Voice of Eastern India

ଗୋଟିଏ ହାତରେ ଅବିଶ୍ୱସନୀୟ ଛକା ମାରି ଚର୍ଚ୍ଚାରେ ନିଖିଲ ଚୌଧୁରୀ, ଇଂଲଣ୍ଡ ବିପକ୍ଷ ଟି-୨୦ରେ ଅଷ୍ଟ୍ରେଲିଆ ବିଜୟୀ 


ନୂଆଦିଲ୍ଲୀ:  ଅଷ୍ଟ୍ରେଲୀୟ ଅଲରାଉଣ୍ଡର ନିଖିଲ ଚୌଧୁରୀ ନିଜର ଅବିଶ୍ୱସନୀୟ ବ୍ୟାଟିଂ ଶୈଳୀ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କମାଲ କରିଛନ୍ତି ନିଖିଲ ଚୌଧୁରୀ । ୧୩ତମ ଓଭରରେ ଇଂଲଣ୍ଡ ବୋଲର ଜେମି ଓଭରଟନଙ୍କ ଏକ ସର୍ଟ ବଲ୍‌ରେ ନିଖିଲ ଗୋଟିଏ ହାତରେ ଏକ ଚମତ୍କାର ଛକା ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ବଲ୍‌ର ଗତି ଏବଂ ଅତିରିକ୍ତ ବାଉନ୍ସ ଯୋଗୁଁ ପ୍ରଥମେ ନିଖିଲ ଅସୁବିଧାରେ ପଡ଼ିଥିଲେ । କିନ୍ତୁ ପରେ ଗୋଟିଏ ହାତରେ ୱିକେଟ୍ ପଛପଟେ ବଲ୍‌କୁ ବାଉଣ୍ଡାରୀ ପାର୍ କରାଇ ଦେଇଥିଲେ। ତାଙ୍କର ଏହି ଆଶ୍ଚର୍ଯ୍ୟଜନକ ସଟ୍ ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଉତ୍ସାହରେ ଝୁମି ଉଠିଥିଲେ । 

୩୦ ବର୍ଷୀୟ ନିଖିଲ ଚୌଧୁରୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୧୮୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ପାଇଁ ସେ ମାତ୍ର ୩୮ଟି ବଲ୍‌ରୁ ୫ଟି ଚୌକା ଏବଂ ୨ଟି ଛକା ସହାୟତାରେ ୬୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହା ପୂର୍ବରୁ ବୋଲିଂରେ ମଧ୍ୟ ସେ ନିଜର କମାଲ ଦେଖାଇ ୪ ଓଭରରେ ମାତ୍ର ୨୧ ରନ୍ ଦେଇ ୨ଟି ବଡ଼ ୱିକେଟ୍ ଅକ୍ତିଆର କରିଥିଲେ। ସେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ (୨୮ ବଲ୍‌ରୁ ୬୫ ରନ୍) ଏବଂ ସାମ କରନ (୨୧ ରନ୍)ଙ୍କୁ ଆଉଟ୍ କରି ଇଂଲଣ୍ଡର ରନ୍ ଗତିରେ ବ୍ରେକ୍‌ ଲଗାଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ହ୍ୟାରି ବ୍ରୁକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଟମ୍ ବାଣ୍ଟନଙ୍କ ୩୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋର୍ଡାନ କକ୍ସ ୨୭ ଏବଂ ଲିଆମ୍ ଡସନ୍ ୧୭ ରନ୍‌ର ଯୋଗଦାନ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନିଖିଲ ଚୌଧୁରୀ ଏବଂ ଜ୍ୟାକ୍ ଏଡୱାର୍ଡସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜୋଏଲ ଡେଭିସ୍, ରିଲେ ମେରେଡିଥ୍, ବେନ୍ ଦ୍ୱାରଶୁଇସ୍ ଏବଂ ଆଦାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସେପଟେ ଅଷ୍ଟ୍ରେଲିଆ ଏହି ରୋମାଞ୍ଚକର ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତି ନେଇଛି । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନିଖିଲ ଚୌଧୁରୀଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ କରାଯାଇଛି।



Source link

Leave A Reply

Your email address will not be published.