ନୂଆଦିଲ୍ଲୀ: ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସିୟାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କ ବାପା ବାବୁଲାଲ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ତାଙ୍କ ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି। ସେ କେତନକୁ ପଛରୁ ଠେଲି ନାହାନ୍ତି ବୋଲି ଦାବି କରିଛନ୍ତି ବାବୁଲ ଲାଲ୍। ଏହାପରେ ପୁଲିସ ବିରୁଦ୍ଧରେ ସଂଗୀନ ଅଭିଯୋଗ ଲଗାଇଛନ୍ତି।
ବାବୁଲାଲ କହିଛନ୍ତି ଯେ ଯେତେବେଳେ କେତନ ଅଗ୍ରୱାଲ ମହାରାଷ୍ଟ୍ରର ଲୋହାଗଡ ଦୁର୍ଗର ଘାଟି ତଳକୁ ଖସିପଡ଼ିଥିଲେ ସେତେବେଳେ ତାଙ୍କ ପୁଅ ଚେତନ ଦୂରରେ ଠିଆ ହୋଇଥିଲା। ଚେତନ କେତନକୁ ଠେଲି ନଥିବା ବାରମ୍ବାର କହୁଥିବା ବାପା ବାବୁଲାଲ କହିଛନ୍ତି।
ପୁଅ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି ବାବୁଲାଲ ଚୌଧୁରୀ କହିଛନ୍ତି ଯେ ଚେତନ ତାଙ୍କ ମାଆଙ୍କୁ ଏକ ବିଜନେଶ ମିଟିଂ ପାଇଁ ଯାଉଥିବା ଜଣାଇବା ପରେ ଘରୁ ଚାଲିଯାଇଥିଲେ। ଏହାଠାରୁ ସେ ପରିବାରକୁ ଆଉ କିଛି ଜଣାଇ ନଥିଲା। ତେବେ ଲୋହାଗଡ ଦୁର୍ଗରେ ଘଟିଥିବା ଘଟଣା ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ, ଏବଂ ତାଙ୍କ ପୁଅର ଗିରଫଦାରୀ ପରେ ହିଁ ସେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ବୋଲି ବାବୁଲାଲ କହିଛନ୍ତି।
ବାବୁଲାଲ ଚୌଧୁରୀ ଦାବି କରିଛନ୍ତି ଯେ ତାଙ୍କ ପୁଅ ଚେତନ ମୃତ କେତନ ଅଗ୍ରୱାଲଙ୍କୁ ଠେଲି ନଥିବା ବାରମ୍ବାର କହଛନ୍ତି। ସେ କହିଛନ୍ତି “ଯେତେବେଳେ ଆମେ ପୋଲିସ ଷ୍ଟେସନକୁ ଗଲୁ, ଚେତନ ମୋତେ କହିଲା ଯେ ସେ ତାଙ୍କୁ ଠେଲି ନାହିଁ। ଅଗରୱାଲ ଖସିପଡ଼ିବା ବେଳେ ସେ ବହୁତ ଦୂରରେ ଠିଆ ହୋଇଥିଲା।” ତେବେ କେତନ ପଡ଼ିବା ପୂର୍ବରୁ ସିୟା ତାଙ୍କ ପାଖରେ ଛିଡ଼ା ହୋଇଥିବା ପୁଅ ମୋତେ କହିଛି ବୋଲି ବାବୁଲାଲ କହିଛନ୍ତି। ତେବେ ସିୟା ଠେଲିଛନ୍ତି କି ନା ସେ ବିଷୟରେ ସେ ଜାଣି ନାହାନ୍ତି ବୋଲି କହିଛନ୍ତି।
ପୁଅର ପ୍ରେମ ସମ୍ପର୍କ ବିଷୟରେ ବାବୁଲାଲ କହିଛନ୍ତି ଯେ ତାଙ୍କ ପରିବାର କେହି ସିୟା ବିଷୟରେ ଜାଣି ନଥିଲେ। ଗିରଫ ପରେ ପ୍ରଥମେ ଥର ତାଙ୍କୁ ପୋଲିସ ଭ୍ୟାନ୍ରେ ଦେଖିଲେ। ତେବେ ମୋ ପୁଅକୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ବାବୁଲାଲ।
ଏମିତି କାହିକି କହିଲା ପୁଲିସ ?
ଚେତନ ଚୌଧୁରୀଙ୍କ ବାପା ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ପୋଲିସ ପ୍ରଥମେ ଚେତନଙ୍କୁ ଅଟକ ରଖିଥିଲା, ପରିବାରକୁ ମାମଲାର ଗମ୍ଭୀରତା ବିଷୟରେ ଅବଗତ କରାଯାଇ ନଥିଲା। ଯେତେବେଳେ ତାଙ୍କୁ ରାତିରେ ଘରୁ ଉଠାଇ ନିଆଗଲା ପୋଲିସ ଆମକୁ କିଛି କହି ନଥିଲା। ମୁଁ ରାତି ପ୍ରାୟ ଅଢ଼େଇଟା ସମୟରେ ପୋଲିସ ଷ୍ଟେସନକୁ ଯାଇଥିଲି, କିନ୍ତୁ ସେମାନେ ମୋତେ ସକାଳେ ଆସିବାକୁ କହିଥିଲେ ବୋଲି ବାବୁଲାଲ ଅଭିଯୋଗ କରିଛନ୍ତି। ବାବୁଲାଲଙ୍କ ଅନୁସାରେ, ପୋଲିସ ପ୍ରଥମେ ତାଙ୍କୁ ଏହା ଏକ ଠକେଇ ସମ୍ପର୍କିତ ମାମଲା ବୋଲି କହିଥିଲା।
ଏନେଇ ସେ କହିଛନ୍ତି “ସେମାନେ ମୋତେ କହିଥିଲେ ଯେ ଏହା ଏକ ଠକେଇ ମାମଲା ଏବଂ ସେମାନେ ମୋ ପୁଅକୁ ଦୁଇ ଘଣ୍ଟା ମଧ୍ୟରେ ଛାଡିଦେବେ। ପରଦିନ ସକାଳେ, ଆମକୁ କୁହାଗଲା ଯେ ଏହା ଏକ ହତ୍ୟା ମାମଲା। ତେବେ ଚେତନ ଏପରି କରିପାରିବ ନାହିଁ, ତେଣୁ ତାକୁ ନିର୍ଦ୍ଦୋଷରେ ଖଲାସ କରାଯାଉ ବୋଲି ବାବୁଲାଲ ଦାବି କରିଛନ୍ତି।
