T.T. Jagannathan: କିଚେନ୍ ମୋଗଲ୍ ଟିଟି ଜଗନ୍ନାଥନ, ଗୋଟିଏ ଆବିଷ୍କାର, ଆଜି ବଞ୍ଚାଉଛି ଅଗଣିତ ଜୀବନ, ମୃତ୍ୟୁ ପରେ ମିଳିଲା ସମ୍ମାନ
ନୂଆଦିଲ୍ଲୀ: କୌଣସି ଉଦ୍ୟୋଗପତିଙ୍କ ସଫଳତା କେବଳ ତାଙ୍କ ବ୍ୟବସାୟର ଆକାରରେ ମପାଯାଏ ନାହିଁ, ବରଂ ସମାଜ ପ୍ରତି ତାଙ୍କ ଅବଦାନ ଦୃଷ୍ଟିରୁ ବି ମୂଲ୍ୟାନଙ୍କନ କରାଯାଏ। ଏଇ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେହିଭଳି ଜଣେ ଉଦ୍ୟୋଗପତିଙ୍କୁ ମରୋଣତ୍ତର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯାହାଙ୍କ ବ୍ୟବସାୟ ଆକାର ଠାରୁ ତାଙ୍କ ବ୍ୟକ୍ତିତ୍ୱର ଆକାର ଅନେକ ବଡ଼। ହୃଦୟପ୍ରସାରୀ। ସେ ଉଦ୍ୟୋଗପତି ହେଲେ ଟିଟି ଜଗନ୍ନାଥନ।
ଆଜି ଦେଶର ପୁଞ୍ଜିପତି, ଶିଳ୍ପପତିମାନେ ଲାଭର ଫସଲ କାଟିବା ପାଇଁ ଜନତାଙ୍କୁ ବଳଦ ବନାଇ ଖୁବ୍ ଚଷୁଛନ୍ତି। କାର୍ଲ ମାର୍କ୍ସଙ୍କ କ୍ୟାପିଟାଲିଜମ ଭିତରେ ଜନତା ଏବେ ଗୁହାଳ ବନ୍ଧା ଗାଈ। ଟିକେ କ୍ଷତି ସହିଲେ ଚାପ ସିଧା ଜନତା ଉପରେ ପକାଉଛନ୍ତି ଆଜିର ପୁଞ୍ଜିପତି ବ୍ୟାବସାୟୀ। ହେଲେ ଦିନ ଥିଲା ଭାରତରେ ଏମିତି ବ୍ୟବସାୟୀ ଥିଲେ ଯେଉଁମାନେ କେବଳ ଲାଭ ଦେଖୁ ନଥିଲେ,ବରଂ ମାନବୀୟ ମୂଲ୍ୟବୋଧକୁ ବି ଆଗରେ ରଖୁଥିଲେ। ଏଇ ଟିଟି ଜଗନ୍ନାଥନ ଥିଲେ ସେମାନଙ୍କୁ ମଧ୍ୟରୁ ଜଣିଏ।
ଗୋଟିଏ ଆବିଷ୍କାର, ବଞ୍ଚାଇଛି ଅଗଣିତ ଜୀବନ
ଟି.ଟି. ଜଗନ୍ନାଥନ ହେଉଛନ୍ତି ଗାସ୍କେଟ୍ ରିଲିଜ୍ ସିଷ୍ଟମ୍’ (Gasket Release System)ର ଉଦ୍ଭାବକ ଭାବେ। ଏହା ଏପରି ଏକ ସୁରକ୍ଷା ବ୍ୟବସ୍ଥା, ଯାହା ପ୍ରେସର କୁକରରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ବିସ୍ଫୋରଣ ହେବାର ଆଶଙ୍କାକୁ କମାଇଥାଏ। ଏହା ଦ୍ୱାରା ଦୁର୍ଘଟଣା, ଆହତ ଏବଂ ଜୀବନହାନିର ଅନେକ ଘଟଣାକୁ ରୋକିବା ସମ୍ଭବ ହୋଇଛି।
କିନ୍ତୁ ଜଗନ୍ନାଥନଙ୍କ ମହାନତା କେବଳ ଆବିଷ୍କାରରେ ସୀମିତ ରହିନଥିଲା। ସେ ଚାହିଁଥିଲେ ଏହି ଟେକ୍ନୋଲୋଜୀକୁ ନିଜ ପାଖରେ ରଖି ଏକଚାଟିଆ ବ୍ୟବସାୟିକ ଲାଭ ଉଠାଇପାରିଥାନ୍ତେ। ତାଙ୍କ ଇଣ୍ଡଷ୍ଟ୍ରୀ ଖୁବ୍ ଆଗକୁ ବଢିଥାନ୍ତା। ହେଲେ ସେ ଏଭଳି ସ୍ୱାର୍ଥୀ ନିଷ୍ପତ୍ତି ନେବା ପରିବର୍ତ୍ତେ ଏହି ଟେକ୍ନୋଲୋଜୀର ପେଟେଣ୍ଟକୁ ସମଗ୍ର ଶିଳ୍ପ କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଖୋଲି ଦେଇଥିଲେ। ଫଳରେ ଅନ୍ୟ କମ୍ପାନୀମାନେ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥାକୁ ଅପଣାଇ ପାରିଥିଲେ ଏବଂ ଦେଶର କୋଟି କୋଟି ପରିବାର, ବିଶେଷକରି ଗରିବ ଓ ମଧ୍ୟବିତ୍ତ ବର୍ଗ, ଏହାର ସିଧାସଳଖ ଲାଭ ପାଇଥିଲେ। ରୋଷେଇ ଘରେ କୁକର ଫାଟିବାର ଭୟ ଦୂରେଇ ଯାଇଥିଲା।
