ନୂଆଦିଲ୍ଲୀ: ଅନ୍ଲାଇନ୍ ଶପିଂରେ ଯେଉଁମାନେ ଚାଷାବାଷ ପାଇଁ କୀଟନାଶକ କିଣୁଥିଲେ ସେମାନଙ୍କ ପାଇଁ ବଡ଼ ଖବର। ଅନୁମୋଦନ ଓ ପଞ୍ଜୀକରଣ ନଥିବା କୀଟନାଶକ ‘ସାଇକ୍ଲୋସିନୋନ୍ ହର୍ବିସାଇଡ୍’ବିକ୍ରି ଅଭିଯୋଗରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ (CCPA) ଆମାଜନ, ଫ୍ଲିପକାର୍ଟ ଓ ଜିଓମାର୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଆମାଜନ ଓ ଫ୍ଲିପକାର୍ଟ ଉପରେ ୧୦-୧୦ ଲକ୍ଷ ଓ ଜିଓମାର୍ଟ ଉପରେ ୫ ଲକ୍ଷ ଜରିମାନା ଲଗାଯାଇଛି। ଏଥିସହିତ ଏଗୁଡ଼ିକର ବିକ୍ରି ଓ ବିଜ୍ଞାପନ ଉପରେ ତୁରନ୍ତ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ଏଥିରେ କୃଷକ ଓ ସାଧାରଣ ଗ୍ରାହକଙ୍କ ସୁରକ୍ଷା ହୋଇପାରିବି।
୪୩ ହଜାରରୁ ଅଧିକ ପ୍ୟାକେଟ୍ ବିକ୍ରି
ଅନ୍ଲାଇନ ପ୍ଲାଟଫର୍ମଗୁଡ଼ିକରେ ଏଗୁଡ଼ିକର ପ୍ରବଳ ବିକ୍ରି ହୋଇଥିଲା CCPAର ତଥ୍ୟ ଅନୁସାରେ, ଏହାର ବିକ୍ରି ପାଇଁ ଅନୁମୋଦନ ନଥିଲେ ବି କେବଳ ଆମାଜନ ମାଧ୍ୟମରେ ଏହି ଉତ୍ପାଦ ପାଇଁ ୩୮,୪୧୦ଟି ଅର୍ଡର ଆସିଥିବା ବେଳେ ମୋଟ ୪୩,୬୩୪ଟି ପ୍ୟାକେଟ୍ ବିକ୍ରି ହୋଇଥିଲା। ଏହି ଉତ୍ପାଦଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୯୬.୪୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏତେ ବଡ଼ ପରିମାଣରେ ଉତ୍ପାଦ ବିକ୍ରି ହୋଇଥିବାରୁ ଏହା ଉପରେ ନିୟନ୍ତ୍ରଣ ଓ ଯାଞ୍ଚ ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବେଆଇନ ବିକ୍ରି ନେଇ ଖବର ସାମ୍ନାକୁ ଆସିବା ପରେ କୃଷକ ସଂଗଠନ କ୍ରପ୍ କେୟାର ଫେଡେରେସନ୍ ଅଫ୍ ଇଣ୍ଡିଆ ଏନେଇ ଅଭିଯୋଗ କରିଥିଲା। ଏହାପରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ ‘ସାଇକ୍ଲୋସିନୋନ୍’ ନାମକ ରସାୟନ କୀଟନାଶକ ଆଇନ, ୧୯୬୮ ଅଧୀନରେ ଅନୁମୋଦିତ କୀଟନାଶକ ତାଲିକାରେ ନାହିଁ। ଏହାର ଅର୍ଥ ହେଲା ଏହି କୀଟନାଶକ ଫସଲ, ମାଟି ଓ ମଣିଷ ପାଇଁ ପାଇଁ କେତେ ସୁରକ୍ଷିତ ସେ ନେଇ ସରକାରୀ ଯାଞ୍ଚ ହୋଇ ନାହିଁ। ବିନା ଯାଞ୍ଚ ଓ ସରକାରୀ ମଞ୍ଜୁରୀରେ ଅନଲାଇନ ପ୍ଲାଟଫର୍ମରେ ଏଗୁଡ଼ିକ ତେମିକି ବିକ୍ରି ହେଲା ସେ ନେଇ ପ୍ରଶ୍ନ ଉଠିଛି।
