Voice of Eastern India

Railways New Rules: ଆଉ ବର୍ତ୍ତି ପାରିବେନି, ପ୍ରତିବନ୍ଧିତ ସାମଗ୍ରୀ ନେଲେ ୧୦,୦୦୦ ଫାଇନ୍, ଜରିମାନା ବଢ଼ାଇଲା ରେଳବାଇ


ନୂଆଦିଲ୍ଲୀ: ଭାରତୀୟ ରେଳ ଏବେ ପ୍ରତିବନ୍ଧିତ ସାମଗ୍ରୀ ପରିବହନ ପାଇଁ ଜରିମାନା ରାଶିରେ ସଂଶୋଧନ କରିଛି । ଏଭଳି ପରିସ୍ଥିତିରେ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀମାନଙ୍କ ଉପରେ ଏବେ ମୋଟା ଅଙ୍କର ଜରିମାନା ଲଗାଯିବ । ଭାରତୀୟ ରେଳବାଇ ନୂତନ ଦଣ୍ଡାଦେଶ ନିୟମ ୨୦୨୬ ଅଧୀନରେ ଟ୍ରେନରେ ପ୍ରତିବନ୍ଧିତ ସାମଗ୍ରୀ ନେବା ଉପରେ ଜରିମାନା ରାଶିକୁ ବୃଦ୍ଧି କରିଛି । ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀମାନଙ୍କ ଉପରେ ମୋଟା ଜରିମାନା ଲଗାଇ ରେଳବାଇ ନିଜର ନିୟମକୁ ଆହୁରି କଡ଼ାକଡ଼ି କରିଛି ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୧୯ରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି, ଜନ ବିଶ୍ୱାସ (ପ୍ରାବଧାନ ସଂଶୋଧନ) ଅଧିନିୟମ, ୨୦୨୬ (୨୦୨୬ର ୮)ର ଧାରା ୧ର ଉପ-ଧାରା (୨)ର ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି, କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ରେଳବାଇ ଅଧିନିୟମ, ୧୯୮୯ର ସ୍ଥାନ ନେବ ।

ଏବେ କେତେ ଜରିମାନା ଦେବାକୁ ହେବ ?

ନୂଆ ଜନ ବିଶ୍ୱାସ ଅଧିନିୟମ, ୨୦୨୬ର ପ୍ରାବଧାନ ଅନୁଯାୟୀ, ଧାରା ୧୬୫ ଅଧୀନରେ ଆସୁଥିବା ଅପରାଧ ଯେପରିକି, ଟ୍ରେନରେ ଆପତ୍ତିଜନକ କିମ୍ବା ନିଷେଧ ସାମଗ୍ରୀ ନେବା ଆଣିବା କଲେ ଅତି କମରେ ୧୦,୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି । ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଜଣକ ରେଳବାଇର ହୋଇଥିବା ଯେକୌଣସି କ୍ଷତି ପାଇଁ ମଧ୍ୟ ଦାୟୀ ରହିବେ । ଜରିମାନା ଅନାଦେୟ କ୍ଷେତ୍ରରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ସର୍ବନିମ୍ନ ୧୦,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବାର ପ୍ରାବଧାନ କରାଯାଇଛି ।

ପୂର୍ବରୁ କେତେ ଥିଲା ଜରିମାନା?

ଏହାପୂର୍ବରୁ ରେଳ ଅଧିନିୟମ, ୧୯୮୯ର ଧାରା ୬୭, ୧୫୪, ୧୬୪ ଏବଂ ୧୬୫ ଅଧୀନରେ ଟ୍ରେନରେ ଦହନଶୀଳ ଏବଂ ବିସ୍ଫୋରକ ସାମଗ୍ରୀ ନେବା ଏକ ଦଣ୍ଡନୀୟ ଅପରାଧ ଥିଲା । ପୂର୍ବରୁ ଏହି ନିୟମ ଉଲ୍ଲଂଘନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍, ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡର ସାମନା କରିବାକୁ ପଡ଼ୁଥିଲା । ଏହା ବାଦ୍ ସେମାନଙ୍କ ଅପରାଧ ଯୋଗୁଁ ହୋଇଥିବା ଯେକୌଣସି କ୍ଷତି ପାଇଁ କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ୁଥିଲା।

ଟ୍ରେନରେ ଯାତ୍ରୀମାନେ କେଉଁ ସବୁ ସାମଗ୍ରୀ ନେଇପାରିବେ ନାହିଁ ?

ରେଳବାଇ ଅନୁଯାୟୀ, କୌଣସି ବି ବ୍ୟକ୍ତି ଯାତ୍ରୀବାହୀ କୋଚ୍ ଭିତରକୁ ଷ୍ଟୋଭ୍, ଗ୍ୟାସ ସିଲିଣ୍ଡର, କିରୋସିନ୍, ପେଟ୍ରୋଲ, ବାଣ, ନିର୍ବାଚନୀ ପୋଷ୍ଟର, ଦିଆସିଲି, ସିଗାରେଟ୍, ଧାରୁଆ ଅସ୍ତ୍ରଶସ୍ତ୍ର, ବନ୍ଧୁକ ସାମଗ୍ରୀ ଆଦି ନେଇପାରିବେ ନାହିଁ । ଜନ ବିଶ୍ୱାସ (ପ୍ରାବଧାନ ସଂଶୋଧନ) ଅଧିନିୟମ-୨୦୨୬ର ଧାରା ୧୬୫ ଅନୁଯାୟୀ, ରେଳବାଇ ପରିସରକୁ ବେଆଇନ ଭାବେ ବିପଜ୍ଜନକ କିମ୍ବା କ୍ଷତିକାରକ ସାମଗ୍ରୀ ଆଣିବା ନିଷେଧ ।

ରେଳ ମନ୍ତ୍ରଣାଳୟ ଯାତ୍ରୀଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ନିରନ୍ତର ଧ୍ୟାନ ଦେଉଛି । ଏହି ପଦକ୍ଷେପରେ, ମନ୍ତ୍ରଣାଳୟ ଷ୍ଟେସନ ମାଷ୍ଟରମାନଙ୍କ କ୍ଷମତା ବୃଦ୍ଧି କରିବାକୁ ଯୋଜନା କରୁଛି । ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନ ମାଷ୍ଟରମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ମନ୍ତ୍ରୀ ସୁରକ୍ଷିତ, ଅଧିକ ଦକ୍ଷ ଏବଂ ଯାତ୍ରୀ-କୈନ୍ଦ୍ରିକ ରେଳ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ମଧ୍ୟ ସମୀକ୍ଷା କରିଥିଲେ ।



Source link

Leave A Reply

Your email address will not be published.