକୁ ସେ ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି। କାରଣ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ସମସ୍ତଙ୍କ ପାଖରେ ସମାନ ଭାବରେ ନ ପହଞ୍ଚିବା ଦେଶ ଧନୀ ଓ ଗରିବ ଦୁଇଟି ଜାତି ମଧ୍ୟରେ ଭାଗ ହୋଇଛି ବୋଲି ଦେଖାଯାଉଛି। ଡାକ୍ତରୀ ପାଠ ଆଜି ଏତେ ମହଙ୍ଗା ହୋଇଯାଇଛି ଯେ ଗରିବ ଲୋକର ପିଲାକୁ ଡାକ୍ତର କରିବା ପାଇଁ ଚାଷରୁ ଆୟ କରିଥିବା ସାରା ଜୀବନ ପାରିଶ୍ରମିକ ଖର୍ଚ୍ଚ କରିଦେଉଛି।

ତେଣୁ ଲୋକମାନେ ଯେମିତି ଖାଦ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇବାକୁ ସକ୍ଷମ ହେବେ, ଦେଶକୁ ପ୍ରଥମେ ତାହା ସୁନିଶ୍ଚିତ କରିବାକୁ ହେବ। ଦାରିଦ୍ର୍ୟ ଦୂର ହେଲେ ବିଚାରଧାରା ଏବଂ ଶିକ୍ଷାକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଇପାରିବ ବୋଲି ସେ କହିଛନ୍ତି।



Source link

Leave A Reply

Your email address will not be published.