ଭୁବନେଶ୍ୱର: ମୌସୁମୀ ଆସି ଛୁଇଁଦେଲା, କିନ୍ତୁ ବର୍ଷା ନାହିଁ। ବିସ୍ତୃତ ଅଞ୍ଚଳରେ ବର୍ଷାର ସମ୍ଭାବନା ବି ଦେଖାଯାଉନି। ଏପଟେ ଗରମ, ଗୁଳୁଗୁଳି ଜାରି ରହିଛି। ସାଧାରଣ ଲୋକେ କହୁଛନ୍ତି, ଏ କି ପ୍ରକାର ବର୍ଷା ବିହୀନ ମୌସୁମୀ ? ପାଣିପାଗ ବିଶେଷଜ୍ଞ କହୁଛନ୍ତି, ଏଥର ମୌସୁମୀ ଆରମ୍ଭରୁ ଦୁର୍ବଳ ରହିଛି। ଏମିତିରେ କେବଳ ଲଘୁଚାପ ହିଁ ଭରସା। ଯଦି ଲଘୁଚାପ ହେବ, ମୌସୁମୀ ବର୍ଷା ଆଗେଇବ। ନଚେତ୍ ଏମିତି ସ୍ଥିତି ଲାଗି ରହିବ।
ଗତକାଲି ସରପ୍ରାଇଜ୍ କରିଦେଇଥିଲା ପାଣିପାଗ ବିଭାଗର ମୌସୁମୀ ଘୋଷଣା। ଉତ୍ତର ଓଡ଼ିଶା ଦେଇ ମୌସୁମୀ ଆସିଥିବା ଚିତ୍ର ଆଙ୍କି ଦେଖାଇ ଦେଲେ। ଆଶା କରାଯାଉଥିଲା, ଶନିବାର ରାଜ୍ୟରେ ଭଲ ବର୍ଷା ହେବ। ମାତ୍ର ପ୍ରାୟତଃ ଅଞ୍ଚଳ ଶୁଖିଲା ପଡ଼ିଛି। ଓଲଟା କାଲି ତୁଳନାରେ ଖରା ପ୍ରକୋପ ବଢ଼ିଯାଇଛି। ଶନିବାର ଉପକୂଳରେ କାଁ ଭାଁ ଘଡ଼ଘଡ଼ି ବର୍ଷା ହୋଇଥିଲା। ଯେଉଁଠି ମୌସୁମୀ ଛୁଇଁଥିଲା, ସେଇ ଭଦ୍ରକରେ ତାପମାତ୍ରା ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୭, ବାରିପଦାରେ ୩୯.୪, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ଵରରେ ୩୮ ଡିଗ୍ରୀ ପାର୍ କରିଥିଲା । ଦିନ ଭିତରେ ଦକ୍ଷିଣରେ କାଁ ଭାଁ ବର୍ଷା ହୋଇଥିବା ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।
ଚଳିତ ଜୁନ୍ ମାସରେ ଏଯାଏଁ ୩୮% ବର୍ଷା ନିଅଣ୍ଟିଆ ରହିଛି। ଗତ ୨୪ ଘଣ୍ଟାର ରେକର୍ଡ କହୁଛି, ରାଜ୍ୟରେ ହାରାହାରି ୪.୩ ମିଲିମିଟର ବର୍ଷା ହୋଇଛି। ଅର୍ଥାତ୍ ୫୬% କମ୍ ବର୍ଷା ହୋଇଛି। ଆଶ୍ଚର୍ଯ୍ୟ କରିଛି ଏମିତିକି ବର୍ଷାହୀନ ମୌସୁମୀ।
ପାଣିପାଗ ବୈଜ୍ଞାନିକ କହିଛନ୍ତି, ଏ ବର୍ଷ ମୌସୁମୀ ପୂରା ଦୁର୍ବଳ ରହିଛି। ନା ଆରବ ସାଗରୀୟ ଶାଖାରେ ବଳ ଅଛି ନା ବଙ୍ଗୋପ ସାଗରୀୟ ଶାଖା ସକ୍ରିୟ ଅଛି। ଅନ୍ୟପଟେ ଜମ୍ମୁ ଆଡୁ ପଶ୍ଚିମା ଝଡ଼ ଆସିଲାଣି। ଯଦି ୨/୪ ଦିନରେ ମୌସୁମୀ ସକ୍ରିୟ ନ ହେବ, ତେବେ ଆଗକୁ ବର୍ଷା ଆହୁରି କମିପାରେ। କାରଣ ପଶ୍ଚିମା ଝଡ଼ ପଛରେ ଶୁଷ୍କ ପବନ ଆସିଥାଏ। ୧୮/୧୯ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଥିବା ପୂର୍ବରୁ ଅନୁମାନ କରାଯାଇଥିଲା। ଏବେ ସ୍ପଷ୍ଟ କୁହାଯାଇପାରିବ ନାହିଁ । ଯଦି ଏହି ଲଘୁଚାପ ହେବ, ତେବେ ମୌସୁମୀ ଆଗକୁ ବର୍ଷା କରାଇବ। ନଚେତ୍ ସ୍ଥିତି ଚିନ୍ତାଜନକ ହୋଇପାରେ।
କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଉପକୂଳ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ଏହା ସତ୍ତ୍ୱେ ସାରା ରାଜ୍ୟରେ ବ୍ୟାପକ ଓ ଚାଷ ପାଇଁ ଉପଯୋଗୀ ବର୍ଷା ହେବାରେ ବିଳମ୍ବ ହୋଇପାରେ। ପାଣିପାଗ ମଡେଲ୍ ଅନୁସାରେ ୧୯ରୁ ୨୧ ତାରିଖ ବେଳକୁ ବର୍ଷା ସ୍ଥିତିରେ କିଛି ପରିମାଣରେ ସୁଧାର ଆସିପାରେ। ତେବେ କୌଣସି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେଉନଥିବାରୁ ଲଗାତାର ପ୍ରବଳ ବର୍ଷା ହେବନି। ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବିରତିଆ ବର୍ଷା ହୋଇପାରେ। ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସାରା ରାଜ୍ୟରେ ଏକସଙ୍ଗେ ବର୍ଷା ବଦଳରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିବ।
ପ୍ରଫେସର ପଶୁପାଳକ କହିଛନ୍ତି, ଏଥର ବର୍ଷାର ଅସମାନ ବଣ୍ଟନ ଓ ମୌସୁମୀ ଆସିବା ପରେ ବି ଶୁଖିଲା ପାଗ କୃଷି ପାଇଁ ମୁଖ୍ୟ ଚିନ୍ତା । ତେଣୁ ଚାଷୀମାନେ ମୌସୁମୀ ଆସିବା ତାରିଖକୁ ନ ଦେଖି ବର୍ଷାର ନିରନ୍ତରତା, ମାଟିର ଓଦାଭାବ(ଆର୍ଦ୍ରତା)କୁ ଦେଖି ବିହନ ବୁଣିବା ଉଚିତ। ବର୍ତ୍ତମାନ ସ୍ଥିତି ଅନୁସାରେ ଉପକୂଳ ଓଡ଼ିଶାରେ ୧୯-୨୨୨, ପଶ୍ଚିମରେ ୧୯-୨୩, ଉତ୍ତର-କେନ୍ଦ୍ରୀୟ ଓଡ଼ିଶାରେ ୨୦ରୁ ୨୪ ଜୁନ୍ ବିହନ ବୁଣିବା ପାଇଁ ଅନୁକୂଳ ସମୟ ଜଣାପଡୁଛି। ଏହା ସ୍ଥାନୀୟ ବର୍ଷା ଓ ଜମିର ବତର ସ୍ଥିତି ଉପରେ ନିର୍ଭର କରୁଛି।
ପାଣିପାଗ ବିଭାଗ କହିଛି, ରବିବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା, ପବନ ଆଶଙ୍କା ଅଛି। ଉପକୂଳ ଓଡ଼ିଶାରେ ଗରମ, ଗୁଳୁଗୁଳି ଲାଗି ରହିପାରେ।
