Voice of Eastern India

ବିଜେପି ନେତାଙ୍କୁ ଜାଳିଦେଲେ ବାଲି ମାଫିଆ : ଏସୟୁଭି ଚାରିପଟେ ଟ୍ରକ୍ ରଖି ଲଗାଇଦେଲେ ନିଆଁ


ରାୟପୁର,୧୭|୦୬:ଜୀଅନ୍ତା ଜଳିଗଲେ ବିଜେପି ନେତା । ବେଆଇନ ବାଲି ଚୋରାଚାଲାଣକୁ ନେଇ ଭୟଙ୍କର ଘଟଣା । କିଛି ଏମିତି ଘଟିଛି ଛତିଶଗଡର କୋରିୟା ଜିଲ୍ଲାରେ । ଏଠାରେ ବିଜେପି ନେତାଙ୍କ ସମେତ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ରିପୋର୍ଟ ଅନୁସାରେ, କୋରିୟା ଜିଲ୍ଲାର ନାଉଗେନ୍ ଗ୍ରାମ ଦେଇ ବିଜେପି ନେତା ଭରତ ସିଂ ତାଙ୍କର କିଛି ସହଯୋଗୀଙ୍କ ସହ ଏକ ଫର୍ଚ୍ୟୁନର୍ କାରରେ ଯାଉଥିଲେ । ଏକ ବାଲି ଖାଦାନ ସମ୍ପର୍କୀୟ କିଛି ବିବାଦକୁ ନେଇ ସେ ନାଉଗେନ୍ ଗସ୍ତ କରିଥିଲେ । ସେ ଏସୟୁଭିରେ ଆସୁଥିବା ବେଳେ ତାଙ୍କ ଗାଡିକୁ ଚାରିପଟୁ କିଛି ଟ୍ରକ୍ ଘେରି ନିଆଁ ଲଗାଇ ଦେଇଥିଲେ । ଏସୟୁଭିରୁ ବାହାରିବା ବାଟ ବି ସେମାନେ ବନ୍ଦ କରିଦେଇଥିଲେ । ଏହାପରେ ତାଙ୍କର ମୃତ୍ୟ ଖବର ପାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପଛରେ ବାଲିମାଫିଆଙ୍କ ହାତ ଥିବା ସେମାନେ କହୁଛନ୍ତି ।

ପୋଲିସର ପ୍ରତିକ୍ରିୟା

ପୋଲିସର କହିବାନୁସାରେ, ଭରତଙ୍କ କାର୍ ରାସ୍ତାରେ ଯାଉଥିବା କିଛି ବାଲି ଟ୍ରକ୍ ମଝିରେ ଫସି ଯାଇଥିଲା । ଫଳରେ ଏଥିରୁ ପେଟ୍ରୋଲ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା । ଉଦ୍ଧାର କରିବା ପୂର୍ବରୁ ହିଁ ତିନି ଜଣ ପ୍ରାଣ ହରାଇଥିଲେ । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅକ୍ଷତ ତ୍ରିପାଥୀ, ବିଶାଳ ତ୍ରିପାଠୀ, ସତ୍ୟପ୍ରକାଶ ତ୍ରିପାଠୀ ଏବଂ ମନୁ ତ୍ରିପାଠୀ । ଏହାସହ ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି ସେନେଇ ତନାଘନା ଜାରି ରହିଛି ।

ତେବେ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ କୋରିୟାରେ ଉତ୍ତେଜନା ପ୍ରକାଶ ପାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବାଲି ଉଠାଣକୁ ନେଇ ବିବାଦ

କୁହାଯାଉଛି ଯେ, ଭରତ ସିଂଙ୍କୁ ଏକ ବାଲି ଖାଦାନ ମିଳିଥିଲା । ତେବେ ଏହାକୁ ନେଇ ତାଙ୍କର ଅନ୍ୟ ଜଣେ ନେତାଙ୍କ ସହ ବିବାଦ ଉପୁଜିଥିଲା । ଯାହା ଫଳରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।



Source link

Leave A Reply

Your email address will not be published.