ଭୁବନେଶ୍ୱର: ଅନଲାଇନ ଟ୍ୟାକ୍ସି, ଅଟୋ ଏବଂ ବାଇକ ଚାଳକଙ୍କୁ ଭାରି ପଡ଼ିଲା ଆନ୍ଦୋଳନ। କାରଣ ବାତିଲ ହେବାକୁ ଯାଉଛି ଆନ୍ଦୋଳନରେ ସାମିଲ୍ ଥିବା ପ୍ରାୟ ୪୦୦ ଗାଡ଼ିର ପରମିଟ୍। ବୁଧବାର ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟିଥିବା ବେଆଇନ ଘେରାଉ, ବିଶୃଙ୍ଖଳା ତଥା ରାସ୍ତାରୋକ ପରେ ଭୁବନେଶ୍ବର ଆରଟିଓ-୧ ପକ୍ଷରୁ ଆରମ୍ଭ ହୋଇଛି ପରମିଟ୍ ବାତିଲ ପ୍ରକ୍ରିୟା।
ସୂଚନାଥାଉକି, ବୁଧବାର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରେ ଅନଲାଇନ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ସମୟରେ କ୍ରୁଟ୍ (CRUT) / ଆମ ବସ୍ ସମେତ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ନଷ୍ଟ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ପୋଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଜବତ ତାଲିକାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାସ୍ତା ଅବରୋଧ କରିବା ପାଇଁ ୪୦୦ ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା ଏବଂ ପୋଲିସ ପ୍ରଶାସନ ଦ୍ୱାରା ଉକ୍ତ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ଜବତ କରାଯାଇଛି।
ଏହିପରି ବେଆଇନ କାର୍ଯ୍ୟରେ ଗାଡ଼ିର ବ୍ୟବହାର ପ୍ରଦତ୍ତ ପରମିଟ୍ ସର୍ତ୍ତାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବାରୁ ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ଏଯାବତ୍ ୪୦୦ ରୁ ଉର୍ଦ୍ଧ୍ବ ଅଟୋରିକ୍ସାର ପରମିଟ୍ ବାତିଲ କିମ୍ବା ନିଲମ୍ବିତ କରିବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର- ୧ ଆରଟିଓ ପକ୍ଷରୁ ସମ୍ପୃକ୍ତ ସମସ୍ତ ପଞ୍ଜୀକୃତ ମାଲିକ ତଥା ପରମିଟ୍ ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଉକ୍ତ ଘଟଣା ସମୟରେ ଗାଡ଼ି କାହା ନିୟନ୍ତ୍ରଣରେ ଥିଲା ଏବଂ ଏହା ମାଲିକଙ୍କ ଅନୁମତି, ନିର୍ଦ୍ଦେଶ କିମ୍ବା ଅବଗତିରେ ବ୍ୟବହୃତ ହୋଇଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Also Read: ରାଜଧାନୀ ରାଜରାସ୍ତାରେ ହଙ୍ଗାମା, ଗୋଡାଇଲେ ପୋଲିସ, ଦୌଡିଲେ ଡ୍ରାଇଭର…
ନୋଟିସ୍ ପାଇଥିବା ସମସ୍ତ ଗାଡ଼ି ମାଲିକମାନଙ୍କୁ ଧାର୍ଯ୍ୟ ତାରିଖ ଓ ସମୟ ସୁଦ୍ଧା ଆବଶ୍ୟକୀୟ ଦସ୍ତାବିଜ ସହ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବା ଏବଂ ବ୍ୟକ୍ତିଗତ ଶୁଣାଣି ପାଇଁ RTO କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଉତ୍ତର ନମିଳେ କିମ୍ବା ପକ୍ଷଭୁକ୍ତ ବ୍ୟକ୍ତି ଅନୁପସ୍ଥିତ ରୁହନ୍ତି, ତେବେ ଉପଲବ୍ଧ ରେକର୍ଡ ଆଧାରରେ ଏକତରଫା ଭାବେ ପରମିଟ୍ ରଦ୍ଦ ବା ସ୍ଥଗିତ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବ। ଏହାସହ ସ୍ପଷ୍ଟ କରାଯାଇଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ଘଟଣା ସମ୍ପର୍କିତ ଅନ୍ୟ ଅପରାଧିକ କିମ୍ବା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟପନ୍ଥା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
