Voice of Eastern India

ପ୍ରଧାନମନ୍ତ୍ରୀ ମୋଦୀ ଓ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା: ଶାନ୍ତି ଏବଂ ସ୍ଥିରତା ଉପରେ ଭାରତର ଗୁରୁତ୍ୱ


ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ମଧ୍ୟରେ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ୍ ବାର୍ତ୍ତାଳପ ହୋଇଛି। ଏହି ଆଲୋଚନା ସମୟରେ ପଶ୍ଚିମ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହିତ ସାମୁଦ୍ରିକ ପରିବହନ ଏବଂ ବାଣିଜ୍ୟର ସ୍ୱାଧୀନତାକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଗତ କିଛି ଦିନ ହେବ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆକ୍ରମଣ ଓ ପ୍ରତି-ଆକ୍ରମଣ ଯୋଗୁଁ ଅଞ୍ଚଳରେ ଅସ୍ଥିରତା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

 ଏହା ବ୍ୟତୀତ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ପରଲୋକ ପରେ ଆୟୋଜିତ ହେବାକୁ ଥିବା ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଷ୍ଟ୍ରପତି ପେଜେସ୍କିଆନ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବାର କିଛି ଦିନ ପରେ ଏହି ଆଲୋଚନା ହୋଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଲୋଚନା ମାଧ୍ୟମରେ ହୋଇଥିବା ପ୍ରଗତିକୁ ଆମେ ସ୍ୱାଗତ କରୁଛୁ ଏବଂ ଆଶା କରୁଛୁ ଯେ, ନିରନ୍ତର ପ୍ରୟାସ ଦ୍ୱାରା ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେବ। ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ‘ହର୍ମୁଜ ପ୍ରଣାଳୀ’ (Hormuz Strait) ରେ  ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଦୋହରାଇଛି।’

ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିବା ସହ ଭାରତର ପୁରୁଣା ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସମସ୍ତ ବିବାଦର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହିଁ କରାଯାଇପାରିବ। ଆଲୋଚନା ସମୟରେ ଇରାନ ରାଷ୍ଟ୍ରପତି ମଧ୍ୟ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଇଥିଲେ।

ସେପଟେ ଖାମେନିଙ୍କ ଅନ୍ତିମ ସଂସ୍କାର ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇରାନ ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ ।  ଯଦିଓ ଭାରତ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଇରାନ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟା ଏବଂ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ (ଅବସରପ୍ରାପ୍ତ) ସୈୟଦ ଅତା ହସନୈନ ଜୁଲାଇ ୪ ତାରିଖରେ ତେହେରାନରେ ଆୟୋଜିତ ହେବାକୁ ଥିବା ଏହି ଶୋକସଭାରେ ଭାରତର ପ୍ରତିନିଧିତ୍ୱ କରିପାରନ୍ତି। 



Source link

Leave A Reply

Your email address will not be published.