Also Read- ପୁଣି ଫେରିଲା ନୋକିଆ ! ଏବେ 4G ସହ ଦାମ ୪,୨୯୯ ଟଙ୍କା
କେମିକାଲ ନା ଲୁଚାଇ ବିକ୍ରି ହେଉଥିଲା ପ୍ରଡକ୍ଟ
କୃଷିରେ ବ୍ୟବହୃତ ହେଉଥିବା ଏହି କୀଟନାଶକରେ କେଉଁ କେଉଁ ରସାୟନ ସାମଗ୍ରୀ ରହିଛି, ସେ ସମ୍ପର୍କରେ ଆବଶ୍ୟକ ସୂଚନା ସ୍ପଷ୍ଟ ଭାବେ ନ ଦେଇ ଅନଲାଇନ୍ରେ ବିକ୍ରି କରାଯାଉଥିବା ଜଣାପଡ଼ିବା ପରେ ସିସିପିଏ ଆଭିମୁଖ୍ୟ କଡ଼ା କରିଥିଲା।
ଏହାପରେ ସିସିପିଏ ତିନୋଟି ଇ-କମର୍ସ କମ୍ପାନୀକୁ ସେମାନଙ୍କ ପ୍ଲାଟଫର୍ମରେ ବିକ୍ରି ହେଉଥିବା କୃଷି ସାମଗ୍ରୀର ନିଜସ୍ୱ ଯାଞ୍ଚ କରିବାକୁ କହିଛି। ଆଇନ ଉଲ୍ଲଂଘନ କରୁଥିବା କିମ୍ବା ଗ୍ରାହକଙ୍କ ପାଇଁ ସମ୍ଭାବ୍ୟ ବିପଦ ଥିବା ଉତ୍ପାଦ ଅନଲାଇନରେ ବିକ୍ରି ନହେବା ନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ୧୫ ଦିନ ମଧ୍ୟରେ ସରକାରଙ୍କୁ ଦାଖଲ କରିବାକୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ବିକ୍ରେତାଙ୍କୁ ଦାୟୀ କରି ଖସିପାରିବେନି କମ୍ପାନୀ
ସିସିପିଏ କାର୍ଯ୍ୟାନୁଷ୍ଠାନ ନେବା ସମୟରେ ଅନ୍ଲାଇନ କମ୍ପାନୀଗୁ଼ଡ଼଼ିକ ବିକ୍ରେତାଙ୍କୁ ଦାୟୀ କରି ଖସିଯିବାକୁ ଚେଷ୍ଟା କରିଥିଲେ। ଆମାଜନ ଓ ଫ୍ଲିପକାର୍ଟ କହିଥିଲେ ଯେ ପ୍ଲାଟଫର୍ମରେ ବିକ୍ରି ହେଉଥିବା ସାମଗ୍ରୀର ବୈଧତା ଓ ଗୁଣବତ୍ତା ପାଇଁ ସମ୍ପୃକ୍ତ ସେଲର ଦାୟୀ। କମ୍ପାନୀ ଓ ସେଲରଙ୍କ ମଧ୍ୟରେ ଏନେଇ ଚୁକ୍ତି ରହିଥିବା ନେଇ ଯୁକ୍ତି ଦେଇଥିଲେ କମ୍ପାନୀ।
ତେବେ ସିସିପିଏ କିନ୍ତୁ ଏନେଇ ରୋକଠୋକ୍ ଶୁଣାଇଥିଲା। କମ୍ପାନୀ ଓ ସେଲରଙ୍କ ମଧ୍ୟରେ ଥିବା କୌଣସି ବ୍ୟକ୍ତିଗତ ଚୁକ୍ତି ଦେଶର ଆଇନ ଓ ଗ୍ରାହକଙ୍କ ସୁରକ୍ଷାଠାରୁ ଉପରେ ନୁହେଁ ବୋଲି ସିସିପିଏ କହିଥିଲା। ସେଲରଙ୍କ ପକ୍ଷରୁ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ସୂଚନା ଦିଆଯାଇପାରେ ବୋଲି ମଧ୍ୟ ସିସିପିଏ ଅନ୍ଲାଇନ ପ୍ଲାଟଫର୍ମଗୁଡ଼ିକୁ କହିଥିଲା।
ଅନ୍ଲାଇନରେ ଏଭଳି ଅନେକ ପ୍ରଡକ୍ଟ ବିକ୍ରି ହେଉଥାଇପାରେ, ଯାହାର ଅସଲିପଣ ଓ ମାନକୁ ନେଇ ପ୍ରଶ୍ନ କରାଯାଇପାରେ। ତେଣୁ ଅନଲାଇନରେ ବିକ୍ରି ହେଉଥିବା କୃଷି ଔଷଧ ଓ କୀଟନାଶକ କିଣିବା ପୂର୍ବରୁ ଗ୍ରାହକ ଏହାର ଅନୁମୋଦନ, ପଞ୍ଜୀକରଣ, ଲେବଲ୍ ଓ ଉତ୍ପାଦ ସମ୍ପର୍କିତ ଆବଶ୍ୟକ ସୂଚନା ଯାଞ୍ଚ କରିବା ନିହାତି ଜରୁରୀ।
