Voice of Eastern India

ଆଜି ରସଗୋଲା ଦିବସ, ରସଗୋଲା ଦେଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ…


ପୁରୀ: ଆଜି ହେଉଛି ରସଗୋଲା ଦିବସ । ମାଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ । ମାନବୀୟ ଲୀଳାଧାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବାକୁ ‘ରସଗୋଲା’ର ସାହାରା ନେଇଥିବାରୁ ଏ ସମ୍ପର୍କରେ ଅଧିକ ବର୍ଣ୍ଣନା ଅନାବଶ୍ୟକ । ତେବେ ମହାପ୍ରଭୁଙ୍କ ରଥଯାତ୍ରାର ଅନ୍ତିମ ଚରଣରେ ମହାଲକ୍ଷ୍ମୀଙ୍କ ଅଭିମାନ ଏବଂ ରସଗୋଲା ଦେଇ ଦେବୀଙ୍କୁ ତୋଷ କରିବାର ଲୀଳା ରସଗୋଲାଠୁ ବି ଆହୁରି ମିଠା । ପୌରାଣିକ ଅନୁଯାଇ ଯେବେ ମହାପ୍ରଭୁ ନିଜ ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ସେବେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଯାଇନଥିଲେ । ଯେଉଁଥିପାଇଁ ସେ ରୋଷ ଓ ଅଭିମାନ କରିଥିଲେ । ରାଗରେ ଜର୍ଜରିତ ମା ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କ ଫେରିବା ବାଟକୁ ଅନାଇ ବସିଥାନ୍ତି । ଯେବେ ମହାପ୍ରଭୁ ଶ୍ରୀନଅର ଭିତରକୁ ଫେରିବେ ସେବେ ମାନବୀୟ ଢଙ୍ଗରେ ସ୍ୱାମୀଙ୍କ ଆଗେ ଅଭିମାନ ଦେଖାଇବେ । ସେପଟେ ମାଙ୍କ କ୍ରୋଧ ବିଷୟରେ ସବୁ ଜଣାଥାଏ ମହାପ୍ରଭୁଙ୍କୁ । ଆଉ ସେଇଥିପାଇଁ ସେ ମଧ୍ୟ ସଜାଗ ଥାନ୍ତି । ଯେବେ ନବଦିନାତ୍ମକ ମାନବୀୟ ଲୀଳାଖେଳା ସାରି କାଳିଆ ସାଆନ୍ତେ ଭାଇ ଭଉଣୀଙ୍କୁ ଘେନି ଶ୍ରୀମନ୍ଦିର ମୁହାଁ ହୁଅନ୍ତି ସେବେ ଅନ୍ତିମ ଚରଣରେ ମହାଲକ୍ଷ୍ମୀଙ୍କ ଅଭିମାନ ଏବଂ ରସଗୋଲା ଦେଇ ଦେବୀଙ୍କୁ ତୋଷ କରିବାର ଅଦ୍ଭୁତ ଲୀଳା ଦେଖିବାକୁ ମିଳିଥାଏ । ନିଃସଙ୍ଗତା ଭିତରେ ନିମଜ୍ଜିତା ଦେବୀ ଯେ କୋପ କରିଛନ୍ତି ଏକଥା ମହାପ୍ରଭୁଙ୍କୁ ଅଛପା ନାହିଁ । ତେଣୁ ପତ୍ନୀ ତଥା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରିବାକୁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିଥାନ୍ତି । ରସଗୋଲା ଖାଇବା ପରେ ମାଙ୍କ କ୍ରୋଧ ଶାନ୍ତ ହୋଇଥାଏ ଆଉ ମହାପ୍ରଭୁଙ୍କୁ ଶ୍ରୀନଅର ଭିତରକୁ ପ୍ରବେଶ ମିଳିଥାଏ ।

ଶ୍ରୀମନ୍ଦିର ମଧ୍ୟରେ ବର୍ଷକରେ ଥରେ ମାତ୍ର ରସଗୋଲା ଭୋଗ ହେବାର ପରମ୍ପରା ରହିଛି। କୌତୂହଳର କଥା ହେଉଛି, ଯେତେବେଳେ ମହାଲକ୍ଷ୍ମୀ କୋପ କରିଛନ୍ତି, ଠିକ୍ ସେତିକି ବେଳେ ହିଁ ଏହି ରସ କେଳି ଭୋଗର ଆବଶ୍ୟକତା ପଡ଼ିଛି। ମାନବୀୟ ଲୀଳା ସଂରଚନା କରୁଥିବା କୋଟି କୈବଲ୍ୟନାଥ ମହାପ୍ରଭୁଙ୍କ ଏହି ପରମ୍ପରା ୭ଶହ ବର୍ଷର ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଏପରିକି ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀରେ ରଚିତ ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲା ସମ୍ପର୍କରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରାର ଶେଷ ଅଙ୍କ ହେଉଛି ନୀଳାଦ୍ରି ବିଜେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ପରମ୍ପରା ରହିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ ଏବଂ ବନ୍ଦାପନା, ରସଗୋଲା ଭୋଗ, ଇତ୍ୟାଦି ଭିତରଛ ମହାପାତ୍ରଙ୍କ ଦ୍ବାରା ସମାହିତ ହୁଏ। ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। କଥିତ ଅଛି ମହାପ୍ରଭୁ ମହାଲକ୍ଷ୍ମୀ ଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଂଜନ କରିଥିଲେ । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଛି।



Source link

Leave A Reply

Your email address will not be published.