ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଇମେଲ୍ ଆଇଡି ତିଆରି କରି ବିଦେଶର ଅସାମାଜିକ ତତ୍ତ୍ବଙ୍କୁ ବିକ୍ରି କରୁଥିଲା କାନପୁରର ୨୪ ବର୍ଷୀୟ ଯୁବକ । ଏନେଇ ଜଣାପଡ଼ିବା ପରେ, ଉତ୍ତର ପ୍ରଦେଶ ଏଟିଏସ୍ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ଏହି ସବୁ ଇମେଲ୍ ଆଇଡିଗୁଡ଼ିକୁ ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶର ଅପରାଧୀଙ୍କୁ ଦେଉଥିଲା । ତେବେ ଏହି ସବୁ ଇମେଲ୍ ଆଇଡିରୁ ଭାରତର ବିଭିନ୍ନ ଅନୁଷ୍ଠାନକୁ ଧମକପୂର୍ଣ୍ଣ ମେଲ୍ ଆସୁଥିଲା ।
ଇମେଲ୍ଗୁଡ଼ିକୁ ନୋଏଡା, ଦିଲ୍ଲୀ-ଏନସିଆର, ଗୁରୁଗ୍ରାମ ଏବଂ ମୁମ୍ବାଇର ପ୍ରସିଦ୍ଧ ସ୍କୁଲ୍, ସରକାରୀ ସଂସ୍ଥା ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବୋମା ଆକ୍ରମଣର ଧମକପୂର୍ଣ୍ଣ ମେଲ୍ ପଠାଇବାରେ ବ୍ୟବହାର କରାଯାଉଥିଲା। ଗିରଫ ହୋଇଥିବା ଯୁବକ ଅଙ୍କିତ ଶଙ୍ଖୱାର୍ ଏବଂ ସେ କାନପୁରର ଘାଟମପୁର ଅଞ୍ଚଳର ବାସିନ୍ଦା । ଏଟିଏସ୍ ତା ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରିଛି। ଲାପଟପ୍ରେ ଥିବା ଏକ୍ସେଲ୍ ଫାଇଲ୍ଗୁଡ଼ିକରୁ ପ୍ରାୟ ୫ ଲକ୍ଷ ଇମେଲ୍ ଆଇଡିର ତାଲିକା ମିଳିଛି।
ଗତ ଅକ୍ଟୋବର ୨୩ ତାରିଖରେ ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟକୁ ବୋମା ଧମକ ପଠାଇବାରେ ବ୍ୟବହୃତ ହୋଇଥିବା ଇମେଲ୍ ଆଇଡିମଧ୍ୟ ଏହି ଲାପଟପ୍ରୁ ମିଳିଛି । ଏହି ମେଲ୍ ଆଇଡିଗୁଡ଼ିକ ଜରିଆରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ ଦିଲ୍ଲୀ-ଏନସିଆର କନସର୍ଟ ଏବଂ ଜଣେ ବଲିଉଡ ଅଭିନେତାଙ୍କ ବାସଭବନକୁ ମଧ୍ୟ ବୋମା ମାଡ଼ ନେଇ ଧମକ ଦିଆଯାଇଥିଲା। ଅଙ୍କିତ ୨୦୨୧ ମସିହାରୁ ଏହି ବେଆଇନ୍ କାର୍ଯ୍ୟ କରିଆସୁଥିଲା । ନିଜର ପରିଚୟ ଲୁଚାଇବା ପାଇଁ ସେ Wi-Fi ଏବଂ ପ୍ରକ୍ସି ନେଟୱାର୍କର ସାହାରା ନେଉଥିଲା ।
ପୁଲିସର ଜେରା ସମୟରେ ପାକିସ୍ତାନ, ବାଂଲାଦେଶ, ତୁର୍କୀ ଏବଂ ଇଜିପ୍ଟ ଭଳି ଦେଶର ସନ୍ଦିଗ୍ଧ ବ୍ୟକ୍ତି ଓ ସଂଗଠନ ସହ ତାର ସମ୍ପର୍କ ଥିବା କଥା ସାମ୍ନାକୁ ଆସିଛି। ଏହି କାରବାର ବାବଦକୁ ସେ କ୍ରିପ୍ଟୋ କରେନ୍ସି ଜରିଆରେ ଟଙ୍କା ନେଉଥିଲା । ATS ସୂଚନା ଅନୁସାରେ, ଅଙ୍କିତ ଫେସବୁକ୍ ଓ ହ୍ୱାଟସଆପ୍ ମାଧ୍ୟମରେ ଆଲାମିନ୍ ଇସଲାମ୍ ନାମକ ଜଣେ ବାଂଲାଦେଶୀ ନାଗରିକଙ୍କ ସମ୍ପର୍କରେ ଆସିଥିଲା । ଆଲାମିନ୍ ତାକୁ ଇମେଲ୍ ଆଇଡି ଯୋଗାଇବା ବାବଦକୁ ୬,୦୦୦ ଡଲାରର କ୍ରିପ୍ଟୋ କରେନ୍ସି ପଠାଇଥିଲା । ତେବେ ଭାରତର ବିଭିନ୍ନ ଅନୁଷ୍ଠାନକୁ ମିଳିଥିବା ବୋମା ଧମକ ଏହି ଭଳି ନକଲି ଇମେଲ୍ ଆଇଡରୁ ଆସିଥିଲା ବୋଲି ଅନୁମାନ କରାଯାଉଛି ।
