ଆବୁଧାବି: ସାଉଦି ଆରବର ପ୍ରମୁଖ ଶିଳ୍ପ ଏବଂ ତୈଳ କେନ୍ଦ୍ର ରାସ ଟାନୁରାରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରବିବାର ସକାଳ ପ୍ରାୟ ୬ଟାରେ ଦୁନିଆର ପ୍ରମୁଖ ତୈଳ କମ୍ପାନି ସାଉଦି ଆରାମକୋର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ବୟାନକୁ ନେଇ ସ୍ଥାନୀୟ ମିଡିଆ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ।
ସାଉଦି ପ୍ରେସ୍ ଏଜେନ୍ସି (SPA) ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୧୪ ଜଣ ସାଉଦି ନାଗରିକ ଥିଲେ । ପାରସ୍ୟ ଉପସାଗର ଉପକୂଳରେ ଅବସ୍ଥିତ ସାଉଦି ଆରାମକୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଶିଳ୍ପ କେନ୍ଦ୍ର ରାସ ଟାନୁରା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି । ଶକ୍ତି ମନ୍ତ୍ରଣାଳୟ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛି ଏବଂ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି ।
ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ହେଲିକପ୍ଟର ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି । ପ୍ରଶାସନ ଏପର୍ଯ୍ୟନ୍ତ ହେଲିକପ୍ଟରର ମଡେଲ ପ୍ରକାଶ କରିନାହିଁ ।
