ନୂଆଦିଲ୍ଲୀ: ଚୀନ ଗୁଇନ୍ଦା ଚାଲରେ ଫସିଲେ ବିଶ୍ୱର ସବୁଠାରୁ ବଡ଼ ଏଆଇ ଚିପ୍ କମ୍ପାନୀ ଏନଭିଡିଆ(Nvidia) ସିଇଓ ଜେନସେନ୍ ହୁଆଙ୍ଗ। ସେ ଚୀନ ଗୁପ୍ତଚର ମହିଳାଙ୍କ ସହ ନିକଟରୁ ଆଲୋଚନା କରିଥିବା କଥା ସାମ୍ନାକୁ ଆସିଛି। ଘଟଣା ପ୍ରଘଟ ହେବା ପରେ ଆମେରିକା ଗୁଇନ୍ଦା ସଂସ୍ଥା ସତର୍କ ହୋଇ ଯାଇଛି।
ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିଙ୍ଗାପୁର କମ୍ପାନୀ ମେଗାସ୍ପିଡର ପୂର୍ବତନ ମହିଳା ଅଧିକାରୀ ଏଲିସ ହୁଆଙ୍ଗ ଚୀନର ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିଲେ। ଆଉ ଏନ୍ଭିଡିଆ ସିଇଓ ତାଙ୍କ ସହିତ ଅତି ବ୍ୟକ୍ତିଗତ ଭାବରେ ଆଲୋଚନା କରିଛନ୍ତି। ଏଥିରେ ଆମେରିକାର ସବୁଠାରୁ ଆଡଭାନ୍ସ ଏଆଇ ଟେକନିକ ଓ ଏଆଇକୁ ନେଇ ଟ୍ରମ୍ପ ସରକାରର ଯୋଜନା ଲିକ୍ ହୋଇଥାଇପାରେ ବୋଲି ଆମେରିକା ଗୁନ୍ଦା ସଂସ୍ଥା ଅନୁମାନ କରିଛି।
କେମିତି ନିକଟତର ହେଲେ ଜେନସେନ୍ ଓ ଏଲିସ ?
ଜୁନ ୨୦୨୪ରେ ତାଇୱାନର ତାଇୱେ ସହରେ ଏକ ଟେକ୍ ଶୋରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପରେ ୨୦୨୫ ମେ ମାସରେ ଦୁହେଁ ଏଆଇ ସପ୍ଲାୟର୍ସମାନଙ୍କ ସହ ଖିଆପିଆ କରିବା ପରେ ଦୁହେଁ ରେଷ୍ଟୁରାଣ୍ଟରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା।
ସେପଟେ ଆମେରିକା ଏଜେନ୍ସି ଏଲିସ ହୁଆଙ୍ଗର ଫୋନ ଓ ମେସେଜକୁ ନେଇ ସନ୍ଦେହରେ ଥିଲା। ଯେବେ ଏହାର ଯାଞ୍ଚ କରାଯାଇଥିଲା, ସେଥିରେ ଏକ ବଡ଼ ଆମେରିକା ନାଗରିକଙ୍କ ସହ ତାଙ୍କର ଆଲୋଚନା ହେବା ନେଇ ଜଣାପଡ଼ିଥିଲା। ଏ ଦିଗରେ ଆଇନଗତ ତଦନ୍ତ ପରେ ସେହି ବ୍ୟକ୍ତି ଜଣଙ୍କ ଏନ୍ଭିଡିଆ ସିଇଓ ଜେନେସନ ହୁଆଙ୍ଗ ବୋଲି ଜଣାପଡ଼ିଥିଲା।
୪୫.୬୯ ହଜାର କୋଟି ଟଙ୍କାର ଚିପ୍ସ ଚୋରାଚାଲଣ ସନ୍ଦେହ
ଆମେରିକା ସରକାରୀ କମ୍ପାନୀଗୁଡ଼ିକ ମାଲେସିଆ କମ୍ପାନୀ ମେଗାସ୍ପିଡ୍ ଓ ସହିତ ଜଡ଼ିତ କମ୍ପାନୀଗୁଡ଼ିକ ଦୁର୍ନୀତି କରିଥିବା ସନ୍ଦେହ କରୁଛନ୍ତି। ୨୦୨୪ରେ ଆମେରିକା ଅଧିକାରୀମାନେ ଯେତେବେଳେ ମାଲେସିଆ କମ୍ପାନୀ ମେଗାସ୍ପିଡର ଡାଟା ସେଣ୍ଟରକୁ ଚେକ୍ କରିଥିଲେ ସେତେବେଳେ ଏନ୍ଭିଡିଆ ଚିପ୍ସର ଡବା ବନ୍ଦ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଫଳରେ ଏନ୍ଭିଡିଆ ଚିପ୍ସକୁ ସେଠାରେ ବ୍ୟବହାର ନ କରି ଚୀନ ପଠାଯାଉଛି ବୋଲି ସନ୍ଦେହ ଉପୁଜିଥିଲା।
