Voice of Eastern India

Salman Khan: ‘୫ ହଜାର ଲୋକଙ୍କ ରୋଜଗାର ମୋ ଉପରେ ନିର୍ଭର କରେ’… ପ୍ରତିଦିନ ସେଟକୁ ଯିବାର କାରଣ କହିଲେ ଭାଇଜାନ


ନୂଆଦିଲ୍ଲୀ ୨୧।୧୧: ଅଭିନେତା ସଲମାନ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମାତୃଭୂମି’କୁ ନେଇ ଚର୍ଚ୍ଚାରେ । ୨୦୨୬ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରେ ଏହା ଅନ୍ୟତମ । ଡିସେମ୍ବର ୪ରେ ଏହା ପ୍ରେକ୍ଷାଳୟକୁ ଆସିବାକୁ ଥିବାବେଳେ ସଲମାନ ଏବେ ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସଲମାନ ନିଜ ଚଳଚ୍ଚିତ୍ର ସମେତ ବିଭିନ୍ନ ବିଷୟରେ ମତ ରଖିଥିଲେ । ତେବେ ପ୍ରତିଦିନ ସକାଳେ ତାଙ୍କୁ କାମ କରିବାକୁ କେଉଁ କଥା ପ୍ରେରଣା ଦିଏ ବୋଲି ପଚରାଯିବାରୁ ସେ ଯେଉଁ ଉତ୍ତର ଦେଇଥିଲେ, ତାହା ଲୋକଙ୍କ ହୃଦୟ ଜିତିଛି ।

ସାକ୍ଷାତକାରରେ ସଲମାନଙ୍କୁ ପଚରାଯାଇଥିଲା ଯେ, ପ୍ରତିଦିନ ସକାଳେ ଉଠିବା ପରେ ତାଙ୍କୁ ସୁଟିଂ ସେଟ୍କୁ ଯିବା ପାଇଁ କେଉଁ କଥା ପ୍ରେରିତ କରେ? ନିଜ ଚରିତ୍ର, ଚଳଚ୍ଚିତ୍ରର କାହାଣୀ, ଦର୍ଶକଙ୍କ ଆଶା ନା ସିନେମା ପ୍ରତି ଭଲପାଇବା? ଏହାର ଉତ୍ତରରେ ସଲମାନ କହିଥିଲେ ଯେ, ଏସବୁ ନୁହେଁ; ବରଂ ଏହା ପଛରେ ରହିଛି ଏକ ବଡ଼ ସାମାଜିକ ଓ ଆର୍ଥିକ କାରଣ । ତାଙ୍କ କାମ ଉପରେ ହଜାର ହଜାର ଲୋକଙ୍କ ଜୀବିକା ନିର୍ଭର କରେ ।

ସଲମାନ କହିଥିଲେ, “ମୁଁ ଏମିତି କୌଣସି ବ୍ୟବସାୟୀ ନୁହେଁ, ଯିଏ ଘରେ ବସି ଲାପଟପ୍ରେ କାମ କରିପାରିବ । ମୁଁ ଘରୁ କାମ କରେ ନାହିଁ । ମୋତେ ସୁଟିଂ ସେଟ୍କୁ ଯିବାକୁ ପଡ଼େ । କାରଣ, ମୁଁ ସେଟ୍କୁ ଗଲେ ସେଠାରେ ଅନେକ ଲୋକ କାମ କରିବାର ସୁଯୋଗ ପାଆନ୍ତି । ଲାଇଟିଂ ଟେକ୍ନିସିଆନ୍, ସ୍ପଟ୍ ବୟ, ସେଟ୍ ନିର୍ମାଣ କରୁଥିବା କର୍ମଚାରୀଙ୍କଠାରୁ ଆରମ୍ଭ କରି ଏଡିଟର ପର୍ଯ୍ୟନ୍ତ ଅନେକ ଲୋକ ଏଥିରେ ଜଡ଼ିତ ଥାଆନ୍ତି । ଗୋଟିଏ ଚଳଚ୍ଚିତ୍ର ନିର୍ମାଣରେ ପ୍ରାୟ ୫ ହଜାର ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତି ରହିଥାଏ । ମୁଁ ଯଦି ଦିନେ ସୁଟିଂ ସେଟ୍କୁ ନ ଯାଏ, ତେବେ ଏହି ଲୋକମାନେ ସେହି ଦିନର ରୋଜଗାର ହରାଇବେ ।”

