Voice of Eastern India

ଭୁବନେଶ୍ୱରରେ ହୀରା ପେଣ୍ଡେଣ୍ଟ ଓ ସୁନା ଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ପୋଲିସ ଡ୍ରାଇଭର


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କଠାରୁ ହୀରା ପେଣ୍ଡେଣ୍ଟ ଲାଗିଥିବା ସୁନା ଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ନୟାପଲ୍ଲୀ ଥାନା ପୋଲିସ। ଏହି ଘଟଣାରେ ମୁଖ୍ୟ ଲୁଟେରାଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ଲୁଟ୍ ହୋଇଥିବା ସୁନା ଚେନ୍‌କୁ ବନ୍ଧକ ରଖି ବ୍ୟାଙ୍କରୁ ଗୋଲ୍ଡ ଲୋନ୍ ନିଆଯାଇଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣାପଡ଼ିଛି।

ପୋଲିସର ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୪ ତାରିଖ ରାତି ପ୍ରାୟ ୮ଟା ୩୩ ମିନିଟ୍ ସମୟରେ ଅଭିଯୋଗକାରୀ ସଞ୍ଜୀବ କୁମାର ମହାନ୍ତି ପତ୍ନୀଙ୍କ ସହ ଜୟଦେବ ବିହାରସ୍ଥିତ ଶାଶୁଙ୍କ ଘରୁ ଫେରୁଥିଲେ। ସେମାନେ ‘ସାନଭି ନିବାସ’ ସମ୍ମୁଖରେ କାର୍ ରଖିଥିବା ସମୟରେ ଜଣେ ଦୁର୍ବୃତ୍ତ କଳା ହେଲମେଟ୍ ପିନ୍ଧି କଳା ଓ ନୀଳ ରଙ୍ଗର ସ୍କୁଟିରେ ସେଠାରେ ପହଞ୍ଚିଥିଲା।

ଏହାପରେ ମହିଳାଙ୍କ ବେକରୁ ହୀରା ପେଣ୍ଡେଣ୍ଟ ଲାଗିଥିବା ସୁନା ଚେନ୍‌ଟିକୁ ବଳପୂର୍ବକ ଛିଣ୍ଡାଇ ନେଇଥିଲା। ଏହି ସମୟରେ ଧସ୍ତାଧସ୍ତି ହେବାରୁ ମହିଳା ଜଣକ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଲୁଟେରା ଜଣକ ରାମେଶ୍ୱର ମନ୍ଦିର ଆଡ଼କୁ ଫେରାର ହୋଇଯାଇଥିଲା। ଆହତ ମହିଳାଙ୍କୁ ତୁରନ୍ତ ଲୁଇସ୍ ରୋଡ୍ ସ୍ଥିତ ଶ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଲୁଟ୍ ହୋଇଥିବା ସୁନା ଚେନ୍ ଓ ହୀରା ପେଣ୍ଡେଣ୍ଟର ମୋଟ ଓଜନ ପ୍ରାୟ ୧୫ରୁ ୨୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣାକୁ ନେଇ ଅକ୍ଟୋବର ୨୫ ତାରିଖରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ବିଶ୍ୱସନୀୟ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ରସୁଲଗଡ଼ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ପ୍ରିୟବ୍ରତ ଜେନାଙ୍କୁ ତାଙ୍କ ସ୍କୁଟି ସହ ପୋଲିସ କାବୁ କରିଥିଲା। ପଚରାଉଚରା ସମୟରେ ପ୍ରିୟବ୍ରତ ନୟାପଲ୍ଲୀ, ଖଣ୍ଡଗିରି ଓ ଭରତପୁର ଅଞ୍ଚଳରେ ମଧ୍ୟ ଏକାଧିକ ଚେନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି।

ଲୁଟ୍ ସୁନା ବନ୍ଧକ ରଖି ନେଇଥିଲେ ଗୋଲ୍ଡ ଲୋନ୍

ତଦନ୍ତରୁ ଜଣାପଡ଼ିଥିଲା ଯେ ଲୁଟ୍ ହୋଇଥିବା ସୁନା ଅଳଙ୍କାରକୁ ପ୍ରିୟବ୍ରତ ଚକେଇସିଆଣି ଅଞ୍ଚଳର ନୃସିଂହ ଚରଣ ସାହୁ ଓ ଆଲୋକ ସେନାପତିଙ୍କୁ ଦେଇଥିଲେ। ଏହି ଦୁଇ ଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ, ନୃସିଂହ ଚରଣ ସାହୁ ଲୁଟ୍ ହୋଇଥିବା ସୁନା ହାରକୁ କଟକ ଲିଙ୍କ୍ ରୋଡ୍ ସ୍ଥିତ କାନାରା ବ୍ୟାଙ୍କ ଶାଖାରେ ବନ୍ଧକ ରଖି ନିଜ ନାମରେ ଗୋଲ୍ଡ ଲୋନ୍ ନେଇଥିଲେ।

ଗିରଫ ୩ ଅଭିଯୁକ୍ତଙ୍କ ପରିଚୟ

ବଡ଼ କଥା ହେଲା ଗିରଫ ହୋଇଥିବା ନୟାଗଡ଼ ଜିଲ୍ଲାର ଦୁର୍ଗାପ୍ରସାଦ ଗ୍ରାମର ପ୍ରିୟବ୍ରତ ଜେନା (୩୭) ଜଣେ ପୋଲିସ ଡ୍ରାଇଭର । ସେ ଭୁବନେଶ୍ବର ଚକେଇସିଆଣିରେ ରହୁଥିଲା । ତାଙ୍କ ନାମରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି। ସେହିଭଳ ଅନ୍ୟ ଦୁଇ ଅଭିଯୁକ୍ତ ​ହେଲେ  ଯାଜପୁର ଜିଲ୍ଲାର ଗୋପୋନିଦିଆ ଗ୍ରାମର ନୃସିଂହ ଚରଣ ସାହୁ (୪୭) ଏବଂ ପୁରୀ ଜିଲ୍ଲାର ଗୋଲୋପୁର ଗ୍ରାମର ଆଲୋକ ସେନାପତି (୩୭)। ଏମମାନଙ୍କ ନାଁରେ ପ୍ରାୟ ୬ଟି କେସ୍ ରହିଛି।  ତେବେ ଏହି ଲୁଟ୍ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବାକି ଲୁଟ୍ ସୁନା ଅଳଙ୍କାର ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଛି।



Source link

Leave A Reply

Your email address will not be published.