ଚେନ୍ନାଇ: ପ୍ରସିଦ୍ଧ କୃଷ୍ଣଙ୍କ ଘାତକ ବୋଲିଂ ପରେ ବ୍ୟାଟିଂରେ ଯଶସ୍ଵୀ ଜୟସ୍ଵାଲ ଓ ରୋହିତ ଶର୍ମାଙ୍କ ଧମାଲ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଶେଷ ଦିନିକିଆକୁ ଭାରତ ୯ ଓ୍ଵିକେଟରେ ଜିତି ନେଇଛି। ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪୪.୨ ଓଭରରେ ୨୧୮ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ହସମତୁଲ୍ଲା ଶାହିଦି ୧୦୨ ରନର ଶତକୀୟ ଇନିଂସ କରିଥିଲେ। ଜବାବରେ ଯଶସ୍ଵୀ ଜୟସ୍ଵାଲଙ୍କ ଧମାକାଦାର ୧୧୦ ରନ ଓ ରୋହିତ ଶର୍ମାଙ୍କ ୭୯ ରନ ବଳରେ ଗୋଟିଏ ଓ୍ଵିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି।
୨୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ରୋହିତ ଶର୍ମା ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଆଫଗାନିସ୍ତାନ ବୋଲରଙ୍କୁ ନୟାନ୍ତ କରିଥିଲେ। ଓପନିଂରେ ୨୨.୫ ଓଭରରେ ୧୭୦ ରନ କରି ବିଜୟ ସୁନିଶ୍ଚିତ କରିଥିଲେ। ରୋହିତ ୬୯ ବଲରୁ ୯ ଚୌକା ଓ ୩ ଛକା ସହ ୭୯ ରନର ଦମଦାର ଇନିଂସ ଖେଳିଥିଲେ। ଏହା ପରେ ଜୟସ୍ଵାଲ ଦ୍ଵିତୀୟ ଦିନିକିଆ ଶତକ ହାସଲ କରିଥିଲେ। ସେ ୮୬ ବଲରୁ ୧୪ ଚୌକା ଓ ୩ ଛକା ସହ ୧୧୦ ରନରେ ଅପରାଜିତ ଥିଲେ। ଶ୍ରେୟସ ଆୟର ୨୦ ରନ କରି କ୍ରିଜରେ ରହିଥିଲେ। ଭାରତ ୨୮.୪ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।
Also Read: ଶ୍ରୀଲଙ୍କାରେ ଫ୍ଲପ୍ ଶୋ’; ୧୫ ବର୍ଷୀୟ ବୈଭବଙ୍କ ଭବିଷ୍ୟତ ସ୍ଥିର କରିବ ଫାଇନାଲ ମ୍ୟାଚ୍ !
ଚେନ୍ନାଇରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆଫଗାନିସ୍ତାନ ଦଳ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ତିଷ୍ଠି ନପାରି ୪୪.୨ ଓଭରରେ ମାତ୍ର ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ମ୍ୟାଚ୍ ଆରମ୍ଭରୁ ହିଁ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ମାତ୍ର ୩୬ ରନ୍ ହୋଇଥିବା ବେଳେ ଆଫଗାନିସ୍ତାନ ତାର ପ୍ରମୁଖ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅଧିନାୟକ ହଶମତୁଲ୍ଲା ଶାହିଦି ଏବଂ ଅଜମତୁଲ୍ଲା ଓମରଜାଇ ଧୈର୍ଯ୍ୟର ସହ ଖେଳି ଦଳକୁ ସମ୍ଭାଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୧୧୪ଟି ବଲ୍ରେ ୧୦୫ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଉମରଜାଇ ୫୬ଟି ବଲ୍ ଖେଳି ୨ଟି ଛକା ଓ ୫ଟି ଚୌକା ସହ ୫୦ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳି ପାଭିଲିୟନ ଫେରିଥିଲେ।
ଶାହିଦିଙ୍କ ଜବରଦସ୍ତ ଶତକ
ଉମରଜାଇ ଆଉଟ୍ ହେବା ପରେ ଅଧିନାୟକ ଶାହିଦି, ମହମ୍ମଦ ନବୀଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। ନବୀ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଆଫଗାନିସ୍ତାନ ୧୯୮ ରନ୍ରେ ନିଜର ଷଷ୍ଠ ୱିକେଟ୍ ହରାଇବା ପରେ ବାକି ବ୍ୟାଟ୍ସମ୍ୟାନମାନେ ଆୟାରାମ ଗୟାରାମ ସାବ୍ୟସ୍ତ ହୋଇଥିଲେ। ଫଳରେ ଦଳ ମାତ୍ର ୨୧୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା।
