ଭୁବନେଶ୍ୱର, ୨୦|୦୭: ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମଝିରେ ମଝିରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଅଛି।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଏବେ ପାଗ ସାମାନ୍ୟ ଖରାଟିଆ ରହିପାରେ। କିଛି କିଛି ଜାଗାରେ ମଝିରେ ମଝିରେ ବର୍ଷା ହେବ। କିନ୍ତୁ ୨୨ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ି ପାରେ । ଏହାସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
Also Read :- Sugar Prices: ମହଙ୍ଗା ହୋଇପାରେ ଚିନି; ପ୍ରଥମ ଥର ୫୦ ଟଙ୍କା ପାର୍ କରିପାରେ ପାଇକାରୀ ଦର
ପାଣିପାଗ ବିଭାଗ ଆକଳନ କରିଛି, ଏବେ ରାଜ୍ୟରେ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । କିନ୍ତୁ ଉତ୍ତର ପଶ୍ଚିମ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
