Honey Singh love confession : ଚିତ୍ରାଙ୍ଗଦା ସିଂହଙ୍କ ପାଇଁ ୫୬୨ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ ହନି ସିଂହ ! ପୁଅକୁ ଆଡପ୍ଟ କରିବାକୁ ମଧ୍ୟ ଥିଲେ ରାଜି…
ମୁମ୍ବାଇ : ରାପର୍ ୟୋ ୟୋ ହନି ସିଂହ। ତାଙ୍କ ଗୀତ ବାଜିବା ମାତ୍ରେ ଜମିଯାଏ ପାର୍ଟିର ମାହୋଲ। ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର ଗୀତର କ୍ରେଜ୍ କିଛି ଅଲଗା। ରାପ୍ ହେଉ କି ପାର୍ଟି ସଙ୍ଗ୍, ନିଜ ନିଆରା ଅନ୍ଦାଜରେ ସେ ଶ୍ରୋତାଙ୍କ ହୃଦୟ ଜିତିଛନ୍ତି। ତେବେ କେବଳ ଗୀତ ନୁହେଁ, ନିଜର ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ ମଧ୍ୟ ଖୋଲାଖୋଲି କଥା କହିବାକୁ ପଛାନ୍ତି ନାହିଁ ହନି ସିଂହ। ଏବେ ତାଙ୍କର ଏକ ପୁରୁଣା ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାକୁ ଆସିଛି। ଏଥିରେ ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କ ପ୍ରତି ନିଜର ପସନ୍ଦ ବିଷୟରେ ଏମିତି କିଛି କହିଥିଲେ, ଯାହା ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି।
୨୦୧୩ ମସିହାରେ ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ହନି ସିଂହ ଚିତ୍ରାଙ୍ଗଦା ସିଂହଙ୍କୁ ନେଇ ନିଜ ମନର କଥା କହିଥିଲେ। ମଜାଳିଆ ଅନ୍ଦାଜରେ ସେ କହିଥିଲେ ଯେ, ତାଙ୍କର ୫୬୨ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି। କିନ୍ତୁ ଯଦି ତାଙ୍କୁ ଚିତ୍ରାଙ୍ଗଦା ସିଂହ ମିଳିଯାଆନ୍ତି, ତେବେ ସେ ଗୋଟିଏ ଦିନରେ ସମସ୍ତଙ୍କୁ ଛାଡ଼ିଦେବାକୁ ପ୍ରସ୍ତୁତ। କେବଳ ଏତିକି ନୁହେଁ, ଚିତ୍ରାଙ୍ଗଦାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ ଯାଇ ହନି ସିଂହ କହିଥିଲେ ଯେ, ସେ ଏହି ପୃଥିବୀର ନୁହନ୍ତି, ସେ କେଉଁ ଗ୍ରହରୁ ଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଚିତ୍ରାଙ୍ଗଦାଙ୍କ ପାଇଁ ସେ ଏକ ରାପ୍ ମଧ୍ୟ ଲେଖିଥିବା କହିଥିଲେ। ତାଙ୍କର ଏହି କଥାରୁ ଅଭିନେତ୍ରୀଙ୍କ ପ୍ରତି ଥିବା ଆକର୍ଷଣ ସ୍ପଷ୍ଟ ଜଣାପଡ଼ୁଥିଲା। ଚିତ୍ରାଙ୍ଗଦାଙ୍କୁ ନେଇ ହନି ସିଂହଙ୍କ ପ୍ରଶଂସା ଏତିକିରେ ସରିନଥିଲା। ସେ ଏପରିକି ଚିତ୍ରାଙ୍ଗଦାଙ୍କ ପୁଅ ଜୋରାୱରଙ୍କୁ ମଧ୍ୟ ଆଡପ୍ଟ କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ହନି ସିଂହ କହିଥିଲେ ଯେ, ତାଙ୍କୁ ପିଲାମାନେ ବହୁତ ଭଲ ଲାଗନ୍ତି। ଯଦି ଚିତ୍ରାଙ୍ଗଦା ତାଙ୍କ ଜୀବନରେ ଆସନ୍ତି, ତେବେ ତାଙ୍କ ପୁଅର ମଧ୍ୟ ସେ ବହୁତ ଭଲ ଯତ୍ନ ନେବେ। ଏପରିକି ଚିତ୍ରାଙ୍ଗଦାଙ୍କ ସ୍ୱାମୀ ତଥା ଗଲ୍ଫ ଖେଳାଳି ଜ୍ୟୋତି ରନ୍ଧାୱାଙ୍କୁ ମଧ୍ୟ ବୁଝାଇଦେବେ ବୋଲି ମଜାଳିଆ ଢଙ୍ଗରେ କହିଥିଲେ। ଚିତ୍ରାଙ୍ଗଦାଙ୍କୁ ଜଣେ ଦେବୀଙ୍କ ସହ ତୁଳନା କରିଥିଲେ ହନି ସିଂହ। ତାଙ୍କର ଏହି ପୁରୁଣା ଇଣ୍ଟରଭ୍ୟୁ ଏବେ ପୁଣି ଭାଇରାଲ୍ ହେବା ପରେ ଇଣ୍ଟରନେଟ୍ରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ପଛରେ କାରଣ ବି ରହିଛି। ଡିସେମ୍ବରରେ ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ ‘ମାତୃଭୂମି’ ରିଲିଜ ହେବାକୁ ଯାଉଛି। ଏଥିରେ ସଲମାନଙ୍କ ସହ ସ୍କ୍ରିନ୍ ସେଆର କରିଛନ୍ତି ଚିତ୍ରାଙ୍ଗଦା। ଯେଉଁଥିପାଇଁ ତାଙ୍କ ସୁନ୍ଦରତାକୁ ନେଇ ହନି ସିଂହଙ୍କ ଏହି ଷ୍ଟେଟମେଣ୍ଟ ଏବେ ଭାଇରାଲ୍ ହେବା ସହ ଟ୍ରେଣ୍ଡିଂରେ ରହିଛି।
ହନି ସିଂହଙ୍କ କଥା କହିଲେ, ତାଙ୍କ ସଫଳତାର ଯାତ୍ରା ସବୁବେଳେ ସହଜ ନଥିଲା। ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ପରେ ମଧ୍ୟ ତାଙ୍କୁ ଜୀବନରେ ଅନେକ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଛି। ବ୍ୟକ୍ତିଗତ ଜୀବନ ହେଉ କି କ୍ୟାରିୟର, ଅନେକ ଉତ୍ଥାନ-ପତନ ସେ ଦେଖିଛନ୍ତି । କିନ୍ତୁ ଏତେ ସବୁ ସମସ୍ୟା ସତ୍ତ୍ୱେ ସଙ୍ଗୀତ ପ୍ରତି ତାଙ୍କ ଶ୍ରଦ୍ଧା କମିନି । ୨୦୧୩ର ଏହି ପୁରୁଣା ଇଣ୍ଟରଭ୍ୟୁ ଏବେ ପୁଣି ଚର୍ଚ୍ଚାକୁ ଆସିବା ପରେ ହନି ସିଂହଙ୍କ ମଜାଳିଆ ଅନ୍ଦାଜ, ଚିତ୍ରାଙ୍ଗଦାଙ୍କ ପ୍ରତି ତାଙ୍କ ଶ୍ରଦ୍ଧା ଚର୍ଚ୍ଚାର ବିଷୟ ପାଲଟିଛି।