Also Read- ଶେଖ୍ ହସିନା ଗାଦିଚ୍ୟୁତ ହେବା ପୂର୍ବରୁ ହିଁ ପ୍ରସ୍ତୁତ ଥିଲା ପ୍ଲାନ୍ ! ୟୁନୁସ୍ଙ୍କ ପୂର୍ବତନ ସହଯୋଗୀ କଲେ ବଡ଼ ଖୁଲାସା
୨୦୨୪ ଜୁନରୁ ୨୦୨୬ ଫେବ୍ରୁଆରୀ ମଧ୍ୟରେ ମାଲେସିଆ କମ୍ପାନୀ ପାଖାପାଖି ୪.୮ ଆରବ ଡଲାର ଅର୍ଥାତ ୪୫. ୬୯ ହଜାର କୋଟି ଟଙ୍କାର ଆଡଭାନ୍ସ ଏନ୍ଭିଡିଆ ଚିପ୍ସ କିଣିଥିଲା। ମେଗାସ୍ପିଡ୍ ଏନ୍ଭିଡିଆରୁ ମହଙ୍ଗା ଚିପ୍ସ କିଣି ଅଲିବାବା ଭଳି ଚୀନ କମ୍ପାନୀକୁ ଭଡ଼ାରେ ଦେଉଛି। ଏଥିରେ ଚୀନ ଉପରେ ଲାଗିଥିବା ଆମେରିକା କଟକଣାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ବୋଲି ଆମେରକା କମ୍ପାନୀଗୁଡ଼ିତ ଅଭିଯୋଗ କରିଛନ୍ତି।
ବର୍ଷେ ପୂର୍ବରୁ ଟ୍ରମ୍ପଙ୍କୁ ଦିଆଯାଇଥିଲା ସୂଚନା, ଆକ୍ସନ ନେଲେନି ରାଷ୍ଟ୍ରପତି
ରିପୋର୍ଟ ଅନୁସାରେ, ବର୍ଷକ ପୂର୍ବରୁ ହିଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଯାସୁସୀ ଓ ଚୀନର ସର୍ଭିଲାନ୍ସ ବିଷୟରେ ସୂଚନା ଦିଆଯାଇଥିଲା। ହେଲେ ଟ୍ରମ୍ପ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। କାରଣ ସେ ଏନ୍ଭିଡିଆ ଚିପ୍ ବିକ୍ରି ଉପରେ ରୋକ ଲଗାଇ ଆମେରିକା ଅର୍ଥନୀତିକୁ କ୍ଷତି ପହଞ୍ଚାଇବାକୁ ଚାହୁଁ ନଥିଲେ।
ସେପଟେ ଘଟଣାକୁ ନେଇ ଏନ୍ଭିଡିଆ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜେନସେନ୍ ହୁଆଙ୍ଗ ଏବଂ ଆଲିସ୍ ହୁଆଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଏକ ନିୟମିତ କ୍ଲାଏଣ୍ଟ ସାକ୍ଷାତ ଥିଲା। ଜଣେ ସିଇଓ ଭାବରେ, ସେ ପ୍ରତିବର୍ଷ ବିଶ୍ୱର ହଜାର ହଜାର କାର୍ଯ୍ୟନିର୍ବାହୀଙ୍କୁ ଭେଟନ୍ତି। ତେଣୁ ଏଥିରେ କୌଣସି ଆମେରିକୀୟ ଡାଟା ଲିକ୍ ହୋଇ ନାହିଁ ବୋଲି ଏନଭିଡିଆର ମୁଖପାତ୍ର ଜନ୍ ରିଜୋ କହିଛନ୍ତି। କମ୍ପାନୀ କହିଛି ଯେ ମେଗାସ୍ପିଡ୍ ଭଳି କମ୍ପାନୀକୁ କେବଳ ବ୍ୟବସାୟ ସମ୍ପର୍କିତ ସୂଚନା ଦିଆଯାଇଥାଏ। ଏଥିରେ କୌଣସି ଟେକ୍ନୋଲୋଜୀ କିମ୍ବା ଦେଶ ସୁରକ୍ଷା ସହ ଜଡ଼ିତ କୌଣସି ସୂଚନା ଦିଆଯାଇ ନଥାଏ ବୋଲି କମ୍ପାନୀ କହିଛି।