ଦେବାଳିଆ ହେବାକୁ ବସିଥିବା କମ୍ପାନୀକୁ କରିଦେଲେ ବିଲିୟନ ଡଲାରର ସାମ୍ରାଜ୍ୟ
ଆଇଆଇଟି ମାଡ୍ରାସରୁ ମେକାନିକାଲ୍ ଇଞ୍ଜିନିୟରିଂ ଏବଂ ଆମେରିକାର କର୍ନେଲ୍ ୟୁନିଭର୍ସିଟିରୁ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ୧୯୭୫ ମସିହାରେ ଟି.ଟି. ଜଗନ୍ନାଥନ ଆର୍ଥିକ ସଙ୍କଟରେ ଥିବା ଟିଟିକେ ଲିମିଟେଡ୍ର ଦାୟିତ୍ୱ ଗ୍ରହଣ କରିଥିଲେ।
ତାଙ୍କ ଦୂରଦର୍ଶୀ ନେତୃତ୍ୱ, ଅଭିନବ ଚିନ୍ତାଧାରା ଓ କଠିନ ପରିଶ୍ରମ ବଳରେ ପରବର୍ତ୍ତୀ ପାଞ୍ଚ ଦଶନ୍ଧି ମଧ୍ୟରେ ସେ କମ୍ପାନୀକୁ ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଉଦ୍ୟୋଗରେ ପରିଣତ କରିଥିଲେ। ତାଙ୍କ ନେତୃତ୍ୱରେ ପ୍ରେଷ୍ଟିଜ୍ (Prestige) ବ୍ରାଣ୍ଡ କେବଳ ଭାରତରେ ନୁହେଁ, ବ୍ରିଟେନ୍ ଓ ଆମେରିକା ଭଳି ଆନ୍ତର୍ଜାତିକ ବଜାରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏଥିସହ ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା।
‘କିଚେନ୍ ମୋଗଲ୍’ ଭାବେ ପାଇଥିଲେ ପରିଚୟ
ଭାରତୀୟ ରୋଷେଇଘରରେ ପ୍ରେଷ୍ଟିଜ୍ ଉତ୍ପାଦକୁ ଏକ ବିଶ୍ୱସ୍ତ ନାମରେ ପରିଣତ କରିଥିବାରୁ ଟି.ଟି. ଜଗନ୍ନାଥନଙ୍କୁ ଅନେକେ ‘ଇଣ୍ଡିଆର କିଚେନ୍ ମୋଗଲ୍’ ବୋଲି ସମ୍ବୋଧନ କରୁଥିଲେ। ବ୍ୟବସାୟ ସହ ସାମାଜିକ ଦାୟିତ୍ୱ ପ୍ରତି ମଧ୍ୟ ସେ ସମାନ ଭାବେ ପ୍ରତିବଦ୍ଧ ଥିଲେ। ଟିଟିକେ ଗ୍ରୁପ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଜନହିତକର ପଦକ୍ଷେପ ନିଆଯାଇଥିଲା। ତାଙ୍କ ଅବଦାନ ପାଇଁ ସେ ବିଜନେସ୍ ଷ୍ଟାଣ୍ଡାର୍ଡ ଏବଂ ଅର୍ନଷ୍ଟ ଆଣ୍ଡ ୟଙ୍ଗ୍ ପକ୍ଷରୁ ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ ପାଇଥିଲେ। ୨୦୨୫ରେ ତାଙ୍କୁ CNBC-TV18 Hall of Fameରେ ମଧ୍ୟ ସ୍ଥାନ ମିଳିଥିଲା।
ମୃତ୍ୟୁ ପରେ ମିଳୁଛି ଦେଶର ସମ୍ମାନ
୨୦୨୫ ଅକ୍ଟୋବର ୯ରେ ଟି.ଟି. ଜଗନ୍ନାଥନଙ୍କ ପରଲୋକ ଘଟିଥିଲା। ତେବେ ତାଙ୍କ ଅବଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟ ରୋଷେଇଘରରେ ଜୀବନ୍ତ। ଇନୋଭେସନ, ଶିଳ୍ପ ବିକାଶ ଏବଂ ସର୍ବୋପରି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ତାଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି। ଟି.ଟି. ଜଗନ୍ନାଥନଙ୍କ କାହାଣୀ ପ୍ରମାଣ କରେ, ପ୍ରକୃତ ସଫଳତା କେବଳ ସମ୍ପତ୍ତି ବଢ଼ାଇବାରେ ନୁହେଁ, ବରଂ ସମାଜର ଜୀବନକୁ ଅଧିକ ସୁରକ୍ଷିତ, ସହଜ ଏବଂ ଉନ୍ନତ କରିବାରେ ରହିଛି।
