ଶ୍ରୀନଗର: ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ରବିବାର ଏକ ମାଟାଡୋର ଓଲଟି ପଡିଛି। ଏହି ମାଟାଡୋରଟି ବୈଷ୍ଣୋଦେବୀ ମନ୍ଦିର ସୁରକ୍ଷାରେ ମୂତୟନ ସିଏସ୍ଏସ୍ଏଫ ଜବାନଙ୍କର ଓ ଦୁର୍ଘଟଣା ବେଳେ ଏଥିରେ ୧୩-୧୪ ଜଣ ଜବାନ ଥିଲେ। ମାଟାଡୋରଟି ତାରାକୋଟରୁ କଟରା ଆଡକୁ ଜବାନଙ୍କୁ ନେଇ ଯାଉଥିବା ବେଳେ ମଝି ରାସ୍ତାରେ ନିୟନ୍ତ୍ରଣ ହରାଇ ଓଲଟି ପଡିଛି। ଫଳରେ ଏଥିରେ ଥିବା ସବୁ ଜବାନ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜିଏମସି ଜମ୍ମୁ ରେଫର କରାଯାଇଛି।
ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ମାଟାଡୋର କଟରା ଫେରୁଥିଲା। ଅଚାନକ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିବା ବେଳେ ତାହା ଓଲଟି ପଡିଛି। ଦୁର୍ଘଟଣା ସୂଚନା ମିଳିବାମାତ୍ରେ ପୋଲିସ୍, ସ୍ରାଇନ ବୋର୍ଡ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଓଲଟି ପଡିଥିବା ଗାଡିରୁ ଜବାନଙ୍କୁ ବାହାର କରିବାରେ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଛନ୍ତି। ସବୁ ଆହତଙ୍କୁ ତୁରନ୍ତ କଟରା ସ୍ଥିତ ଉପଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଗୁରୁତର ଆହତଙ୍କୁ ଜମ୍ମୁ ସ୍ଥାନାନ୍ତରଣ କରାଯାଇଛି।
ପ୍ରାରମ୍ଭିକ ସୂଚନା ଅନୁସାରେ ବାହନ ସନ୍ତୁଳନ ହରାଇବା ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ତେବେ ଏଥି ପାଇଁ ଅସଲି କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ସଡ଼କ ପରିସ୍ଥିତି ଓ ଅନ୍ୟ କାରଣକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସିଏସଏସଏଫ ଜବାନ ବୈଷ୍ଣୋଦେବୀ ଯାତ୍ରା ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଏହି ଜବାନ ବିଭିନ୍ନ ସ୍ଥାନରେ ମୁତୟନ ଥାନ୍ତି। ତେବେ ଏହି ଦୁର୍ଘଟଣା ସୁରକ୍ଷାବଳ ଓ ପ୍ରଶାସନର ଚିନ୍ତା ବଢାଇ ଦେଇଛି।
