ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୧୬ ଡିସେମ୍ବର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଘୋଷଣା ମଧ୍ୟରେ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରାଳୟ ବୁଧବାର କହିଛି ଯେ ‘ଜଣେ ନାଗରିକ ସ୍ୱେଚ୍ଛାକୃତ ଭାବେ ନିଜ ଦେଶକୁ ଫେରିବାର ମାମଲା ବାଂଲାଦେଶ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରତ୍ୟାର୍ପଣ ଦାବିଠାରୁ ସମ୍ପୂର୍ଣ୍ଣ ଭିନ୍ନ’। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତିଯେ ‘ବୈଧ ଯାତ୍ରା ଡକ୍ୟୁମେଣ୍ଟ ସହିତ ନାଗରିକ ସ୍ୱେଚ୍ଛାକୃତ ନିଜ ଦେଶକୁ ଫେରିବାକୁ ଚାହିଁବା ଓ ଏହି ମାମଲାରେ ପ୍ରତ୍ୟାର୍ପଣ ଅନୁରୋଧ ସମ୍ପୂର୍ଣ୍ଣ ଭିନ୍ନ’।
ଏହା ଛଡା ଜୟସ୍ୱାଲ କହିଛନ୍ତି ଯେ ହସିନାଙ୍କ ପ୍ରତ୍ୟାର୍ପଣକୁ ନେଇ ଢାକା ପକ୍ଷରୁ ପଠାଯାଇଥିବା ଦାବିର ଯାଞ୍ଚ ଭାରତ ନିର୍ଦ୍ଧାରିତ ତଥା ସ୍ଥାପିତ ଆଇନ ପ୍ରକ୍ରିୟାର ସହିତ କରୁଛି। ଭାରତର ଏହି ବୟାନ ଶେଖ ହସିନାଙ୍କ ମୁଖପାତ୍ରଙ୍କ ସେହି ଘୋଷଣା ପରେ ଆସିଛି ଯେଉଁଥିରେ ସେ ଡିସେମ୍ବର ୧୬ରେ ସ୍ୱଦେଶ ଫେରିବା କଥା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୬ ତାରିଖରେ ବାଂଲାଦେଶ ୧୯୭୧ମୁକ୍ତି ସଂଗ୍ରାମରେ ପାକିସ୍ତାନ ଉପରେ ନିଜର ଐତିହାସିକ ବିଜୟର ଉତ୍ସବ ପାଳନ କରେ। ଏହା ପୂର୍ବରୁ ମଧ୍ୟ ହସିନା ଜୁଲାଇ ମାସରେ ତାଙ୍କ ଇସ୍ତଫାର ଦ୍ୱିତୀୟ ବାର୍ଷିକ ପୂର୍ବରୁ ସେ ଡିସେମ୍ବରରେ ଫେରିବେ ବୋଲି ସଂକେତ ଦେଇଥିଲେ।
ତେବେ ତାଙ୍କ ଫେରିବାରେ ଏବେ ଡକ୍ୟୁମେଣ୍ଟ ପେଞ୍ଚ ଫଶିଯାଇଛି। ହସିନା ତାଙ୍କ ଯାତ୍ରା ନିମନ୍ତେ ବାଂଲାଦେଶ ସରକାରଙ୍କୁ ଆବଶ୍ୟକ କାଗଜପତ୍ର ପଠାଇବାକୁ ଅନୁରୋଧ କରିଥିଲେ, ତେବେ ତାଙ୍କ ଅନୁରୋଧ ଖାରଜ କରିଦିଆଯାଇଛି। ବର୍ତ୍ତମାନ ବାଂଲାଦେଶର ନେତୃତ୍ୱ ତାରିକ ରହମାନ କରୁଛନ୍ତି, ଯିଏ ହସିନାଙ୍କ ଚୀର ପ୍ରତିଦ୍ୱନ୍ଦ୍ୱୀ ଖାଲିଦା ଜିୟାଙ୍କ ପୁତ୍ର ଅଟନ୍ତି। ୫ ଅଗଷ୍ଟ ୨୦୨୪ରେ ଛାତ୍ରଙ୍କ ଉଗ୍ର ବିଦ୍ରୋହ ପରେ ଶେଖ ହସିନାଙ୍କ ୧୫ ବର୍ଷର ସରକାର ଭାଙ୍ଗି ଯାଇଥିଲା। ତାଙ୍କୁ ଦେଶ ଛାଡି ଭାରତରେ ଶରଣ ନେବାକୁ ପଡିଥିଲା। ସେବେଠାରୁ ସେ ଭାରତରେ ଅଛନ୍ତି।
