ନୂଆଦିଲ୍ଲୀ: ଦୀପାବଳୀର ଉଲ୍ଲାସ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଅଗ୍ନିକାଣ୍ଡ ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବାଣ ନିଆଁ ଓ ସର୍ଟସର୍କିଟ ଭଳି ଘଟଣାରେ ଲାଗିଥିବା ନିଆଁ ଅନେକ ପରିବାରର ଖୁସିକୁ ଶୋକରେ ବଦଳାଇ ଦେଇଛି। ଏହି ସବୁ ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଗୁରୁତର ଆହତ ହୋଇଛନ୍ତି। ଏହି ସବୁ ଘଟଣାରେ କିଛି ଲୋକେ ନିଖୋଜ ମଧ୍ୟ ଅଛନ୍ତି। ବିପର୍ଜୟ ପ୍ରସମନ ଦଳ ସାରା ରାତି ଭିନ୍ନ ଭିନ୍ନ ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଓ ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ।
ଦୀପାବଳୀ ଦୁର୍ଘଟଣାର ସବୁଠୁ ଗୁରୁତର ପ୍ରଭାବ ମଧ୍ୟପ୍ରଦେଶରେ ଦେଖା ଯାଇଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। କଟନୀ ଜିଲ୍ଲାର ଏକ ବାସଭବନରେ ନିଆଁ ଲାଗିବା ଯୋଗୁ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ମାସର ନବଜାତ ସହିତ ୩ ନିରିହ ପିଲା ମଧ୍ୟ ଅଛନ୍ତି। ସେହିପରି ସିବନୀ ଜିଲ୍ଲାରେ ସ୍ୱର୍ଣ୍ଣାଳଙ୍କାର ବ୍ୟବସାୟୀଙ୍କ ଘରେ ନିଆଁ ଲାଗି ଜଣେ ୧୬ ବର୍ଷର କିଶୋରଙ୍କ ସମେତ ପରିବାରର ୬ ଜଣ ପୋଡିଯାଇଛନ୍ତି। ଉଜ୍ଜୈନର ନାଗଝିରୀ କ୍ଷେତ୍ରରେ ଏକ ଦୁଇତଳ ଭବନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ବେଳେ ଉପର ଘରେ ୧୦ ଜଣ ସଦସ୍ୟ ଫଶି ଯାଇଥିଲେ। ଏଥିରେ ଜଣେ ୧୦୭ ବର୍ଷ ବୟଷ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ କାଳରେ ଦୁର୍ଘଟଣା ଘଟିଛି। ଏଥିରେ ଧାରାଶିବ ଜିଲ୍ଲାର ଏକ ତେଜରାତି ଦୋକାନର ଉପର ମହଲାରେ ନିଆଁ ଲାଗି ପରିବାରର ୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ପୁଣେରେ ରାତି ତମାମ ଅଗ୍ନିକାଣ୍ଡର ୬୩ଟି ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇ ଲୋଖଣ୍ଡୱାଲାରେ ହୋଇଥିବା ଏକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ସେହିପରି ଡୋଙ୍ଗରୀ ଅଞ୍ଚଳରୀ ନିଆଁ ବସ୍ତି ଓ ବଜାର ଜାଳି ଦେଇଛି। ନାଗପୁରରେ ଏକ ଟିଭିଏସ ସୋ ରୁମରେ ନିଆଁ ଲାଗିବା ଯୋଗୁ ବିକ୍ରିହେବାକୁ ଥିବା ଗାଡି ଜଳି ଯାଇଛି। ଠାଣେର ଏକ ୧୭ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ଏଠାରେ ସେଭଳି ଧନଜୀବନ ହାନୀ ହୋଇ ନାହିଁ।
ରାଜସ୍ଥାନ ପାଲି ଜିଲ୍ଲାରେ ବାଣ ଦୋକାନରେ ନିଆଁ ଲାଗିବା ଯୋଗୁ ପୋଡି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନାକାଣ୍ଡରେ ୩ ଜଣ ନିଖୋଜ ଅଛନ୍ତି। ବାଣ ଦୋକାନରୁ ନିଆଁ ବ୍ୟାପୀ ଆଖାପାଖର ୩ଟି ଦୋକାନ ଜଳି ଯାଇଥିବା ବେଳେ ବାଣ କିଣିବାକୁ ଆସିଥିବା ଲୋକଙ୍କ ଯାନବାହନ ପୋଡି ଯାଇଛି। ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଆତଶବାଜୀ କାଳରେ ଏକ ରକେଟ୍ ୧୦ ବର୍ଷର ବାଳକ ପେଟରେ ଫୁଟି ଯାଇଛି। ଫଳରେ ପିଲାଟି ଘଟଣାସ୍ଥଳରେ ପ୍ରାଣ ହରାଇଛି।
ଉତ୍ତରପ୍ରଦେଶ ବାନ୍ଦାର ଏକ କବାଡିରେ ଦୋକାନରେ ନିଆଁ ଲାଗିବା ଯୋଗୁ ପାଖାପାଖି ୨୦ରୁ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଗାଜିୟାବାଦର କ୍ରସିଂ ରିପବ୍ଲିକ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଥିବାର ଖବର ଆସୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଦୀପାବଳି ପାଳନ କାଳରେ ଅଗ୍ନିକାଣ୍ଡ ଘଟିବା ଯୋଗୁ ବିପୁଳ ପରିମାଣର ଧନଜୀବନ ହାନୀର ଖାବର ଆସୁଛି। ଜମ୍ମୁ ନେହେରୁ ମାର୍କେଟରେ ୧୨ରୁ ଅଧିକ ଦୋକାନ ଜଳି ପାଉଁଶ ହୋଇଯାଇଛି।
