IND vs ENG: ୫୧ ବର୍ଷ ପରେ ପୁଣି ଥରେ ଇଣ୍ଡିଆ ବିରୁଦ୍ଧରେ ରନ୍ର ପାହାଡ, ୪୮ ବାଉଣ୍ଡ୍ରି ମାରି ଇତିହାସ ରଚିଲା ଇଂଲଣ୍ଡ
ନୂଆଦିଲ୍ଲୀ: ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ସତରେ ଇତିହାସ ରଚିଛି । କେବଳ ଫରକ୍ ଏତିକି, ଯାହା କିଛି ଘଟିଲା ତାହା ଆଶାର ବିପରୀତ ରହିଥିଲା । ଆଉ ଭବିଷ୍ୟତରେ ଏହି ମ୍ୟାଚ୍ ବିଷୟରେ ଯେବେ ଆଲୋଚନା କରାଯିବ ଇଂଲଣ୍ଡର ରେକର୍ଡ କଥା କୁହାଯିବା ବେଳେ ଭାରତର ବିରୁଦ୍ଧରେ ତାହା ସବୁ ଥିଲା ବୋଲି ମଧ୍ୟ କୁହାଯିବ । ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚରେ ଭାରତୀୟ ବୋଲର ଏମିତି ନିର୍ଧୁମ ମାଡ଼ ହେଲା ଯେ ଲର୍ଡସ୍ ମୈଦାନରେ ସବୁଠାରୁ ବଡ଼ ସ୍କୋର ଠିଆ ହୋଇଗଲା । ବେନ୍ ଡକେଟଙ୍କ ଶତକ ଓ ଅନ୍ୟ ବ୍ୟାଟରଙ୍କ ବିସ୍ଫୋରକ ଇନିଂସ ବଳରେ ଇଂଲଣ୍ଡ ୩ ୱିକେଟ୍ ହରାଇ ୩୮୭ ରନ୍ ସ୍କୋର ଛାଡ଼ି କରିଛି ।
ରେକର୍ଡ ଭାଙ୍ଗିଲା ଇଂଲଣ୍ଡ
- ଆଜିର ମ୍ୟାଚରେ ବୁମରାଙ୍କ ଅନୁପସ୍ଥିତି ସ୍ପଷ୍ଟ ଅନୁଭବ ହେଉଥିଲା । ବେନ୍ ଡକେଟ ଏବଂ ଜାକବ୍ ବେଥେଲଙ୍କ ପ୍ରାରମ୍ଭିକ ଯୋଡ଼ି ଇନିଂସ ଆରମ୍ଭ କରି ୩୦.୧ ଓଭରରେ ପ୍ରଥମ ୱିକେଟ୍ ପାଇଁ ୧୯୨ ରନ୍ ଯୋଡ଼ିଥିଲେ । ଏହା ଲର୍ଡସରେ ଦିନିକିଆରେ ସବୁଠାରୁ ବଡ଼ ଓପନିଂ ପାର୍ଟନରଶିପ୍ ।
- ବେଥେଲ୍ ଏବଂ ଡକେଟଙ୍କ ମଧ୍ୟରେ ଏହି ୧୯୨ ରନର ଭଗିଦାରୀ ଭାରତ ବିପକ୍ଷରେ ଇଂଲଣ୍ଡର ଦିନିକିଆରେ ଯେକୌଣସି ୱିକେଟ୍ ପାଇଁ ସବୁଠାରୁ ବଡ଼ ପାର୍ଟନରଶିପ୍ ।
- ବେଥେଲ୍ ୯୧ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ବେନ୍ ଡକେଟ ୧୪୧ ରନ୍ କରି ଏକ ଚମତ୍କାର ଶତକ ହାସଲ କରିଥିଲେ । ଏହା ଲର୍ଡସରେ ଯେକୌଣସି ବ୍ୟାଟରଙ୍କ ଦ୍ୱାରା ସର୍ବାଧିକ ଏକଦିବସୀୟ ସ୍କୋର ।
- ଇଂଲଣ୍ଡ ୫୦ ଓଭରରେ ୩ ୱିକେଟ୍ ହରାଇ ୩୮୭ ରନ୍ କରିଥିଲା, ଯାହା ଲର୍ଡସ୍ରେ ସର୍ବାଧିକ ଏକଦିବସୀୟ ସ୍କୋର । ପୂର୍ବରୁ, ଏହି ରେକର୍ଡ ଇଂଲଣ୍ଡର ନାଁରେ ହିଁ ଥିଲା । ୫୧ ବର୍ଷ ପୂର୍ବରୁ ୧୯୭୫ ମସିହାରେ ଭାରତ ବିପକ୍ଷରେ ୩୩୪ ରନ୍ କରିଥିଲା ।
- ଆଜି ମ୍ୟାଚରେ ଇଂଲଣ୍ଡର ବ୍ୟାଟର ମୋଟ ୪୮ଟି ବାଉଣ୍ଡ୍ରି ମାରିଥିଲେ, ଯେଉଁଥିରେ ୪୨ଟି ଚୌକା ଏବଂ ୬ଟି ଛକା ରହିଛି ।
- ଜୋ ରୁଟ୍ ୭୪ ରନ୍ କରି ଅପରାଜିତ ରହିଛନ୍ତି । ସେ ପୂରା ସିରିଜରେ ୨୪୯ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଏହା କୌଣସି ଦିନିକିଆ ସିରିଜରେ ଆଉଟ୍ ନ ହୋଇ ସର୍ବାଧିକ ରନ୍ କରିବାର ନୂତନ ରେକର୍ଡ ।
