ପୁରୀ: ରାତି ପାହିଲେ ରଥ। ପ୍ରବଳ ବର୍ଷାରେ ଭିଜୁଛି ପୁରୀ ବଡ଼ଦାଣ୍ଡର ପଥ। ଆଜି ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ସନ୍ଧ୍ୟା ସମୟରେ ପ୍ରବଳ ମାତ୍ରାରେ ଲାଗି ରହିଛି ବର୍ଷା। ପ୍ରବଳ ବର୍ଷାରେ ଭିଜୁଛି ମହାପ୍ରଭୁଙ୍କ ତିନି ରଥ। ସତେ ଯେମିତି କଳା ସାଆନ୍ତେ ଆସିବା ପୂର୍ବରୁ ବଡ଼ଦାଣ୍ଡକୁ ଧୋଇ ଦେଉଛନ୍ତି ଇନ୍ଦ୍ର ଦେବ।
ପ୍ରବଳ ବର୍ଷାରେ ବୁଡିଲା ପୁରୀ ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ। ବର୍ଷାଜଳ ଜମି ରହିବା ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ। ଏଥିସହ ରଥଯାତ୍ରାରେ ସାମିଲ୍ ହେବା ପାଇଁ ପୁରୀ କୁ ଆସିଥିବା ହଜାର ହଜାର ଭକ୍ତ ବର୍ଷାରେ ଭିଜୁଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଅନେକ ଭକ୍ତଙ୍କୁ କଲବଲ ହେବାକୁ ପଡ଼ିଛି। ପ୍ରବଳ ବର୍ଷା ରେ ବଡ଼ଦାଣ୍ଡରେ ଯେଭଳି ବର୍ଷାଜଳ ଜମି ନରୁହେ ସେନେଇ ପିଏମସି ଓ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ଅଛନ୍ତି। ତେବେ ପ୍ରବଳ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ି ଯାଇଛନ୍ତି ତଳିଆ ଅଞ୍ଚଳର ଲୋକ।
ସେପଟେ ଆଜ୍ଞାମାଳ ଲାଗିବା ପରେ ସିଂହଦ୍ଵାର ସମ୍ମୁଖରେ ତିନି ରଥ ଦଣ୍ଡାୟମାନ। ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳ ଆଳତି ହେବା ସହ ୯ଟା ୩୦ରେ ପହଣ୍ଡି ବିଜେ ରହିଛି। ଅପରାହ୍ଣ ୪ଟାରୁ ରଥ ଟଣା ଆରମ୍ଭ ହେବ।
