Voice of Eastern India

NEET ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ଜୁନ ୨୧ରେ ହେବ ପରୀକ୍ଷା


ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ନିମନ୍ତେ ଜୁନ ୨୧ରେ ଅନୁଷ୍ଠିତ ହେବାକୁ ଥିବା ଏନଇଇଟି-ୟୁଜି ପୁନଃ ପରୀକ୍ଷା ପାଇଁ ରବିବାର ଆଡମିଟ୍ କାର୍ଡ ଜାରି ହୋଇଛି। ଏହି ଆଡମିଟ୍ କାର୍ଡ ଏବେ ନିଟ୍ ଡଟ୍ ଏନଟିଏ ଡଟ୍ ଏନଆଇସି ଡଟ୍ ଇନ୍ ରେ ଜାରି ହୋଇଛି। ତେବେ ଦେଶରେ ଏହି ପରୀକ୍ଷା କରାଉଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଆଡମିଟ୍ କାର୍ଡ ଡାଉନଲୋଡ କରିବା ପୂର୍ବରୁ ରିଫଣ୍ଡ ଲାଗି ନିଜ ବ୍ୟାଙ୍କ ଆକାଉଣ୍ଟ ସୂଚନା ସତ୍ୟାପିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟବାର ପରୀକ୍ଷା ଲାଗି ଆଡମିଟ୍ କାର୍ଟ ଜୁନ ୧୪ ତାରିଖ ସୁଦ୍ଧା ଜାରି କରିଦିଆଯିବ ବୋଲି ଘୋଷଣା କରିଥିଲେ। ସେହିଅନୁସାରେ ଏନଟିଏ ରବିବାର ସୋସିଆଲ ମିଡିଆ ହ୍ୟାଣ୍ଡଲ ଏକ୍ସ ରେ ପୋଷ୍ଟ କରି ରି-ଏଗଜାମିନେସନ ଲାଗି ଆଡମିଟ୍ କାର୍ଡ ଏବେ ଉପଲବ୍ଧ ହେଉଥିବା ସୂଚିତ କରିଛନ୍ତି। ଏଥିରେ ଏନଟିଏ ହେଲପଲାଇନ ନମ୍ବର ୦୧୧-୪୦୭୫୯୦୦୦/୦୧୧-୬୯୨୨୭୭୦୦ ମଧ୍ୟ ଜାରି କରିଛନ୍ତି। ଏହା ସହିତ ଏନଟିଏ ଆଡଭାଇଜରୀ ମଧ୍ୟ ଜାରି ହୋଇଛି।

ଏନଟିଏ କହିଛି ଯେ ଛାତ୍ର ପୋର୍ଟାଲରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଅପଡେଟ୍ କରିବା ସମୟରେ ସର୍ଭରରେ ଅଧିକ ଲୋଡ ପଡିପାରେ। ଏଣୁ ପ୍ରୋସେସକୁ ସରଳ କରିବା ପାଇଁ ଦିଆଯାଇଥିବା ପରାମର୍ଶ ଅନୁସରଣ କରନ୍ତୁ। ଏଥିରେ ବ୍ୟାଙ୍କ ରେକର୍ଡ ଅନୁସାରେ ନିଜର ପୁରା ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ ଓ କ୍ୟାନସଲ ହୋଇଥିବା ଚେକ୍ ର ସ୍କାନ କରା କପି ଆଟାଚ୍ କରିବାକୁ ପଡିବ। ଏହି ସବୁ କାଗଜପତ୍ର ପ୍ରସ୍ତୁତ ରଖିଥିଲେ ଆପଣଙ୍କୁ ଜରୁରି ଷ୍ଟେପସ୍ ସହଜରେ ପୁରା କରିପାରିବା ସହିତ ଅବିଳମ୍ବେ ଆଡମିଟ୍ କାର୍ଡ ଡାଉନ ଲୋଡ କରିବାରେ ସହାୟତା ମିଳିବ।

ଏନଟିଏ ଅନୁସାରେ ନିଟ-ୟୁଜି ୨୦୨୬ ପୁନଃ ପରୀକ୍ଷା ୨୧ ଜୁନ ୨୦୨୬ରେ ଅନୁଷ୍ଠିତ ହେବ। ପରୀକ୍ଷା ମଧ୍ୟାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ମୋଟ ଅବଧି ୩ଘଣ୍ଟା ୧୫ ମିନିଟ୍ ରହିବ। ଏଣୁ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପରୀକ୍ଷା ସମ୍ପର୍କିତ ସମସ୍ତ ଜରୁରି ସୂଚନା ଆଡମିଟ୍ କାର୍ଡରେ ଦିଆଯାଇଥିବା କୁହାଯାଇଛି।



Source link

Leave A Reply

Your email address will not be published.