ଲକ୍ଷ୍ନୌ: କୁହାଯାଏ ଦୁନିଆରେ ଗୋଟିଏ ସ୍ତ୍ରୀ ସବୁ କିଛି ଭାଗ ବାଣ୍ଟିପାରେ, କିନ୍ତୁ କାହା ସହ ନିଜ ସ୍ୱାମୀକୁ ନୁହେଁ । କିନ୍ତୁ ଏଇଠି ତିନି ଭଉଣୀ ଜଣେ ଯୁବକଙ୍କୁ ବିବାହ କରି ନିଜ ସିନ୍ଦୂରକୁ ଭାଣ୍ଟିଛନ୍ତି । ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ତିନିଜଣ ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ବିବାହ ପରେ ପରସ୍ପରଠାରୁ ଅଲଗା ହୋଇ ରହିବା କଥା ସେମାନେ ଭାବିପାରିନଥିଲେ ।
ଅମରୋହା ଜିଲ୍ଲା ହାସନପୁରର ଧୌରିଆ ଗାଁର ତିନି ଭଉଣୀ ସରୋଜ (୨୦), ସାବିତ୍ରୀ (୧୯) ଏବଂ ସନ୍ତୋଷ (୧୮) ସୋସିଆଲ ମିଡିଆରେ କଣ୍ଟେଣ୍ଟ କ୍ରିଏଟର । ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୭ ତାରିଖରେ ଏହି ତିନିଜଣ ଭଉଣୀ ଚାମୁଣ୍ଡା ମାତା ମନ୍ଦିରରେ ସେମାନଙ୍କ କ୍ୟାମେରାମ୍ୟାନ୍ ବିକାଶଙ୍କୁ ବିବାହ କରିଛନ୍ତି ।
ଏହି ବିବାହର ଭିଡିଓ ବୁଧବାର ଅନଲାଇନରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ କିଛି ହିନ୍ଦୁ ସଂଗଠନ ଏହାର କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ବିବାହର ରୀତିନୀତି ସମ୍ପନ୍ନ ହେବା ପରେ ବିକାଶ ପ୍ରତ୍ୟେକ ଭଉଣୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି । ଏହି ବିବାହ ସମୟରେ ଉଭୟ ପକ୍ଷରୁ କୌଣସି ପରିବାର ସଦସ୍ୟ ଉପସ୍ଥିତ ନଥିଲେ ।
'ଆମେ ଅଲଗା ରହିବା କଥା କଳ୍ପନା ମଧ୍ୟ କରିପାରୁନାହୁଁ'
ଗୋଟିଏ ଯୁବକଙ୍କୁ କାହିଁକି ବିବାହ କଲେ ବୋଲି ପଚରାଯିବାରୁ ସରୋଜ କହିଥିଲେ, ସେମାନେ ସାରା ଜୀବନ ଏକାଠି ରହିଆସିଛନ୍ତି । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ପରିବାର ଲୋକେ ସେମାନଙ୍କୁ ଅଲଗା ଅଲଗା ବିବାହ କରାଇବାକୁ ଯୋଜନା କରୁଛନ୍ତି, ସେମାନେ ସହିପାରି ନଥିଲେ । ସେ କହିଛନ୍ତି, "ଆମେ ପିଲାଦିନରୁ ଏକାଠି ରହିଆସିଛୁ ଏବଂ ଅଲଗା ରହିବା କଥା କଳ୍ପନା ମଧ୍ୟ କରିପାରୁନାହୁଁ । ଯେତେବେଳେ ଆମେ ବୁଝିଲୁ ଯେ ବିବାହ ଆମକୁ ଅଲଗା କରିଦେବ, ଆମେ ଆତ୍ମହତ୍ୟା କରିବାକୁ ମଧ୍ୟ ଭାବିଥିଲୁ । ପରେ ଆମେ ସ୍ଥିର କଲୁ ଯେ ମରିବା ପରିବର୍ତ୍ତେ ଆମେ ଏକାଠି ରହିବୁ ଏବଂ ଜଣେ ହିଁ ଯୁବକଙ୍କୁ ବିବାହ କରିବୁ । ଆମେ ସମସ୍ତେ ସାବାଳିକା ଏବଂ ନିଜ ଇଚ୍ଛାରେ ଏହି ନିଷ୍ପତ୍ତି ନେଇଛୁ ।"
ତିନି ଭଉଣୀଙ୍କ କହିବା ଅନୁଯାୟୀ, ବିକାଶ ଗତ ୬ ମାସ ଧରି ସେମାନଙ୍କ କ୍ୟାମେରାମ୍ୟାନ୍ ଭାବେ କାମ କରୁଥିଲେ ଏବଂ ଅନେକ ସମୟରେ ସୋସିଆଲ୍ ମିଡିଆ ଭିଡିଓରେ ସ୍ୱାମୀଙ୍କ ଚରିତ୍ରରେ ମଧ୍ୟ ଅଭିନୟ କରୁଥିଲେ ।
