Voice of Eastern India

E20 petrol ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା ପାଇଁ ସମୟ ମାଗିଲେ କେଜ୍ରିଓ୍ବାଲ


ନୂଆଦିଲ୍ଲୀ:  E20 ପେଟ୍ରୋଲକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି ଅରବିନ୍ଦ କେଜ୍ରିୱାଲ । ଆମ ଆଦମୀ ପାର୍ଟି (AAP) ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ଦେଶରେ ବ୍ୟବହାର ହେଉଥିବା ଇ-୨୦ (E20 – ୨୦ ପ୍ରତିଶତ ଇଥାନଲ ମିଶ୍ରିତ) ପେଟ୍ରୋଲକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆଲୋଚନା କରିବା ସହ ଇନ୍ଧନ ପମ୍ପଗୁଡ଼ିକରେ ଗ୍ରାହକମାନଙ୍କୁ ଶୁଦ୍ଧ ପେଟ୍ରୋଲ କିମ୍ବା ଇ୨୦ ପେଟ୍ରୋଲ ମଧ୍ୟରୁ ଯେକୌଣସି ଗୋଟିଏ ବାଛିବାର ସ୍ୱାଧୀନତା ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ କେଜ୍ରିୱାଲ କହିଛନ୍ତି ଯେ, ପ୍ରସ୍ତାବିତ ବୈଠକରେ ସେ ଇ୨୦ ପେଟ୍ରୋଲ ସହ ଜଡ଼ିତ ବୈଷୟିକ ସମସ୍ୟା ଏବଂ ଏହା ଉପରେ ସାଧାରଣ ଜନତାଙ୍କ ଠାରୁ ମିଳିଥିବା ମତାମତ ଉପସ୍ଥାପନ କରିବାକୁ ଚାହାଁନ୍ତି। କେଜ୍ରିୱାଲଙ୍କ କହିବା ଅନୁଯାୟୀ, ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକମାନଙ୍କୁ ଶୁଦ୍ଧ ପେଟ୍ରୋଲ ଓ ଇ-୨୦ ପେଟ୍ରୋଲ ମଧ୍ୟରୁ ନିଜ ପସନ୍ଦ ଅନୁସାରେ କିଣିବାର ସମ୍ପୂର୍ଣ୍ଣ ସୁଯୋଗ ମିଳିବା ଉଚିତ୍। ଯଦି କେହି ଶୁଦ୍ଧ ପେଟ୍ରୋଲ ଚାହୁଁଛନ୍ତି, ତେବେ ତାଙ୍କୁ ସେହି ବିକଳ୍ପ ମିଳିବା ଦରକାର ଏବଂ ଯେଉଁମାନେ ଇ-୨୦ ଚାହୁଁଛନ୍ତି ସେମାନଙ୍କ ପାଇଁ ମଧ୍ୟ ସେହି ସୁବିଧା ରହିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

ଏହା ସହିତ ସେ ଇ-୨୦ ପେଟ୍ରୋଲର ଦାମ ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ଇଥାନଲ ମିଶ୍ରିତ ଏହି ଇନ୍ଧନ ସାଧାରଣ ପେଟ୍ରୋଲ ତୁଳନାରେ କମ୍ ମାଇଲେଜ୍ ଦିଏ। ଲୋକମାନଙ୍କ ସହ ଆଲୋଚନା କରି ଇ୨୦ ପେଟ୍ରୋଲକୁ ନେଇ ସେମାନଙ୍କର ଅସୁବିଧାକୁ ବୁଝିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ପତ୍ର ଲେଖିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆପ୍ ମୁଖ୍ୟ କହିଛନ୍ତି।

ଆପ୍‌ ପକ୍ଷରୁ ଏକ ଅନଲାଇନ୍ ପିଟିସନ (ଆବେଦନ) ଆରମ୍ଭ କରାଯାଇଛି । ଯେଉଁଥିରେ ନାଗରିକମାନଙ୍କୁ ଇ-୨୦ ପେଟ୍ରୋଲର ବ୍ୟବହାର, ବିଶେଷ କରି ଏହାର ମାଇଲେଜ୍ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିତ ଅନୁଭୂତି ସେୟାର କରିବାକୁ ଆହ୍ୱାନ ଦିଆଯାଇଛି। ସେ ଲୋକମାନଙ୍କୁ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି ଏବଂ ଏହି ସବୁ ପ୍ରତିକ୍ରିୟାକୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ସମୟରେ ହସ୍ତାନ୍ତର କରିବେ ବୋଲି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଖୁବଶୀଘ୍ର ସାକ୍ଷାତ ପାଇଁ ସମୟ ଦେବେ ବୋଲି କେଜ୍ରିୱାଲ ଆଶା ପ୍ରକାଶ କରିଛନ୍ତି। ଏଥିସହ ସେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ପେଟ୍ରୋଲ ପମ୍ପ ଏବଂ ସର୍ଭିସ ସେଣ୍ଟର ଗୁଡ଼ିକୁ ଯାଇ ଗ୍ରାହକମାନଙ୍କ ସହ କଥା ହେବାକୁ ଏବଂ ସେମାନଙ୍କ ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ କହିଛନ୍ତି ।



Source link

Leave A Reply

Your email address will not be published.