ନୂଆଦିଲ୍ଲୀ: ନ୍ୟୁଜର୍ସିର ଇଷ୍ଟ ରଦରଫୋର୍ଡରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ୨୦୨୬ ର ଗ୍ରୁପ୍ ସି’ ମୁକାବିଲାରେ ବ୍ରାଜିଲ ଏବଂ ମୋରକ୍କୋ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଦୁଇ ଦଳ ମଧ୍ୟରେ ଏହି ପ୍ରଥମ ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର’ ରହିଥିଲା । ନ୍ୟୁୟର୍କ ନ୍ୟୁଜର୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ବ୍ରାଜିଲ୍ ଦଳ ନିଜର ୮୮ ବର୍ଷ ପୁରୁଣା ରେକର୍ଡକୁ ବଞ୍ଚାଇବାରେ ସଫଳ ହୋଇଛି । ବିଶ୍ୱକପ୍ ଇତିହାସରେ ବ୍ରାଜିଲ୍ ଦଳ ଗତ ୮୮ ବର୍ଷ ହେବ ନିଜର ପ୍ରଥମ ମ୍ୟାଚ୍ ହାରିନାହିଁ । ମୋରକ୍କୋ ବିପକ୍ଷରେ ମ୍ୟାଚ୍ ଡ୍ର’ କରି ଦଳ ନିଜର ସେହି ରେକର୍ଡକୁ ଜାରି ରଖିଛି ।
ବ୍ରାଜିଲ୍ ଶେଷ ଥର ପାଇଁ ୧୯୩୪ ବିଶ୍ୱକପର ନିଜର ପ୍ରଥମ ମ୍ୟାଚ୍ରେ ସ୍ପେନଠାରୁ ୧-୩ ଗୋଲରେ ପରାସ୍ତ ହୋଇଥିଲା । କିନ୍ତୁ, ତା’ପଠାରୁ ଅର୍ଥାତ୍ ୧୯୩୮ରୁ ୨୦୨୬ ମଧ୍ୟରେ ଦଳ ନିଜର ପ୍ରଥମ ମ୍ୟାଚ୍ରେ କେବେ ବି ପରାଜିତ ହୋଇନାହିଁ ।
ବ୍ରାଜିଲର ଷ୍ଟାର୍ ଖେଳାଳି ନେମାର ଆହତ କାରଣରୁ ଏହି ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ, ଯାହାର ପ୍ରଭାବ ଦଳର ଖେଳ ଉପରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ମ୍ୟାଚ୍ର ପ୍ରଥମ ହାଫ୍ରେ ମୋରକ୍କୋ ଦଳ ବ୍ରାଜିଲ୍ ଉପରେ ସମ୍ପୂର୍ଣ୍ଣ ଚାପ ପକାଇଥିଲା। ମ୍ୟାଚ୍ର ୨୧ତମ ମିନିଟ୍ରେ ମୋରକ୍କୋର ଇସମାଇଲ୍ ସାଇବେରୀ ଏକ ଚମତ୍କାର ଗୋଲ୍ ଦେଇ ନିଜ ଦଳକୁ ୧-୦ ରେ ଆଗୁଆ କରିଥିଲେ ।
ଏହି ଗୋଲ୍ ପରେ ବ୍ରାଜିଲ୍ ଦଳ ପ୍ରତ୍ୟାବର୍ତ୍ତନ ପାଇଁ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିଲା । ମ୍ୟାଚ୍ର ୩୨ତମ ମିନିଟ୍ରେ ବ୍ରାଜିଲର ଷ୍ଟାର୍ ଫରୱାର୍ଡ ଭିନିସିଅସ୍ ଜୁନିଅର ଏକ ଚମତ୍କାର ଗୋଲ୍ ସ୍କୋର କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ । ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍କୋର ୧-୧ ରହିଥିଲା । ଦ୍ୱିତୀୟ ହାଫରେ ଉଭୟ ଦଳ ଗୋଲ୍ କରିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କାହାକୁ ସଫଳତା ମିଳିନଥିଲା ଏବଂ ଶେଷରେ ମ୍ୟାଚ୍ଟି ଡ୍ର’ରେ ଶେଷ ହୋଇଥିଲା ।
ଏହି ମ୍ୟାଚ୍ ଡ୍ର ହେବା ପରେ ଗ୍ରୁପ୍ ସି’ର ସମୀକରଣ ବେଶ୍ ରୋମାଞ୍ଚକର ହୋଇଯାଇଛି । ବ୍ରାଜିଲ ଏବଂ ମୋରକ୍କୋ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିଛି । ଏଭଳି ସ୍ଥିତିରେ ଆଗାମୀ ଦୁଇଟି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ପରବର୍ତ୍ତୀ ରାଉଣ୍ଡକୁ ଯିବା ପାଇଁ ଏବେ ଉଭୟ ଦଳକୁ ନିଜ ନିଜର ଆଗାମୀ ମ୍ୟାଚଗୁଡ଼ିକ ବଡ଼ ଗୋଲ୍ ବ୍ୟବଧାନରେ ଜିତିବାକୁ ପଡ଼ିବ ।
