Voice of Eastern India

ବାଂଲାଦେଶ ରାଷ୍ଟ୍ରପତି ପଦରୁ ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା, ଜାଣନ୍ତୁ କ’ଣ ପାଇଁ ଛାଡିଲେ ପଦ?




ଢାକା: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି ଯେ ଦୀର୍ଘ ସମୟରୁ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗି ଆସୁଛନ୍ତି ଓ ଏହି କାରଣରୁ ପଦ ଛାଡିବାର ନିଷ୍ପତ୍ତି ନେଇଛନ୍ତି। ସେ ‘ଦି ଡେଲି ଷ୍ଟାର’ ସହ ଆଲୋଚନାରେ ଏହି କଥା କହିଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ନେଇ ବଙ୍ଗ ଭବନରୁ ପ୍ରତିନିଧି ସଂସଦ ଉଦ୍ଦେଶ୍ୟରେ ବାହାରି ଯାଇଛନ୍ତି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସମ୍ପର୍କ ପାଇଁ ସରକାର ତାଙ୍କ ଉପରେ ପଦ ଛାଡିବାର ଚାପ ପକାଇ ଆସୁଥିଲେ ବୋଲି ଅଧିକାରୀ କହିଛନ୍ତି।

ଶାହବୁଦ୍ଦିନଙ୍କ ଇସ୍ତଫା ପରେ ବାଂଲାଦେଶ ଶୀର୍ଷ ପଦପଦବୀରେ ଶେଖ ହସିନାଙ୍କ ଶେଷ ସହଯୋଗୀ ମଧ୍ୟ ହଟି ଯାଇଛନ୍ତି। ମହମ୍ମଦ ଶାହାବୁଦ୍ଦିନ ସମ୍ବିଧାନର ଅନୁଚ୍ଛେଦ ୫୦(୩) ଅନୁସାରେ ବାଂଲାଦେଶ ସଂସଦର ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୮ ପର୍ଯ୍ୟନ୍ତ ଥିଲା। ତେବେ ସେ ନିର୍ଦ୍ଧାରିତ ଅବଧି ପୁରା ହେବା ପୂର୍ବରୁ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ରାଷ୍ଟ୍ରପତି ପଦରୁ ଶାହାବୁଦ୍ଦିନଙ୍କ ଇସ୍ତଫା ପରେ ଦେଶରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି।

ବାଂଲାଦେଶ ରାଷ୍ଟ୍ରପତି ସେତେବେଳେ ବିବାଦକୁ ଆସିଥିଲେ ଯେତେବେଳେ ସେ ଲଣ୍ଡନ ପ୍ରବାସ କାଳରେ ନିବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଥିଲେ। ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟଗତ କାରଣ ଲାଗି ବିଦେଶ ଯାଇଥିବା ରାଷ୍ଟ୍ରପତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ଉଦ୍ୟମ କରିଥିଲେ। ଏହା ପରେ ତାଙ୍କର ରାଜନୈତିକ ନିଷ୍ଠାକୁ ନେଇ ବିରଧୀ ଦଳ ଓ ରାଜନୈତିକ ଅଳିନ୍ଦରେ ପ୍ରଶ୍ନ ଉଠିଥିଲା। ତେବେ ଗତ କିଛି ଦିନ ହେଲା ବାଂଲାଦେଶ ରାଷ୍ଟ୍ରପତି ଇସ୍ତଫା ଦେବେ ବୋଲି ଆଶଙ୍କା କରାଯାଉଥିଲା। ରିପୋର୍ଟ ଅନୁସାରେ ଶାହାବୁଦ୍ଦିନ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ପଦ ଛାଡିବାର ଇଛାବ୍ୟକ୍ତ କରିଥିଲେ।

ତେବେ ଗୁରୁବାର ସାମ୍ନାକୁ ଆସିଥିବା ସୂଚନା ପରେ ତାଙ୍କ ପଦ ଛାଡିବା ସ୍ପଷ୍ଟ ହୋଇଯାଇଥିଲା। ମହମ୍ମଦ ଶାହବୁଦ୍ଦିନ ୨୪ ଏପ୍ରିଲ ୨୦୨୩ରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆବାମୀ ଲିଗ୍ ସରକାରରେ ତାଙ୍କୁ ରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା ଓ ତାଙ୍କୁ ୫ ବର୍ଷର ସାମ୍ବିଧାନିକ କାର୍ଯ୍ୟକାଳ ମିଳିଥିଲା। ତେବେ ତାଙ୍କ କାର୍ଯ୍ୟକାଳ ପୁରା ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇ ପଦ ଛାଡିଛନ୍ତି।



Source link

Leave A Reply

Your email address will not be published.