Voice of Eastern India

Show-cause notice: ଅବସର ପରେ ବି ପିଛା ଛାଡ଼ିଲାନି ମାମଲା, ପୂର୍ବତନ DGP ଓ୍ବାଇ.ବି. ଖୁରାନିଆଙ୍କୁ ହାଇକୋର୍ଟଙ୍କ ନୋଟିସ୍


କଟକ ୨୭।୮: ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ କାରଣ ଦର୍ଶଆ ନୋଟିସ୍ ଜାରି କଲେ ହାଇକୋର୍ଟ। ତାଙ୍କ ବିରୁଦ୍ଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ ନହେବ, ସେନେଇ କୈଫତ ଲୋଡିଛନ୍ତି କୋର୍ଟ । ବାରମ୍ବାର ସୁଯୋଗ ସ‌ତ୍ତ୍ବେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନକରିବା ଏବଂ ମାମଲା ସମ୍ପର୍କିତ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବା ଅଭି‌ଯୋଗକୁ ହାଇକୋର୍ଟ ଗରୁତ୍ୱର ସହ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି । 

୨୦୨୫, ସେପ୍ଟେମ୍ବର ୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶକୁ ଖୁରାନିଆ ଜାଣିଶୁଣି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ, ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ଖୁରାନିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଯୋଗେଶ ବାହାଦୂର ଖୁରାନିଆ ଅବସର ନେଇ ସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରିବେ । କାରଣ ଦର୍ଶାଅ ନୋଟିସ୍ ପାଇବାର ୭ ଦିନ ଭିତରେ ପୂର୍ବତନ ଡିଜିପି ଜବାବ ରଖିବେ ବୋଲି ହାଇକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଛନ୍ତି ।

ଚାକିରିରୁ ଛଟେଇ ହୋଇଥିବା ସାଗରିକା ପରିଡା ନାମକ ମହିଳା ପୋଲିସ ଅଫିସରଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ପଦକ୍ଷେପ ନେଇଛନ୍ତି । ସାଗରିକାଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଗତବର୍ଷ ସେପ୍ଟେମ୍ବର ମାସରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ, ପୂର୍ବତନ ଡିଜିପି ୱାଇ. ବି. ଖୁରାନିଆ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ, ତାହା ପୁଣି ସତ୍ୟପାଠ ଜରିଆରେ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି ।

Also Read:- ମା’ ଖମ୍ବେଶ୍ୱରୀ ବଞ୍ଚାଇଦେଲେ.. ନେପାଳ ବନ୍ୟାରୁ ପୁଅ ଫେରିବା ପରେ ଭାବବିହ୍ୱଳ ବାପା

ତେବେ ଖୁରାନିଆ ଗତ ୧୬ ତାରିଖରେ DGP ପଦରୁ ଅବସର ନେଇ ସାରିଛନ୍ତି । ତାହା ସତ୍ତ୍ବେ ବି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଚାକିରିରେ ପୁନଃସ୍ଥାପିତ ସଂପର୍କିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଥିରେ ଅବହେଳା ହୁଏ ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ସେପ୍ଟେମ୍ବର ୨୮ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି ।

Watch Video:



Source link

Leave A Reply

Your email address will not be published.