Voice of Eastern India

Madhya Pradesh: ଦୀପାବଳିରେ ମୃତ୍ୟୁର ତାଣ୍ଡବ, ଅଗ୍ନିକାଣ୍ଡରେ ୨ଟି ପରିବାରର ୧୨ ଜଣ ଜୀବନ୍ତ ଦଗ୍ଧ


ନୂଆଦିଲ୍ଲୀ ୦୯। ୧୧ : ଦୀପାବଳିରେ ବଡ଼ ଅଘଟଣ । ମଧ୍ୟପ୍ରଦେଶର ସିବନୀ ଏବଂ କଟନୀ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨ଟି ପରିବାର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୋଟ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଉଭୟ ଘଟଣାରେ ୬-୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ସୂଚନାନୁଯାୟୀ, କଟନୀ ଜିଲ୍ଲା ମୁଖ୍ୟାଳୟ ଠାରୁ ୫୫ କିମି ଦୂର ବରହି ଗାଁରେ ଦୀପାବଳି ରାତି ପ୍ରାୟ ସାଢେ ୧୧ଟା ବେଳେ ପୁରନ ଅଗ୍ରୱାଲ ଏବଂ ରିତେଶ ଅଗ୍ରୱାଲଙ୍କ ବାଣ ଦୋକାନରେ ନିଆଁ ଲାଗିଯାଇଥିଲା । ଦୋକାନ ଉପରେ ତିନି ମହଲା ଘରେ ପରିବାର ରହୁଥିଲା । ଦେଖୁଦେଖୁ ନିଆଁ ସମଗ୍ର କୋଠାକୁ ଛାରଖାର କରିଦେଲା । ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତେ ଶ୍ଵାସରୁଦ୍ଧ ହୋଇଯାଇଥିଲେ । ଦୁର୍ଘଟଣାରେ ପରିବାରର ଛଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇଜଣ ବୃଦ୍ଧ, ଜଣେ ମହିଳା ଏବଂ ତିନି ଜଣ ପିଲା ଥିଲେ । ଜଣେ ପୁରୁଷ ଏବଂ ଜଣେ ମହିଳା ଖସି ପଳାଇ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

ସେହିପରି ଦ୍ୱିତୀୟ ଘଟଣାଟି ସିବନୀ ଜିଲ୍ଲାର ଛପାରା ସହରର ମହାବୀର ୱାର୍ଡର ଜୈନ ମୋହଲ୍ଲାରେ ଘଟିଛି । ସୋମବାର ଭୋର ପ୍ରାୟ ୩ଟା ସମୟରେ ସୁନା ବ୍ୟବସାୟୀ କୁନ୍ଦନ ସୋନିଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ଘର ଭିତରେ ଶୋଇଥିବା ଲୋକମାନେ ବାହାରକୁ ବାହାରିବାକୁ ସୁଯୋଗ ପାଇନଥିଲେ। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଛଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।



Source link

Leave A Reply

Your email address will not be published.