ପ୍ୟାରିସ୍: ଫ୍ରାନ୍ସର ଏକ ଗାଁରେ ଭୟଙ୍କର ଘୂର୍ଣ୍ଣିବାତ୍ୟା (ଟୋର୍ନାଡୋ) ମାଡ଼ ହୋଇଛି । ସାମନାକୁ ଆସିଥିବା ଭିଡିଓଗୁଡ଼ିକରେ ଏହି ଟୋର୍ନାଡୋ ବୁଲି ବୁଲି କ୍ଷୟକ୍ଷତି ଘଟାଉଥିବା ଦେଖିବାକୁ ମିଳିଛି । ସେହି ଅଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ‘ସୁପରସେଲ୍’ ଘୂର୍ଣ୍ଣିଝଡ଼ ଯୋଗୁଁ ଏହି ସ୍ଥିତି ହୋଇଥିଲା ।
ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଏକ ଛୋଟ ଗାଁ ଦେଇ ଗତି କରିଥିବା ଏହି ଟୋର୍ନାଡୋ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ୩୦୦ରୁ ଅଧିକ ଘର ଭାଙ୍ଗିରୁଜି ଯାଇଛି । ଅଡ୍ ସୀମାନ୍ତବର୍ତ୍ତୀ ପୋମାସ ଗାଁରେ ଏହି ଟୋର୍ନାଡୋ ଯୋଗୁଁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୩୭ଜଣ ଆହତ ହୋଇଥିବା ଫ୍ରାନ୍ସ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ, ଫ୍ରାନ୍ସର ଶକ୍ତି ଯୋଗାଣ ସଂସ୍ଥା ଅନୁଯାୟୀ, ଏହି ଟୋର୍ନାଡୋ ଯୋଗୁଁ ପ୍ରାୟ ୨୧,୦୦୦ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି ।
ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଲୋରେଣ୍ଟ ନୁନେଜ ଏହି ଘୂର୍ଣ୍ଣିବାତ୍ୟାକୁ “ଅତ୍ୟନ୍ତ ତୀବ୍ର” ଏବଂ “ବ୍ୟାପକ କ୍ଷତିକାରକ” ବୋଲି କହିଛନ୍ତି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ସୋମବାର ବିଳମ୍ବିତ ରାତିରେ ସୁପରସେଲ୍ ଘୂର୍ଣ୍ଣିବାତ୍ୟା ପ୍ରଭାବରେ ଭର୍ଜାଇଲ୍ ଗାଁରେ ଟୋର୍ନାଡୋ ସୃଷ୍ଟି ହୋଇ ବୁଲୁଥିବାର ଦେଖାଯାଇଛି । ପବନର ବେଗ ଘଣ୍ଟାପ୍ରତି ୨୪୦ କିଲୋମିଟରରୁ ଅଧିକ ଥିଲା ଏବଂ ଏହା ବିଲ୍ଡିଂଗୁଡ଼ିକର ଛାତ ବି ଉଡ଼ାଇ ନେଇଥିଲା ।
New video of the strong tornado that struck Aude, France earlier today causing significant damage an injuries.
📹: CHRISTOPHE AUBRY pic.twitter.com/5wCj03wz5K
— StormHQ ☈ (@StormHQwx) August 24, 2026
ଏହି ଅଞ୍ଚଳ ପାଇଁ ପୂର୍ବରୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଥିଲା । ଫ୍ରାନ୍ସରେ ଏଭଳି ଟୋର୍ନାଡୋ ସାଧାରଣ କଥା, କିନ୍ତୁ ଆମେରିକା ତୁଳନାରେ ଏହାର ତୀବ୍ରତା କମ୍ ଥାଏ । ଫ୍ରାନ୍ସର ଖବରକାଗଜ ‘ଦି କନେକ୍ସନ୍’ ଅନୁଯାୟୀ, ପ୍ରତିବର୍ଷ ଦେଶରେ ପ୍ରାୟ ୫୦ଟି ସାନ-ବଡ଼ ଘୂର୍ଣ୍ଣିବାତ୍ୟା ଆସିଥାଏ । ଏଥି ମଧ୍ୟରୁ ଅଧିକାଂଶ ଉତ୍ତର-ପଶ୍ଚିମ ଏବଂ ଭୂମଧ୍ୟସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ରାତି ସମୟରେ ଆସିଥାଏ, ଯାହା ଅନେକ ସମୟରେ ଲୋକଙ୍କ ନଜରକୁ ଆସି ନ ଥାଏ ।
ଫ୍ରାନ୍ସ ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ୫ଟି ପ୍ରମୁଖ ‘ହିଟ୍ ଡୋମ୍’ ପରେ ଏହି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇଥିଲା । ସାରା ଦେଶ ଗ୍ରୀଷ୍ମପ୍ରବାହ କବଳରେ ରହିବା ଯୋଗୁଁ ତାପମାତ୍ରା ଅତ୍ୟାଧିକ ବୃଦ୍ଧି ପାଇଥିଲା । ଏହି ପ୍ରଚଣ୍ଡ ଉତ୍ତାପ ବାୟୁମଣ୍ଡଳର ତଳ ଭାଗକୁ ଅତ୍ୟନ୍ତ ଗରମ ଏବଂ ଆର୍ଦ୍ରତାପୂର୍ଣ୍ଣ କରିଦେଇଥିଲା, ଯାହା ଫଳରେ ବୃହତ୍ ପରିମାଣର ‘କନଭେକ୍ଟିଭ୍ ଏନର୍ଜି’ ସୃଷ୍ଟି ହୋଇ ଏହି ଭୟଙ୍କର ରୂପ ନେଇଥିଲା ।
