Voice of Eastern India

‘Youth Energy’ ଷ୍ଟାର୍ଟଅପର ନୂଆ କୁଲିଂ ଟେକ୍ନୋଲୋଜି, ଟ୍ରକ୍ ଇଞ୍ଜିନ ବନ୍ଦ ଥିଲେ ବି ଥଣ୍ଡା ରହିବ ଫ୍ରୋଜେନ ଫୁଡ଼


ଦିଲ୍ଲୀ: ଏଣିକି ଇଞ୍ଜିନ୍ ଚାଲୁ ନକରି ମଧ୍ୟ ଟ୍ରକ୍ ଭିତରେ ରହିବ ଆବଶ୍ୟକ ତାପମାତ୍ରା। ବିଶେଷକରି ଦୁଗ୍ଧ, ଆଇସକ୍ରିମ୍, ଫ୍ରୋଜେନ୍ ଫୁଡ୍ ଭଳି ଶୀଘ୍ର ନଷ୍ଟ ହେଉଥିବା ସାମଗ୍ରୀ ପରିବହନ ପାଇଁ ଏହି ନୂଆ ଟେକ୍ନୋଲୋଜି ବେଶ ଉପଯୋଗୀ ହୋଇପାରେ । ସାଧାରଣତଃ ଫ୍ରୋଜେନ ଫୁଡ଼ ଟ୍ରକ୍ର ଇଞ୍ଜିନ୍ ବନ୍ଦ ହେଲେ ରେଫ୍ରିଜରେସନ୍ ସିଷ୍ଟମ୍ ମଧ୍ୟ ବନ୍ଦ ହୋଇଯାଏ। ଫଳରେ ଦୁଧ, ଆଇସ୍କ୍ରିମ୍, ଫଳ, ପନିପରିବା ଓ ଔଷଧ ଭଳି ତାପମାତ୍ରା ସମ୍ବେଦନଶୀଳ ସାମଗ୍ରୀ ନଷ୍ଟ ହେବାର ଆଶଙ୍କା ରହିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏବେ IIT ଦିଲ୍ଲୀର ଗ୍ରାଜୁଏଟ୍ ଶୈବୀ ମଲିକ ଓ ତାଙ୍କ ସହଯୋଗୀମାନେ କାଢିଛନ୍ତି ନୂଆ ବାଟ । ଏନେଇ ସେମାନେ ଉଦ୍ଭାବନ କରିଛନ୍ତି ନୂଆ ଇଲେକ୍ଟ୍ରିକ୍ ରେଫ୍ରିଜରେସନ୍ ଟେକ୍ନୋଲୋଜି।

ଏହି ଟେକ୍ନୋଲୋଜିର ବିଶେଷତା ହେଉଛି ଗାଡ଼ି ଇଞ୍ଜିନ ବନ୍ଦ ହୋଇଗଲେ ମଧ୍ୟ କୁଲିଂ ବନ୍ଦ ହେବ ନାହିଁ । IIT ଦିଲ୍ଲୀର ପୂର୍ବତନ ଛାତ୍ରୀ ଶୈବୀ ମଲିକ୍, ବିବେକ ମହିନ୍ଦ୍ରାକର ଓ ଧାର୍ମିକ ବାପୋଦରା ମିଶି ‘Yotuh Energy’ ନାମରେ ଏକ କ୍ଲାଇମେଟ୍-ଟେକ୍ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ଏହି କମ୍ପାନୀ ଟ୍ରକ୍ ପାଇଁ ବ୍ୟାଟେରୀରେ ଚାଲୁଥିବା ‘eRIL’ କୁଲିଂ ସିଷ୍ଟମ୍ ବିକଶିତ କରିଛି। ସାଧାରଣତଃ ରେଫ୍ରିଜେରେଟେଡ୍ ଟ୍ରକ୍ରେ ସାମଗ୍ରୀ ଠଣ୍ଡା ରଖିବା ପାଇଁ ଗାଡ଼ି ଅଟକିଥିଲେ ମଧ୍ୟ ଇଞ୍ଜିନ୍ ଚାଲୁ ରଖିବାକୁ ପଡ଼େ। ଏଥିପାଇଁ ଅଧିକ ଡିଜେଲ୍ ଖର୍ଚ୍ଚ ହେବା ସହ ପ୍ରଦୂଷଣ ମଧ୍ୟ ବଢ଼ିଥାଏ। କିନ୍ତୁ ଏହି ନୂଆ ସିଷ୍ଟମ୍ ଏହି ସମସ୍ୟାର ସମାଧାନ କରିବ।

ଏହି କୁଲିଂ ସିଷ୍ଟମ୍ ଏକ ଅଲଗା ବ୍ୟାଟେରୀରେ ଚାଲେ। ତେଣୁ ଟ୍ରକ୍ ରାସ୍ତାରେ ଅଟକିଥିଲେ କିମ୍ବା ଇଞ୍ଜିନ୍ରେ ସମସ୍ୟା ହେଲେ ମଧ୍ୟ କୁଲିଂ ବ୍ୟବସ୍ଥାରେ ବାଧା ଦେବ ନାହିଁ । ଏହାକୁ ଡିଜେଲ୍ ଓ ଇଲେକ୍ଟ୍ରିକ ଦୁଇ ପ୍ରକାର ଯାନରେ ବ୍ୟବହାର କରାଯାଇପାରିବ। କମ୍ପାନୀ ଅନୁସାରେ, ଏହି ସିଷ୍ଟମ୍ରେ ଡୋର୍ ସେନ୍ସର ଓ ତାପମାତ୍ରା ମନିଟରିଂ ସୁବିଧା ରହିଛି। ଏପର୍ଯ୍ୟନ୍ତ ୧,୦୦୦ରୁ ଅଧିକ ଫ୍ରୋଜେନ ସାମଗ୍ରୀର ଡେଲିଭରି ଏହା ମାଧ୍ୟମରେ କରାଯାଇଛି। ଏହି ଟେକ୍ନୋଲୋଜି ଫଳରେ ୩ ଲକ୍ଷ କିଲୋମିଟରରୁ ଅଧିକ ଯାତ୍ରାରେ ୯୦-୯୫ ପ୍ରତିଶତ କ୍ଷେତ୍ରରେ ଆବଶ୍ୟକ ତାପମାତ୍ରା ବଜାୟ ରହିଥିବା ଦାବି କରିଛି କମ୍ପାନୀ। Yotuh Energy ଅନୁସାରେ, ଏହି ଟେକ୍ନୋଲୋଜି ପ୍ରତି ୟୁନିଟ୍ ବର୍ଷକୁ ୩ରୁ ୩୬ ଟନ୍ ପର୍ଯ୍ୟନ୍ତ CO₂ ନିର୍ଗମନ କମାଇପାରେ। ଏଥିସହ କୁଲିଂର ଅପରେଟିଂ ଖର୍ଚ୍ଚ ୭୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ବୋଲି ମଧ୍ୟ କମ୍ପାନୀ ଦାବି କରିଛି ।



Source link

Leave A Reply

Your email address will not be published.