Voice of Eastern India

ଦଶହରାରେ ଆସୁଛି ବାତ୍ୟା ! ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ : ୟୁରୋପୀୟ ସଂସ୍ଥାର ଭୟଙ୍କର ଅନୁମାନ




ଭୁବନେଶ୍ୱର, ୦୬/୧୦:ପାର୍ବଣକୁ ପାଣିଚିଆ କରିପାରେ ବର୍ଷା। ଏ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍ ଇସିଏମଡବଏଫର ତାଜା ପୂର୍ବନୁମାନ। ଏହି ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ,ଗଭୀର ଅବପାତ ହୋଇପାରେ। ଗଭୀର ଅବପାତରୁ ସାମାନ୍ୟ ଅଧିକ ଘନୀଭୂତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ରହି ପାରେ।

ଇସିଏମଡବଲୁଏଫ୍ ଆକଳନ ଅନୁସାରେ ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪ରେ ଅବପାତ ରୂପ ନେଇପାରେ। ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ। ସେପ୍ଟେମ୍ବର ଶେଷ ସପ୍ତାହରେ ଆସିଥିବା ଗଭୀର ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା ପରେ ବେଶି ଭିତରକୁ ପ୍ରବେଶ କରିନପାରେ। ଉପକୂଳରେ ହିଁ ଅଧିକ ପ୍ରଭାବ ରହିପାରେ।

Also Read :- Horoscope Today : ଅକ୍ଟୋବର ୦୭ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବିଶେଷଜ୍ଞଙ୍କ ମତରେ ଯଦି ଏହି ଗତିପଥ ଓ ଆକଳନ ସତ ହୁଏ,ତେବେ ଓଡ଼ିଶାରେ ୧୪ରୁ ବର୍ଷା ହୋଇପାରେ। ୧୮ ଯାଏଁ ବର୍ଷା ପ୍ରକୋପ ରହିପାରେ। ଯଦି ଗଭୀର ଅବପାତ କିମ୍ବା ତା'ଠାରୁ ଅଧିକ ଘନୀଭୂତ ହୁଏ,ବର୍ଷା ପ୍ରକୋପ ଅଧିକ ରହିବ । କିନ୍ତୁ,ଏବେଠାରୁ ସ୍ପଷ୍ଟ ଭାବେ କିଛି କହି ହେବନି। କାରଣ ଏଯାଏଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନାହିଁ। ମେଘ ଖଣ୍ଡ ଗଠନ ହୋଇନାହିଁ। ତେଣୁ ୮/୧୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ। ଯଦି ଏହା ୧୬ କିମ୍ବା ପୂର୍ବରୁ ସ୍ଥଳଭାଗ ଛୁଇଁବ,ତେବେ ଦୁର୍ଗାପୂଜାର ନବମୀ,ଦଶମୀକୁ ପାଗ ପିଟିପାରେ। କିନ୍ତୁ,ବିଳମ୍ବ ହେଲେ ଦଶହରାକୁ ଭିଜାଇପାରେ। ଅକ୍ଟୋବର ମାସରେ ଆଣ୍ଡାମାନ ସାଗର ପଟୁ ଏହି ଲଘୁଚାପ ଆସିବା ସମ୍ଭାବନା ଥିବାରୁ ଅନେକ ଆଶଙ୍କା ରହୁଛି।

ଏପଟେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି। ମଙ୍ଗଳବାର ୧୫ ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ ୩୬.୭ ଡିଗ୍ରୀ ଥିଲା । ଏଠାରେ ତାତି ସ୍ବାଭାବିକଠାରୁ ୪.୧ ଡିଗ୍ରୀ ଅଧିକ ରହିଥିଲା। ଢେଙ୍କାନାଳରେ ୩୬.୩ ଡିଗ୍ରୀ ଓ ପୁରୀ,ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରେକର୍ଡ ହୋଇଛି। ସ୍ବାଭାବିକ ଗରମରେ ଲୋକେ ନାକେଦମ ହୋଇଛନ୍ତି। ଅନ୍ୟ ସହର ମଧ୍ୟରେ ଅନୁଗୁଳରେ ତାପମାତ୍ରା ୩୫.୭ ଡିଗ୍ରୀ,ଟିଟିଲାଗଡ଼ରେ ୩୫.୫,ସୋନପୁରରେ ୩୫.୩,ଛତ୍ରପୁରରେ ୩୫.୨,ତାଳଚେରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି। ପୁରୀରେ ସ୍ବାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଅନୁଗୁଳରେ ସ୍ବାଭାବିକଠାରୁ ୨.୬,ଟିଟିଲାଗଡ଼ରେ ୧.୪ଡିଗ୍ରୀ ଅଧିକ ରହିଥିଲା।

ବୁଧବାର ଓ ଗୁରୁବାର ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବୁଧବାର ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ସୁନ୍ଦରଗଡ଼,କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଗୁରୁବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।



Source link

Leave A Reply

Your email address will not be published.