Voice of Eastern India

Human-elephant conflict: ଜଙ୍ଗଲରେ ଆଉ ଲାଗୁନି କି ହାତୀଙ୍କ ମନ , କ’ଣ ହୋଇପାରେ କାରଣ ?


କେନ୍ଦୁଝର : ଜଙ୍ଗଲରେ ଆଉ ଲାଗୁନି କି ହାତୀଙ୍କ ମନ । ଗହନ ବନ ନୁହେଁ ଗାଁ ଦାଣ୍ଡ ଆସୁଛି କି ପସନ୍ଦ । ବଣରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ପାଣି ଉପଲବ୍ଧ ଥିଲେ ମଧ୍ୟ ଗାଁର ଧାନ, ବିଭିନ୍ନ ପ୍ରକାର ଫସଲ, ସୁସ୍ୱାଦୁ ଫଳ ଓ ପନିପରିବା ହାତୀଙ୍କୁ କରୁଛି କି ଅଧିକ ଆକର୍ଷିତ। କାରଣ ହାତୀଙ୍କ ବ୍ୟବହାରରେ ଦେଖାଦେଇଛି ବଡ଼ ପରିବର୍ତ୍ତନ । ବନବିଭାଗ ପକ୍ଷରୁ ୨୬ଟିକିଆ ଏକ ହାତୀପଲ ଉପରେ କରାଯାଇଥିବା ଅଧ୍ୟୟନରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ଚିତ୍ର । ଆଉ ଏହା ପଛର କାରଣ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ । ବିନା ପରିଶ୍ରମରେ ସହଜରେ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଉପଲବ୍ଧତା ହାତୀଙ୍କୁ ଗାଁ ମୁହାଁ କରାଉଛି ।

ହାତୀ-ମଣିଷ ଲଢେଇ… ବର୍ଷ ବର୍ଷ ଧରି ଚାଲିଛି … ଥମୁନି କି ଥମିବାର ନାଁ ଧରୁନାହିଁ । ଖାଦ୍ୟର ସନ୍ଧାନରେ ବାରମ୍ବାର ଗାଁମୁହାଁ ହେଉଛନ୍ତି ବଣୁଆ ହାତୀ ପଲ । ଧାନ, ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ପକାଉଛନ୍ତି । କିନ୍ତୁ ହାତୀ ଗାଁକୁ ଆସିଲେ ବଢ଼ିଯାଉଛି ଆଉ ଏକ ବିପଦ । ରିଲ୍ସ ଓ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ନିଶାରେ କିଛି ଯୁବକ ହାତୀଙ୍କୁ ଉତ୍ତେଜିତ କରୁଛନ୍ତି । କେହି ହାତୀର ଲାଙ୍ଗୁଡ଼ ଟାଣୁଛନ୍ତି… କେହି ଦାନ୍ତ ଧରି ସେଲ୍ଫି ନେଉଛନ୍ତି… ଆଉ କେହି ହାତୀ ଶୋଇଥିବା ବେଳେ ଟେକାପଥର ମାରିବା ସହ ବାଡ଼ିରେ ବାଡେଇ ହଇରାଣ କରୁଛନ୍ତି । ଏହି ଉତ୍ତେଜନାର ପ୍ରଭାବ ଏବେ ଦେଖିବାକୁ ମିଳୁଛି ହାତୀଙ୍କ ବ୍ୟବହାରରେ । ଗତ ୧୫ ଦିନ ମଧ୍ୟରେ କେନ୍ଦୁଝରରେ ହାତୀ ଆକ୍ରମଣରେ ପ୍ରାୟ ୭୦ଟି ଘର ଭାଙ୍ଗିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

Watch Video :

କେନ୍ଦୁଝର ବନଖଣ୍ଡରେ ବର୍ତ୍ତମାନ ୧୫୭ଟି ହାତୀ ୧୬ଟି ଦଳରେ ବିଭକ୍ତ । ବର୍ଷ ତମାମ ପ୍ରାୟ ୧୫୦ରୁ ୨୨୦ ଟି ମଧ୍ୟ ରହିଥାନ୍ତି କେନ୍ଦୁଝର ବନଖଣ୍ଡରେ । ସବୁଠାରୁ ଚିନ୍ତାଜନକ ସ୍ଥିତି ପାଟଣା ଓ ଚମ୍ପୁଆ ଅଞ୍ଚଳରେ । ୨୬ଟିକିଆ ଏକ ହାତୀପଲ ଏହି ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଗତ ୧୫ ଦିନରେ ପ୍ରାୟ ୪ଟି ଘର ଭାଙ୍ଗିବା ସହ ନଷ୍ଟ କରିଛି ବ୍ୟାପକ ଫସଲ । ଫଳରେ ମଣିଷ ଓ ହାତୀ ମଧ୍ୟରେ ବଢ଼ୁଛି ମୁହାଁମୁହିଁ ସ୍ଥିତି।

Also Read- ଇନସ୍ୟୁରାନ୍ସ ନଥିଲେ ସିଜ୍ ହେବ ଗାଡ଼ି : ରାସ୍ତାରେ ଅଟକାଇ ଜବତ କରିବ ପରିବହନ ବିଭାଗ

ହାତୀ ଓ ମଣିଷ ଭିତରେ ସଂଘର୍ଷର ସମାଧାନ କ’ଣ ? ବନ ବିଭାଗର କହିବା କଥା, ହାତୀକୁ ଶାନ୍ତିରେ ରହିବାକୁ ଦିଅନ୍ତୁ । ହାତୀଙ୍କ ପାଖକୁ ଯାଇ ଫଟୋ ଉଠାଇବା, ରିଲ୍ସ କରିବା କିମ୍ବା ତାଙ୍କୁ ଉତ୍ତେଜିତ କରନ୍ତୁ ନାହିଁ । ହାତୀ ତା’ର ଜଙ୍ଗଲରେ… ମଣିଷ ତା’ର ବସତିରେ । ଉଭୟଙ୍କ ବଞ୍ଚିବା ପାଇଁ ଆବଶ୍ୟକ ସହବାସ । ରିଲ୍ସର କିଛି ସେକେଣ୍ଡର ରୋମାଞ୍ଚ ପାଇଁ ଯଦି ହାତୀଙ୍କୁ ଉତ୍ତେଜିତ କରାଯାଏ, ତେବେ ତା’ର ପରିଣାମ ଉଭୟ ମଣିଷ ଓ ହାତୀ ପାଇଁ ବିପଦଜନକ ହୋଇପାରେ। ହାତୀ ଯଦି ମଣିଷକୁ ବିପଦର କାରଣ ଭାବିବ ନାହିଁ । ତେବେ ଧୀରେ ଧୀରେ ତା’ର ଆଚରଣରେ ମଧ୍ୟ ପରିବର୍ତ୍ତନ ଆସିବ । କିନ୍ତୁ ସେପଟେ ସ୍ଥାନୀୟ ବାସୀନ୍ଦାଙ୍କୁ ହାତୀ ନାକେଦମ୍ କରୁଥିବା ସେମାନଙ୍କ ଅଭିଯୋଗ । ତେବେ ହାତୀ-ମଣିଷ ଲଢେଇର ଅନ୍ତ କେଉଁଠି ଏବଂ ସମାଧାନ କଣ ତାହା ଏକ ବଡ଼ ପ୍ରଶ୍ନ ।

 



Source link

Leave A Reply

Your email address will not be published.