Voice of Eastern India

ଗାଡ଼ିରେ ଥର୍ଡପାର୍ଟି ଇନ୍‌ସୁରାନ୍ସ ଅଛି କି ନାହିଁ, ଟୋଲ୍‌ ପ୍ଲାଜାରେ ଧରାପଡ଼ିବ: ନୂଆ ଟେକ୍ନୋଲୋଜୀ ଆଣିବେ ସରକାର


ନୂଆଦିଲ୍ଲୀ: ଏବେ ହାଇୱେ ଟୋଲ୍‌ ପ୍ଲାଜା ଦେଇ ଗାଡ଼ି ଯିବା ମାତ୍ରେ ଇନ୍ସୁରାନ୍ସ ହୋଇଛି କି ନାହିଁ ଜଣାପଡ଼ିବ। ସରକାର ଏଭଳି ଏକ ସିଷ୍ଟମର ପରୀକ୍ଷଣ କରୁଛନ୍ତି। ଯାହା ଟୋଲ୍ ପାର୍ ହେବା ମାତ୍ରେ ଗାଡ଼ିର ନମ୍ବର ଚେକ୍ କରିବ। ଯଦି ଗାଡ଼ିର ଥର୍ଡପାର୍ଟି ବୀମା ସରିଯାଇଥିବ ତେବେ ଆପଣଙ୍କ ମୋବାଇଲ୍‌ରେ ତୁରନ୍ତ ରିନ୍ୟୁଅଲ ଆଲର୍ଟ ଏସଏମଏସ୍ ଆସିଯିବ।

ଗାଡ଼ି ଇନ୍ସୁରାନ୍ସ ଚେକ୍ କରିବାର ଏହି ନୂଆ ଟେକ୍ନୋଲୋଜୀର ପରୀକ୍ଷଣ ଏବେ ଦିଲ୍ଲୀର ମୁଣ୍ଡକା ଟୋଲ୍ ପ୍ଲାଜା(UER-II)ରେ କରାଯାଉଛି। ଏହା ସଫଳ ହେବା ମାତ୍ରେ ସାରା ଦେଶରେ ଏହାକୁ ଇନଷ୍ଟଲ କରାଯିବ। ଫଳରେ ଆପଣଙ୍କ ଗାଡ଼ି ଟୋଲ୍ ପ୍ଲାଜା ଦେଇ ଯିବା ମାତ୍ରେ ଇନ୍ସୁରାନ୍ସ ହୋଇଛି କି ନାହିଁ ଜଣାପଡ଼ିଯିବ।

ପୁଲିସ ଚେକିଂ ଓ କାଗଜ ସମସ୍ୟାରେ ମିଳିବ ମୁକ୍ତି

ବର୍ତ୍ତମାନର ବ୍ୟବସ୍ଥାରେ ଚେକିଂ ବେଳେ ପୁଲିସ ଗାଡ଼ି ଅଟକାଇ ଲୋକଙ୍କର କାଗଜପତ୍ର ଓ ଇନ୍ସୁରାନ୍ସ ଚେକ୍ କରିଥାଏ। ଏଥିରେ ଗାଡ଼ି ଚାଳକଙ୍କ ସହିତ ପୁଲିସର ତର୍କବିତର୍କ ବି ହୋଇଥାଏ। ତା’ଉପରେ ପୁଣି କାଗଜପତ୍ର ନେବାର ଝିନଝଟ ବି ଥାଏ। ଯଦି ଟୋଲ୍‌ ପ୍ଲାଜା ପରୀକ୍ଷଣ କରାଯାଉଥିବା ଏହି ଟେକ୍ନୋଲୋଜୀ ସଫଳ ହେଲା ଆଉ ଦେଶରେ ଲାଗୁ କରାଗଲା, ତେବେ ଟ୍ରାଫିକ ପୁଲିସକୁ ଗ୍ରାହକଙ୍କୁ ଅଟକାଇ ପେପର ଚେକ୍ କରିବାର ସମସ୍ୟା ବହୁତ କମିଯିବ। ଏହା ବାଦ୍‌ ଟୋଲ୍ ପ୍ଲାଜା ଅତିକ୍ରମ କରିବା ପରେ ଯେଉଁ ଆଲର୍ଟ ମେସେଜ୍ ଆସିବ, ସେଥିରେ ଗ୍ରାହକ ଇନ୍ସୁରାନ୍ସ ରିନ୍ୟୁଅଲ କରିବା ନେଇ ସତର୍କ ହୋଇଯିବେ।

ଥର୍ଡ ପାର୍ଟି ଇନ୍ସରାନ୍ସ କାହିଁକି ଜରୁରୀ ?

ରାସ୍ତାରେ ଯାଉଥିବା ସମସ୍ତ ଯାନବାହନ ପାଇଁ ଥର୍ଡ ପାର୍ଟି ଇନ୍ସୁରାନ୍ସ ବାଧ୍ୟତାମୂଳକ କରାଯାଇଛି। କାରଣ ଏହା ଦୁର୍ଘଟଣାରେ ଆଘାତ, ମୃତ୍ୟୁ କିମ୍ବା ଅନ୍ୟ ଜଣଙ୍କର ସମ୍ପତ୍ତି ନଷ୍ଟ ହେଲେ କ୍ଷତିପୂରଣରୁ ସୁରକ୍ଷା ଯୋଗାଇଥାଏ। ଯଦି ଗାଡିରେ ବୀମା ନାହିଁ ଓ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ତେବେ ଗାଡି ମାଲିକ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ଏହା ବ୍ୟତୀତ ଦୁର୍ଘଟଣା ହେତୁ ହୋଇଥିବା କ୍ଷତି ପାଇଁ ଆର୍ଥିକ ବୋଝ ମଧ୍ୟ ତାଙ୍କ ଉପରେ ପଡିପାରେ।



Source link

Leave A Reply

Your email address will not be published.