Voice of Eastern India

ବିଜେପିରେ ସାମିଲ ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ, ମିଳିଲା ବଡ଼ ଦାୟିତ୍ବ 


ନୂଆଦିଲ୍ଲୀ: କ୍ରିକେଟର ୟୁଜବେନ୍ଦ୍ର ଚହଲ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହୋଇଥିବା ବେଳେ ଦଳର ଓବିସି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି । ତାଙ୍କୁ ‘ବିଶେଷ ଆମନ୍ତ୍ରିତ ସଦସ୍ୟ’ ଭାବରେ ନିଯୁକ୍ତି ମିଳିଛି। ଓବିସି ମୋର୍ଚ୍ଚାର ନୂତନ ଭାବରେ ପୁନର୍ଗଠିତ ଟିମରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ବିଜେପିର ଜାତୀୟ ସଭାପତି ନିତିନ ନବୀନ ଓବିସି ମୋର୍ଚ୍ଚା ଟିମର ଏକ ବଡ଼ ଧରଣର ପୁନର୍ଗଠନ ଓ ନିଯୁକ୍ତି ପ୍ରକ୍ରିୟା କରିଛନ୍ତି । ଏଥିରେ ଚହଲଙ୍କୁ ଦାୟିତ୍ବ ମିଳିଛି । ଏହା ପୂର୍ବରୁ ଚହଲ ଓବିସି ମୋର୍ଚ୍ଚାର ସଭାପତି ତଥା ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ଅମରପାଲ ମୌର୍ଯ୍ୟଙ୍କୁ ଭେଟିଥିଲେ ।  ତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ଚହଲ। କ୍ରୀଡ଼ା ଜଗତରୁ ଜଣେ ଚର୍ଚ୍ଚିତ ଚେହେରା ବିଜେପିରେ ସାମିଲ ହେବା ଏବଂ ଓବିସି ମୋର୍ଚ୍ଚାରେ ସ୍ଥାନ ପାଇବା ପରେ ପଛୁଆ ବର୍ଗଙ୍କ ନିକଟରେ ଦଳର ପହଞ୍ଚ ବୃଦ୍ଧି ହେବ ବୋଲି କର୍ମୀ ଆଶା ପ୍ରକାଶ କରିଛନ୍ତି ।

୩୬ ବର୍ଷୀୟ ଲେଗ୍-ସ୍ପିନର ୨୦୧୬ ମସିହାରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଚମତ୍କାର ବୋଲିଂ ପାଇଁ ସେ ବେଶ୍ ପରିଚିତ । ସେ ୨୦୧୯ ବିଶ୍ୱକପ୍ ଦଳର ମଧ୍ୟ ଅଂଶ ଥିଲେ। ଇନିଂସର ମଧ୍ୟମ ଓଭରଗୁଡ଼ିକରେ ୱିକେଟ୍ ନେବାର କଳା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଇଣ୍ଡିଆନ୍ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଦଳ ପାଇଁ ଖେଳିବା ବେଳେ ମଧ୍ୟ ତାଙ୍କର ପ୍ରତିଭା ଦେଖିବାକୁ ମିଳିଥିଲା । ତେବେ ଚଳିତବର୍ଷ ଅକ୍ଟୋବର ୨ ତାରିଖରେ ରେଡ୍‌ ବଲ୍‌ କ୍ରିକେଟରୁ ନିଜର ସନ୍ନ୍ୟାସ ଘୋଷଣା କରି କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଥିଲେ ୟୁଜବେନ୍ଦ୍ର ଚହଲ । 



Source link

Leave A Reply

Your email address will not be published.