Congress Leader Fake Call Scam: ରାହୁଲ ଗାନ୍ଧୀଙ୍କ ସେକ୍ରେଟାରୀ କହି ହରିୟାଣାର କଂଗ୍ରେସ ନେତାଙ୍କୁ ୧୦ ଲକ୍ଷ ଟଙ୍କାର ଚୂନ ମାରିଲେ ଠକ…
ହରିୟାଣା: ହରିୟାଣାର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଏକ ଅଭାବନୀୟ ଠକେଇ ମାମଲା ସାମ୍ନାକୁ ଆସିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ Personal Secretary କନିଷ୍କ ସିଂହଙ୍କ ନାମ ବ୍ୟବହାର କରି ଜଣେ ଠକ କଂଗ୍ରେସ ନେତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛି।
ହରିୟାଣା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ସଞ୍ଜୀବଙ୍କ ପାଖକୁ ଜାନୁଆରୀ ୨୪ରେ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ରାହୁଲ ଗାନ୍ଧୀଙ୍କ ସଚିବ କନିଷ୍କ ସିଂହ ବୋଲି ପରିଚୟ ଦେଇଥିଲା। ଅଭିଯୁକ୍ତ ଜଣକ କହିଥିଲା ଯେ, ଚଣ୍ଡିଗଡ଼ରେ ଉତ୍ତରାଖଣ୍ଡ କଂଗ୍ରେସ ୟୁନିଟ୍ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି ଏବଂ ଏଥିପାଇଁ ଆର୍ଥିକ ସହାୟତା ଆବଶ୍ୟକ। ସେ ଆହୁରି ମଧ୍ୟ ପ୍ରଲୋଭନ ଦେଖାଇଥିଲା ଯେ, ପାର୍ଟିର ହାଇକମାଣ୍ଡ ସଦସ୍ୟମାନେ ଏଥିରେ ଯୋଗ ଦେବେ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରାଇ ଦିଆଯିବ। ଏହାକୁ ସତ ମନେକରି ସଞ୍ଜୀବ ଏବଂ ତାଙ୍କ ସହଯୋଗୀ ପବନ ଶର୍ମା ମିଶି ୧୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ସେହିଦିନ ରାତି ୧୧ଟା ସମୟରେ ଚଣ୍ଡିଗଡ଼ର ଏକ ହୋଟେଲ ପାର୍କିଂରେ ସେମାନେ ‘ଦୀପକ’ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଟଙ୍କା ହସ୍ତାନ୍ତର କରିଥିଲେ। ଟଙ୍କା ଦେବା ସମୟରେ ସେମାନେ ଅଜାଣତରେ ଦୀପକର ଏକ ଫଟୋ ଉଠାଇ ନେଇଥିଲେ। ପରଦିନ ଠକ ଜଣକ ଆଉ ୫ ଲକ୍ଷ ଟଙ୍କା ମାଗିବାରୁ ସଞ୍ଜୀବଙ୍କ ସନ୍ଦେହ ହୋଇଥିଲା। ଯେତେବେଳେ ସେ ପାର୍ଟି ଅଧିକାରୀଙ୍କୁ ପଚାରିଲେ, ଜାଣିବାକୁ ପାଇଲେ ଯେ କୌଣସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଥିଲା।
ପୋଲିସର ପଦକ୍ଷେପ:
ସଞ୍ଜୀବ ପ୍ରଥମେ ଚୁପ୍ ରହିଥିଲେ, କିନ୍ତୁ ପରେ ହ୍ୱାଟ୍ସଆପ୍ ଜରିଆରେ ହେଉଥିବା ଠକେଇ ସମ୍ପର୍କରେ ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। SP ଚନ୍ଦର ମୋହନ ଥାନେସର ସିଟି ପୋଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଫୋନ୍ ନମ୍ବର ଏବଂ ଦୀପକର ଫଟୋକୁ ଆଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
