ନୂଆଦିଲ୍ଲୀ: ଆମେ ଭାରତୀୟ । ଆମକୁ ଚାଇନିଜ୍ କହିବା ବନ୍ଦ କରନ୍ତୁ, ଆମକୁ ବହୁତ ରାଗ ଲାଗୁଛି । ଆମକୁ ଭାରତୀୟ କୁହନ୍ତୁ, ଆମେ ଇଟାନଗରରେ ରହୁଛୁ । ଅରୁଣାଚଳ ପ୍ରଦେଶର ଜଣେ କୁନି ଝିଅର ଏହି ଭିଡିଓ ବାର୍ତ୍ତା ସାରା ଭାରତରେ ଆଲୋଡନ ସୃଷ୍ଟି କରିଛି । ଜାତିଆଣ ଭେଦଭାବର ସମ୍ମୁଖୀନ ହେଉଥିବା ଅରୁଣାଚଳର ପ୍ରତ୍ୟେକ ବ୍ୟକ୍ତିଙ୍କ ମନର କୋହକୁ ଏହି କୁନି ଝିଅ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛି । ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅରୁଣାଚଳ ପ୍ରଦେଶର ଲୋକଙ୍କୁ ସେମାନଙ୍କ ଚେହେରାକୁ ନେଇ ଚାଇନିଜ୍ ବୋଲି ଆକ୍ଷେପ କରୁଥିବା ଲୋକଙ୍କ ଗାଲରେ ଏହା ଶକ୍ତ ଚାପୁଡ଼ା ।
ଜଣେ ବ୍ୟକ୍ତି ଝିଅଟିକୁ ‘ତୁମେ କ’ଣ ଚାଇନିଜ୍ ?’ ବୋଲି ପଚାରିବା ପରେ, ସେ ବିନା ଦ୍ୱିଧାରେ ନିଜର ଅସନ୍ତୋଷ ପ୍ରକାଶ କରିଛି। ସେ ଜବାବ ଦେଇଛି, ’ହମ୍ ଲୋଗ୍ ଇଣ୍ଡିଆନ୍ ହେଁ। ଆପ୍ ହମକୋ ଚାଇନିଜ୍ ବୋଲନେ ସେ ହମ୍ ବହତ ଗୁସା ହୋତେ ହେଁ, ବହତ ଦୁଃଖୀ ହୋତେ ହେଁ। ହମକୋ ଇଣ୍ଡିଆନ୍ ବୋଲୋ। ହମ୍ ଇଣ୍ଡିଆ କା ହେ। ହମ୍ ଇଟାନଗର ମେଁ ରହତେ ହେଁ ।’ (ଆମେ ଭାରତୀୟ। ଆମକୁ ଚାଇନିଜ୍ କହିଲେ ଆମକୁ ବହୁତ ରାଗ ଲାଗେ ଓ ଦୁଃଖ ଲାଗେ। ଆମକୁ ଭାରତୀୟ କୁହ। ଆମେ ଭାରତର, ଆମେ ଇଟାନଗରରେ ରହୁ।)
“Please don’t call us Chinese. It makes us angry and sad. We are Indians. Please call us Indians.”
– A little girl from Itanagar has a simple message that shouldn’t need explaining 🇮🇳
God Bless Her ❤️ pic.twitter.com/gzq3giATyv
— Sunny Raj (@SunnyRajBJP) August 20, 2026
ଇନ୍ଷ୍ଟାଗ୍ରାମ୍ ଏବଂ Xରେ ଏହି ଭିଡିଓଟି ଭାଇରାଲ ହେବା ପରେ ନେଟିଜେନ୍ସ ଝିଅଟିର ସାହସ ଓ ସରଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଉତ୍ତର-ପୂର୍ବ ଭାରତର ଲୋକମାନଙ୍କୁ ପ୍ରାୟତଃ ଚୀନ୍, ନେପାଳ କିମ୍ବା ଅନ୍ୟ ଦେଶର ନାଗରିକ ଭାବି ବର୍ଣ୍ଣବୈଷମ୍ୟ (Racism) ଆକ୍ଷେପର ଶିକାର ହେବାକୁ ପଡ଼ିଥାଏ। ଏହି କୁନି ଝିଅଟିର ନିଷ୍କପଟ ବାର୍ତ୍ତା କେବଳ ଏକ ଭିଡିଓ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଉତ୍ତର-ପୂର୍ବ ଭାରତର ଆଞ୍ଚଳିକ ପରିଚୟ ଏବଂ ଦେଶପ୍ରେମର ଏକ ଶକ୍ତଶାଳୀ ପ୍ରତୀକ ସାଜିଛି।
