Voice of Eastern India

ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା-୨୦୨୬: ସୋଆକୁ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର


ଭୁବନେଶ୍ୱର: ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା-୨୦୨୬ରେ ଶ୍ରେଷ୍ଠ ପ୍ରଦର୍ଶନୀ (ବେଷ୍ଟ ଏଗ୍‌ଜିବିଟର) ପୁରସ୍କାର ହାସଲ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୌରବ ଅର୍ଜନ କରିଛି । ଆଇସିଏଆର-କେନ୍ଦ୍ରୀୟ ମହିଳା କୃଷି ସଂସ୍ଥାନ (ଆଇସିଏଆର୍-ସିଆଇଡବ୍ଲୁଏ) ପରିସରରେ ଆୟୋଜିତ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂସ୍ଥାର ୧୨୩ଟି ଷ୍ଟଲ୍ ମଧ୍ୟରେ ସୋଆ ଏହି ସମ୍ମାନ ହାସଲ କରିଛି ।

ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜିତ ଏହି ଷ୍ଟଲ୍ଟି ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସରେ ଆୟୋଜନ କରାଯାଇଥିଲା । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ମନମୋହନ ମିଶ୍ର, ପ୍ରଫେସର ଡକ୍ଟର ଦେବାଶିଷ ହୋତ. ଆସୋସିଏଟ୍ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଶତପଥୀ ଓ ଡକ୍ଟର ରାଜୀବ କୁମାର ବେହେରା ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସାମିଲ ହୋଇ ଷ୍ଟଲର ପରିଚାଳନା ଓ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ ।

ଷ୍ଟଲରେ ସୋଆର ବିଭିନ୍ନ ଅଭିନବ କୃଷି ଜ୍ଞାନକୌଶଳ, ଗବେଷଣାଲବ୍ଧ ଉପଲବ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଉଦ୍ୟୋଗମୂଳକ ଶିକ୍ଷା କାର୍ଯ୍ୟକ୍ରମ (ଏକ୍ସପେରିଏନ୍ସିଆଲ୍ ଲର୍ଣ୍ଣିଂ ପ୍ରୋଗ୍ରମ୍- ଇଏଲ୍ପି) ଅନ୍ତର୍ଗତ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦ୍ରବ୍ୟ, ପାଳ ଛତୁର ମଞ୍ଜି, ଛତୁଆ, ସୁପ୍ ପାଉଡର, ଆଚାର, ବିଭିନ୍ନ ଫଳ ମିଶ୍ରିତ ଜାମ୍, ପଞ୍ଚଗବ୍ୟ ଆଦି ବିଭିନ୍ନ ଜୈବିକ ସାର, ବିଭିନ୍ନ ମଞ୍ଜିରେ ତିଆରି ଘର ସଜା ଜିନିଷ ଆଦି ପ୍ରଦର୍ଶିତ କରାଯାଇଥିଲା ।

ଷ୍ଟଲର ଅନ୍ୟତମ ଆକର୍ଷଣ ଥିଲା କୃଷକମାନଙ୍କ ପାଇଁ ଆୟୋଜିତ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ । ବହୁ ସଂଖ୍ୟାରେ କୃଷକ ଷ୍ଟଲ୍ ପରିଦର୍ଶନ କରି ଛତୁ ଚାଷ, ମାଇକ୍ରୋଗ୍ରୀନ୍ସ ଉତ୍ପାଦନ ଏବଂ ଜୈବିକ କୃଷି ପଦ୍ଧତି ସଂପର୍କରେ ତାଲିମ ଗ୍ରହଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏହି ପଦ୍ଧତିଗୁଡ଼ିକର ବୈଜ୍ଞାନିକ ଦିଗ ଓ ବ୍ୟବହାରିକ ପ୍ରୟୋଗ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ ।

କୃଷି ଶିକ୍ଷା, ଗବେଷଣା, ନବସୃଜନ ଏବଂ କୃଷକମାନଙ୍କ ଦକ୍ଷତା ବିକାଶ ଦିଗରେ ସୋଆର ନିରନ୍ତର ପ୍ରୟାସର ଏହି ସଫଳତା ଏକ ପ୍ରତିଫଳନ । ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସମନ୍ୱିତ ଉଦ୍ୟମ ଏବଂ କୃଷକମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ ଏହି ସଫଳତାକୁ ଅଧିକ ଅର୍ଥପୂର୍ଣ୍ଣ କରିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ, କୃଷି ବିଜ୍ଞାନ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି ।



Source link

Leave A Reply

Your email address will not be published.