ସେପଟେ ବିକାଶ କହିଛନ୍ତି ଯେ ତିନି ଭଉଣୀ ପରସ୍ପରର କେତେ ନିକଟତର ସେ କଥା ସେ ବୁଝିଥିଲେ । ସେମାନଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ । ସେ କହିଛନ୍ତି, "ମୁଁ ଜାଣିଥିଲି ଯେ ତିନି ଭଉଣୀ ପରସ୍ପର ସହ ଅତି ନିବିଡ଼ । ସେମାନେ ମୋତେ ବାରମ୍ବାର କହିଥିଲେ ଯେ ବିବାହ ପରେ ସେମାନେ ଅଲଗା ରହିବାକୁ ଚାହୁଁନାହାନ୍ତି । ମୁଁ ସେମାନଙ୍କ ଭାବନାକୁ ସମ୍ମାନ ଜଣାଇଲି ଏବଂ ସେମାନଙ୍କୁ ବିବାହ କରିବାକୁ ରାଜି ହେଲି କାରଣ ମୁଁ ଚାହୁଁଥିଲି ଯେ ସେମାନେ ଏକାଠି ରୁହନ୍ତୁ । ଆମେ ପରସ୍ପର ସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛୁ ଏବଂ ଆଶା କରୁଛୁ ଯେ ଲୋକେ ଆମ ନିଷ୍ପତ୍ତିକୁ ସମ୍ମାନ ଦେବେ।"
ସମାଲୋଚନା ମଧ୍ୟରେ ନିଷ୍ପତ୍ତିର ପକ୍ଷ ରଖିଲେ ତିନି ଭଉଣୀ
ଅନଲାଇନରେ ସମାଲୋଚନା ବଢ଼ିବା ପରେ ଭଉଣୀମାନେ ନିଜ ବିବାହ ସପକ୍ଷରେ ଆଉ ଏକ ଭିଡିଓ ଜାରି କରିଛନ୍ତି । ହିନ୍ଦୁ ପୁରାଣର ଉଦାହରଣ ଦେଇ ସେମାନେ କହିଛନ୍ତି, "ପ୍ରାଚୀନ କାଳରେ ରାଜା ଦଶରଥଙ୍କର ତିନି ଜଣ ରାଣୀ ଥିଲେ । ସେତେବେଳେ କ'ଣ ଏହା ଅପମାନ ଥିଲା କି ?" ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ କୌଣସି ଭୁଲ କରିନାହାନ୍ତି, କାରଣ ଚାରିଜଣ ଯାକ ସାବାଳକ ଏବଂ ସେମାନେ ନିଜ ଇଚ୍ଛାରେ ଏହି ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଏହି ବିବାହକୁ ନେଇ ଆଇନଗତ ପ୍ରଶ୍ନ ମଧ୍ୟ ଉଠିଛି । ଆଲ୍ଲାହାବାଦ ହାଇକୋର୍ଟର ଓକିଲ ଅନୁରାଗ ପାଣ୍ଡେ କହିଛନ୍ତି ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏହି ବିବାହର କୌଣସି ଆଇନଗତ ବୈଧତା ନାହିଁ । ସେ କହିଛନ୍ତି, "ହିନ୍ଦୁ ଆଇନ ଅନୁଯାୟୀ, ଜଣେ ହିନ୍ଦୁ ପୁରୁଷ ଏକାସାଙ୍ଗରେ ଏକାଧିକ ମହିଳାଙ୍କୁ ଆଇନଗତ ଭାବେ ବିବାହ କରିପାରିବେ ନାହିଁ । ଆଇନ ଦୃଷ୍ଟିରେ ଏଭଳି ବିବାହ ବେଆଇନ ଏବଂ ଏହା କୌଣସି ବୈଧତା ନାହିଁ ।"
ସେପଟେ ଚାମୁଣ୍ଡା ମାତା ମନ୍ଦିର ପରିଚାଳକ ଶିବଚରଣ ଦାସ କହିଛନ୍ତି ଯେ ମନ୍ଦିରରେ ମରାମତି କାମ ଚାଲିଥିବାରୁ ବିବାହ ସମୟରେ କୌଣସି ପୂଜକ ଉପସ୍ଥିତ ନଥିଲେ । ଅନ୍ୟପକ୍ଷରେ, ହାସନପୁର ସର୍କଲ ଅଫିସର ପଙ୍କଜ ତ୍ୟାଗୀ କହିଛନ୍ତି ଯେ ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ସେହି ଚାରିଜଣଙ୍କ ଏବଂ ସେମାନଙ୍କ ପରିବାର ସହ କଥା ହୋଇଛି । ପୋଲିସ ଅଧିକାରୀ କହିଛନ୍ତି, "ସେମାନେ ଆମକୁ କହିଛନ୍ତି ଯେ ସେମାନେ ସାବାଳକ ଏବଂ ନିଜ ଇଚ୍ଛାରେ ଏହି ବିବାହ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ ଏବଂ ସେମାନଙ୍କ ବାପାମାଆ ମଧ୍ୟ ସେମାନଙ୍କ ନିଷ୍ପତ୍ତିକୁ ବିରୋଧ କରିନାହାନ୍ତି । ଯଦି କୌଣସି ଅଭିଯୋଗ ଦାଖଲ ହୁଏ କିମ୍ବା ଆଇନଗତ ଅପରାଧ ହୋଇଥିବା ଜଣାପଡେ, ତେବେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
Source link