ସଲମାନ ଆହୁରି କହିଥିଲେ ଯେ, ଗୋଟିଏ ଚଳଚ୍ଚିତ୍ରରୁ ରୋଜଗାର କେବଳ ସୁଟିଂ ସେଟ୍ରେ କାମ କରୁଥିବା ଲୋକଙ୍କ ମଧ୍ୟରେ ସୀମିତ ରହେ ନାହିଁ । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ମଧ୍ୟ ଏହା ଅନେକ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଥାଏ । ପ୍ରେକ୍ଷାଳୟ ମାଲିକଙ୍କଠାରୁ ଆରମ୍ଭ କରି ସିନେମା ହଲ୍ର କ୍ୟାଣ୍ଟିନ୍ରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଏଥିରୁ ଉପକୃତ ହୁଅନ୍ତି । ଏପରିକି ପପ୍କର୍ଣ୍ଣ ଓ ସିଙ୍ଗଡ଼ା ଭଳି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମକା, ଆଳୁ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଚାଷୀମାନେ ମଧ୍ୟ ପରୋକ୍ଷରେ ଏହାର ଲାଭ ପାଆନ୍ତି ବୋଲି ସେ କହିଥିଲେ ।

ନିଜ ଉଦାହରଣ ଦେଇ ସଲମାନ କହିଥିଲେ ଯେ, ସେ ପିନ୍ଧୁଥିବା ବ୍ରେସଲେଟ୍ ତିଆରି କରୁଥିବା ଅଳଙ୍କାର ବ୍ୟବସାୟୀ ଏବଂ ତାଙ୍କ ପୋଷାକ ସିଲେଇ କରୁଥିବା ଦର୍ଜିମାନେ ମଧ୍ୟ ଏହା ଦ୍ୱାରା ରୋଜଗାର କରନ୍ତି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ପ୍ରତ୍ୟେକ ଛୋଟବଡ଼ କାମ କାହା ନା କାହାର ଜୀବିକାକୁ ସମର୍ଥନ କରିଥାଏ । ଚଳଚ୍ଚିତ୍ର ଶିଳ୍ପର ବ୍ୟାପକ ଆର୍ଥିକ ପ୍ରଭାବ ଉପରେ ଆଲୋକପାତ କରି ସଲମାନ କହିଥିଲେ ଯେ, ଏହା ସହ ଅନେକ ପ୍ରକାରର ବ୍ୟବସାୟ ଓ ବୃତ୍ତି ଜଡ଼ିତ ରହିଛି । ତେଣୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ତାଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବ ବୋଲି ସେ ବିଶ୍ୱାସ କରନ୍ତି । ଶେଷରେ ସଲମାନ ସ୍ପଷ୍ଟ କରିଥିଲେ ଯେ, ହଜାର ହଜାର ଲୋକଙ୍କ ଜୀବିକା ଓ ରୋଜଗାର ସହ ଚଳଚ୍ଚିତ୍ର ଶିଳ୍ପ ଜଡ଼ିତ ଥିବା ହିଁ ତାଙ୍କୁ ପ୍ରତିଦିନ ସକାଳେ ଉଠି କାମକୁ ଯିବା ପାଇଁ ପ୍ରକୃତ ପ୍ରେରଣା ଯୋଗାଇଥାଏ ।



Source link

Leave A Reply

Your email address will not be published.