Voice of Eastern India

ବିଦ୍ୟାଳୟରେ ଶିକ୍ଷକଙ୍କ କଳାକାରନାମା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଥାନାରେ ଅଟକ ପ୍ରଧାନଶିକ୍ଷକ


ଜଳେଶ୍ୱର: ପବିତ୍ର ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷକ ସାଜିଲେ ରାକ୍ଷସ। ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଳେଶ୍ୱର ଥାନା ପୁଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଉଠାଇ ଆଣିଛି।

ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଲି ଗ୍ରାମରେ ଥିବା ବେଲି ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖ ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନା ଉକ୍ତ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ଅଫିସ କୋଠରୀକୁ ଡାକି ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ କୌଣସି ମତେ ସେଠାରୁ ଖସି କାନ୍ଦି କାନ୍ଦି ଘରକୁ ଫେରିଥିଲେ।

ଘରେ ପରିବାର ଲୋକେ ଝିଅଟି କାନ୍ଦୁଥିବାର ଦେଖି ପଚାରିବାରୁ ସେ ପ୍ରଧାନଶିକ୍ଷକଙ୍କ କଳାକାରନାମା ସମ୍ପର୍କରେ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ଥରେ କି ଦୁଇଥର ନୁହେଁ, ବରଂ ଏହା ପୂର୍ବରୁ ମଧ୍ୟ ଅନେକ ଥର ପ୍ରଧାନଶିକ୍ଷକ ଜୟନ୍ତ ଜେନା ତାଙ୍କ ସହ ଏଭଳି ଖରାପ ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ କହିଛନ୍ତି।

ଘଟଣା ସାମ୍ନାକୁ ଆସିବା ପରେ ଆଜି ଗ୍ରାମରେ ଏକ ବୈଠକ ଡକାଯାଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ଏହାପରେ ପରିବାର ଲୋକେ ସିଧାସଳଖ ଜଳେଶ୍ୱର ଥାନାରେ ପହଞ୍ଚି ପ୍ରଧାନଶିକ୍ଷକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ଜଳେଶ୍ୱର ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କୁ ଥାନାକୁ ଉଠାଇ ଆଣିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।



Source link

Leave A Reply

Your email address will not be published.