Voice of Eastern India

ଇରାନର ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ମହାଭିଯୋଗ, ବିନା ଅନୁମତିରେ ଆମେରିକୀୟ ପ୍ରତିନିଧିଙ୍କୁ ଭେଟିଥିଲେ


ନୂଆଦିଲ୍ଲୀ: ଅନୁମତି ନନେଇ ଆମେରିକୀୟ ପ୍ରତିନିଧିଙ୍କ ସହ କଥା ହୋଇ ଅଡ଼ୁଆରେ  ଇରାନର  ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି । ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି । ।  ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ପୂର୍ବ ସମ୍ମତି ନନେଇ ଆମେରିକା ଗସ୍ତ ସମୟରେ ଆରାଘଚି ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ସଂସଦରେ ଅଭିଯୋଗ ହୋଇଛି। 

୨୦୨୬ ଅକ୍ଟୋବର ୬ ତାରିଖରେ ଇରାନ ସଂସଦର ପ୍ରେସିଡିୟମ୍ ସଦସ୍ୟ ମହମ୍ମଦ ରଶିଦୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ମହାଭିଯୋଗ ଆବେଦନକୁ ବିଧାନସଭାର ଆଭ୍ୟନ୍ତରୀଣ ପ୍ରଶାସନିକ ସିଷ୍ଟମ୍‌ରେ ଆନୁଷ୍ଠାନିକ ଭାବେ ପଞ୍ଜୀକୃତ କରାଯାଇଛି। ଏହି ବିବାଦ ସେପ୍ଟେମ୍ବର ୨୪ ତାରିଖରେ ଆରମ୍ଭ ହୋଇଥିଲା । ଏହି ସମୟରେ ଆରାଘଚି ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିଲେ।

ଇରାନ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଶନର ସାଂସଦମାନେ ତାଙ୍କ ବିରୋଧରେ ସ୍ୱାକ୍ଷର ଅଭିଯାନ ଆରମ୍ଭ କରିଥିଲେ। ଅଭିଯୋଗ ଅନୁଯାୟୀ, ଇରାନର ଜାତୀୟ ସୁରକ୍ଷା ପରିଷଦର ବିନା ସମ୍ମତିରେ ଆରାଘଚି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନରଙ୍କୁ ଭେଟିଥିଲେ। ଏହି ବୈଠକରେ ଆରାଘଚି ୭-ଦିନିଆ ଶାନ୍ତି ରୋଡ୍‌ମ୍ୟାପ୍ ପ୍ରସ୍ତାବ ଦେଇଥିଲେ । ହର୍ମୁଜ ପ୍ରଣାଳୀରୁ ଅବରୋଧ ସଂପୂର୍ଣ୍ଣ ହଟାଇବାକୁ ଅଫର ଦେଇଥିଲେ ଆରାଘଚି । ତେବେ ଇରାନର ଏହି ଅଫରକୁ ପୂର୍ବରୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଥିଲେ।

ଇରାନ ସଂସଦ ନିକଟରେ ଅନାସ୍ଥା ଭୋଟ୍ ମାଧ୍ୟମରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ପଦଚ୍ୟୁତ କରିବାର ଆଇନଗତ କ୍ଷମତା ରହିଛି । ଏହାର ପ୍ରୟୋଗ ସେମାନେ ୨୦୨୫ ମାର୍ଚ୍ଚ ମାସରେ ଅର୍ଥମନ୍ତ୍ରୀ ଅବଦୁଲନାସେର ହେମ୍ମାତୀଙ୍କୁ ହଟାଇବା ପାଇଁ କରିଥିଲେ। ବର୍ତ୍ତମାନ ଏହି ମହାଭିଯୋଗ ପ୍ରସ୍ତାବଟି ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଶନଙ୍କ ଦ୍ୱାରା ଯାଞ୍ଚ ହେବ । ଏହା ପରେ, ମନ୍ତ୍ରୀଙ୍କୁ ୧୦ ଦିନ ମଧ୍ୟରେ ସଂସଦରେ ଉତ୍ତର ରଖିବାକୁ ପଡ଼ିବ। ତେବେ ଇରାନରେ ବୈଦେଶିକ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କୌଣସି ମନ୍ତ୍ରୀଙ୍କୁ ହଟାଇବା ପାଇଁ ସର୍ବୋଚ୍ଚ ନେତାଙ୍କ ଅନ୍ତିମ ଅନୁମୋଦନ ଜରୁରୀ ।

 



Source link

Leave A Reply

Your email address will not be published.