ଟାଙ୍ଗରପାଲି ବ୍ଳକ ଦଳଦଳି ଗ୍ରାମର ଟଙ୍କ କଠିଆଲ । ବୟସ ହେଉଛି ୨୬ । ୯୦ ପ୍ରତିଶତ ସେ ଦିବ୍ୟାଙ୍ଗ । ୨୦୧୪ ମସିହାରୁ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଅନ୍ତର୍ଗତ ଦିବ୍ୟାଙ୍ଗ ଭତ୍ତା ପାଇ ଆସୁଥିଲେ। ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କ ଘରକୁ ନେଇ ଭତ୍ତା ଦେଇ ଆସୁଥିଲେ। ହେଲେ ଏହି ହିତାଧିକାରୀଙ୍କୁ ୨୦୨୫ରେ ମଧୁବାବୁ ପେନସନ ଯୋଜନାରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) କୁ ସ୍ଥାନାନ୍ତର କରାଯିବା ପରେ ସମସ୍ୟା ଭୋଗୁଛନ୍ତି । ଏନଏସଏପିରେ ପ୍ରତ୍ୟକ୍ଷ ଲାଲ ସ୍ଥାନାର (ଡିବିଟି) ମାଧ୍ୟମରେ ପେନସନ ପ୍ରଦାନ କରାଯାଇଥାଏ। ତେବେ ପ୍ରଥମ ୭ ମାସ ଯାଏ ତାଙ୍କ ଜମା ଖାତାକୁ ପେନସନ ଆସି ନ ଥିବାରୁ ସେ ଭତ୍ତା ପାଇଁ ବିଭିନ୍ନ ଜନପ୍ରତିନିଧ, ଅଧୁକାରୀଙ୍କୁ ଗୁହାରି କରିବା ପରେ ଭତ୍ତା ଆସିଥିଲା । ହେଲେ ଏହି ସମସ୍ୟା ହଟିବା ପରେ ଗତ ଏପ୍ରିଲରୁ ପୁଣି ଭତ୍ତା ଆସି ନ ଥିଲା । ଏହି ୨ ମାସର ଭତ୍ତା କିଛି ଦିନ ତଳେ ମିଳିଛି । ହେଲେ ଜୁନ ମାସର ଭତ୍ତା ଜମା ଖାତା ସହ ଆଧାର ଲିଙ୍କ ନ ଥିଲେ ମିଳିବନି ବୋଲି ବିଭାଗୀୟ ଅଧିକାରୀ କହୁଥିବାରୁ ଏହି ଦିବ୍ୟାଙ୍ଗଙ୍କ ନିଦ ପୁଣି ହଜିଯାଇଛି। ଭତ୍ତା ପାଇବାରେ ସେ ଅଡୁଆ ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି।
ଖାଲି ଯେ ଦଳଦଳି ଗ୍ରାମର ଏହି ଦିବ୍ୟାଙ୍ଗ ଜଣକ ନୁହନ୍ତି , ଅଧାର ଲିଙ୍କେଜ ହୋଇ ନ ଥିବାରୁ ଚଳିତ ମାସରୁ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୧୫,୯୧୩ ଜଣ ହିତାଧିକାରୀଙ୍କ ଜମାଖାତାକୁ ଡିବିଟି ବନ୍ଦ ହେବାର ଆଶଙ୍କା ରହିଛି। ଫଳରେ ଏହି ହିତକାରୀମାନେ ୨ ମାସ ବକେୟା ଭତ୍ତା ପାଇଥିଲେ ହେଁ ଆଧାର ଲିଙ୍କେଜ ପାଇଁ ଏବେ ପୁଣି ବାଦ ପଡିବାକୁ ଯାଇ ଥିବାରୁ ମାନସିକ ଚିନ୍ତା ମଧ୍ୟରେ କାଳାତିପାତ କରୁଥିବା ଅଭିଯୋଗ ହେଉଛି। ୯ ଜିଲ୍ଲାରେ ୧୪ ହଜାର ୫୭୫ଜଣ ଏମଡିପିୱାଇ ହିତାଧିକାରୀ ଅଛନ୍ତି । ଏହି ହିତାଧିକାରୀମାନେ ପ୍ରତିମାସ ନଗଦ ଆକାରରେ ଭତ୍ତା ପାଇ ଆସୁଛନ୍ତି । ସେହିପରି ଏନଏସଏପିରେ ୮୭ ହଜାର ୭୫୨ ଜଣ ହିତାଧିକାରୀ ରହିଛନ୍ତି। ଏମାନଙ୍କୁ ଡିବିଟି ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଛି। ଏମାନେ ଭତ୍ତା ଟଙ୍କା ଉଠାଣରେ ଘୋର ହନ୍ତସନ୍ତ ହେଉଛନ୍ତି । ପ୍ରାୟ ସମସ୍ତ ପଞ୍ଚାୟତରେ ବିଭିନ୍ନ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଦି ରହିଛି। ତେବେ ଏହି କେନ୍ଦ୍ରଗୁଡିକ ନିୟମିତ ଖୋଲା ନ ଥିବାବେଳେ ଟଙ୍କା ଉଠାଣରେ କମିଶନ ନିଆଯାଉଛି। ଏହା ଗରିବ ହିତାଧିକାରୀଙ୍କୁ ବେଶ ବାଧୁଛି ।
ଏବେ ପୁଣି ଆଧାର ଲିଙ୍କେଜ ବାଧ୍ୟତାମୂଳକ କରାଯିବା ତାଙ୍କ ଚିନ୍ତା ବଢ଼ାଇ ଦେଇଛି। କେତେଜଣ ହିତାଧିକାରୀ ଆଧାର ଲିଙ୍କ୍ ପାଇଁ କେନ୍ଦ୍ରକୁ ଯାଇଥିଲେ ମଧ୍ୟ କେତେବେଳେ ଲିଙ୍କ ଫେଲ ତ ଆଉ କେତେବେଳେ ନେଟୱର୍କ ସମସ୍ୟା ଯୋଗୁ କାମ ହୋଇପାରୁନାହିଁ । ଫଳରେ ହିତାଧିକାରୀମାନେ ବାରମ୍ବାର ଯିବା ଆସିବାରେ ହଇରାଣ ହେଉଛନ୍ତି। ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲି ରଣା କହିଛନ୍ତି, ଆଧାର ଲିଙ୍କେଜ ନ ଥିବା ହିତାଧିକାରୀଙ୍କ ଇ-କେୱଲସି ଏବଂ ଏନପିସିଆଇ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଚଳିତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି। ହିତାଧିକାରୀଙ୍କ ସୁବିଧା ପାଇଁ ଏହି ସମୟ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଳକ ଓ ପୌରାଞ୍ଚଳରେ ଇ-କେୱାଇସି ଏବଂ ଏନପିସିଆର କ୍ୟାମ୍ପ କରାଯିବ। ଏଥିସହ ନିଜେ ମଧ୍ୟ ହିତାଧିକାରୀ ବ୍ୟାଙ୍କକୁ ଯାଇ ଏହା କରିପାରିବେ। ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ତା ରହିଛି ବୋଲି ସେ କହିଛନ୍ତି।
