Voice of Eastern India

ଜଳୁଛି ବାଂଲାଦେଶ : ସେଖ୍ ହସିନାଙ୍କ ସମର୍ଥକଙ୍କୁ ଟାର୍ଗେଟ୍, ଜାଳିଦେଲେ ୨୦୦ ଘର !


ଢାକା, ୨୨।୧୧ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆସନ୍ତା ମାସରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିକଟରେ ଘୋଷଣା କରିଥିଲେ । ଏହାପରଠାରୁ ଦେଶରେ ରାଜନୈତିକ ଉତ୍ତେଜନା, ହିଂସାକାଣ୍ଡ ତୀବ୍ର ହେଉଛି। ଚଳିତ ସପ୍ତାହରେ ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ୨ ଜଣ ନେତାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଶୁକ୍ରବାର ଅପରାହ୍ନରେ ନରାଇଲ୍ ଜିଲ୍ଲାର କାଲିଆ ମ୍ୟୁନିସିପାଲିଟି ଅଧୀନସ୍ଥ ବେନ୍ଦରଚାର ଗାଁରେ ହସିନାଙ୍କ ଦଳ ଆଓ୍ବାମୀ ଲିଗ୍ର ନେତା, ପୂର୍ବତନ ସାଂସଦ ଏବଂ ସମର୍ଥକମାନଙ୍କ ପ୍ରାୟ ୫୦ ଘର, ଦୋକାନରେ ନିଆଁ ଲଗାଇ ଦିଆଯାଇଛି।

ଆକ୍ରମଣକାରୀମାନେ କିଛି ଘରକୁ ଭଙ୍ଗାରୁଜା କରିବା ପରେ ସେଠାରେ ରଖାଯାଇଥିବା ଆସବାବପତ୍ର, ମୂଲ୍ୟବାନ ଉପକରଣ ଏବଂ ଅନ୍ୟ ଜିନିଷପତ୍ର ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାକୁ ନେଇ ହସିନାଙ୍କ ପୁଅ ସାଜିବ ଅହମ୍ମଦ ବିଏନପି ବିରୋଧରେ ଆତଙ୍କରାଜର ଅଭିଯୋଗ ଆଣିଛନ୍ତି। ସେ ନରାଇଲ୍ ଜିଲ୍ଲାର କାଲିଆ କ୍ଷେତ୍ରରେ ଆୱାମୀ ଲିଗର ସମର୍ଥକ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କର ପ୍ରାୟ ୨୦୦ଟି ଘରେ ନିଆଁ ଲଗାଇ ଦିଆଯାଇଥିବା କହିଛନ୍ତି। ବରିଷ୍ଠ ନେତା ରୁହୁଲ କବୀର ରିଜଭିଙ୍କର ଉତ୍ତେଜନାମୂଳକ ମନ୍ତବ୍ୟ ପରେ ଦଳୀୟ କର୍ମୀମାନେ ଏଭଳି କାଣ୍ଡ କରିଥିବାର ଅଭିଯୋଗ ଆଣି ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ସାଜିବ ଦାବି ରଖିଛନ୍ତି।

Also Read :- ବଙ୍ଗୋପସାଗରରେ ପୁଣି ଲଘୁଚାପ : ନେଇପାରେ ଘୂର୍ଣ୍ଣିବଳୟର ରୂପ, ୧୯୮୭ରେ ଆସିଥିଲା ଏମିତି ମହା ବିପଦ !

ଛାତ୍ର ଆନ୍ଦୋଳନ ସମୟରେ କ୍ଷମତାଚ୍ୟୁତ ହେବା ପରେ ଶେଖ୍ ହସିନା ୨୦୨୪ ଅଗଷ୍ଟ ୫ରେ ଭାରତକୁ ପଳାଇ ଆସିଥିଲେ। ସେବେଠାରୁ ସେ ଭାରତରେ ରହିଆସୁଛନ୍ତି। ତାଙ୍କର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଦାବିକୁ ନେଇ ଆଓ୍ୱାମୀ ଲିଗର କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ବୁଧବାର ଆନ୍ଦୋଳନକୁ ପ୍ରତିହତ ଲାଗି ବିଏନପି ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ତେବେ ବେନ୍ଦର ଚାରରେ ସେହି ଶୋଭାଯାତ୍ରା ଉପରେ ଆକ୍ରମଣ କରାଯାଇଥିଲା । ସେଥିରେ ବିଏନପିର ୨ ଜଣ ନେତାଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨ ବିଏନପି ନେତାଙ୍କ ମୃତ୍ୟୁ ଘଟିଥିଲା। ତା’ର ପ୍ରତିଶୋଧ ନେବାଲାଗି ହସିନାଙ୍କ ସମର୍ଥକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା କୁହାଯାଉଛି। ଏପରିସ୍ଥଳେ ପୁଲିସ ଉଭୟ ଆକ୍ରମଣ, ଅଗ୍ନିକାଣ୍ଡ ସଂପର୍କରେ ତଦନ୍ତ କରୁଛି ।



Source link

Leave A Reply

Your email address will not be published.